ମରିସସ୍ ପରେଡରେ ଅଂଶଗ୍ରହଣ କରିବ ନୌସେନା ଯୁଦ୍ଧ ଜାହାଜ ‘ଇମ୍ଫାଲ’, PM ମୋଦି ହେବେ ମୁଖ୍ୟ ଅତିଥି

Published By : Prameya-News7 Bureau | March 10, 2025 IST

ପୋର୍ଟ ଲୁଇସ୍ ୧୦।୩: ଭାରତୀୟ ନୌସେନା ଯୁଦ୍ଧ ଜାହାଜ ‘ଇମ୍ଫାଲ’ ସୋମବାର ମରିସସ ରାଜଧାନୀ ପୋର୍ଟ ଲୁଇସ୍ ବନ୍ଦରରେ ପହଞ୍ଚିଛି। ଏହି ଜାହାଜ ୧୨ ମାର୍ଚ୍ଚ ମରିସସ ଜାତୀୟ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ। ଭାରତୀୟ ଯୁଦ୍ଧ ଜାହାଜର ଏହି ଯାତ୍ରା ମରିସସ ଜାତୀୟ ଦିବସ ଉତ୍ସବରେ ଭାଗ ନେଉଥିବା ଭାରତୀୟ ଯୁଦ୍ଧପୋତ ଓ ବିମାନଙ୍କ ପରମ୍ପରାକୁ ଧ୍ୟାନରେ ରଖି ନିର୍ଦ୍ଧାରିତ କରାଯାଇଛି। ଏହି ଜାହାଜରୁ ପରେଡରେ ଫ୍ଲାଇପାଷ୍ଟ ନିମନ୍ତେ ଏକ ମାର୍ଚ୍ଚିଂ ପ୍ଲାଟୁନ ସହିତ ନୌସେନା ବ୍ୟାଣ୍ଡ ଓ ହେଲିକପ୍ଟର ଅବତରଣ କରାଯିବ। 

ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ମୁଖ୍ୟ ଅତିଥି ହେବେ। ନୌସେନା ଅନୁସାରେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ପୋର୍ଟ ଲୁଇସ୍ ରେ ଅବସ୍ଥାନ କାଳରେ ଭାରତୀୟ ଜାହାଜ କେତେକ ପ୍ରଶିକ୍ଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ। ଏହା ଛଡା ମରିସସ ଜାହାଜଙ୍କ ସହିତ ଏକ ମିଳିତ ଇଇଜେଡ ନିରୀକ୍ଷଣ ଓ ଅଭ୍ୟାସ ଯୋଜନା ମଧ୍ୟ କରାଯାଇଛି। ଏହି ଅବସରରେ ହେବାକୁ ଥିବା ଆଲୋଚନାରେ ଭାରତର ‘ନେବର ଫାଷ୍ଟ’ ନୀତି ଓ କ୍ଷେତ୍ରରେ ସମସ୍ତଙ୍କ ଲାଗି ସୁରକ୍ଷା ଏବଂ ବିକାଶ ଦୃଷ୍ଟିକୋଣ ସଂଯୁକ୍ତ ରହିଛି। 

ଡିସେମ୍ବର ୨୦୨୩ରେ କମିଶନ କରାଯାଇଥିବା ଇମ୍ଫାଲ ୪ ପ୍ରୋଜେକ୍ଟ ୧୫ବି (ବିଶାଖାପାଟଣା ଶ୍ରେଣୀ)ର ସ୍ୱଦେଶୀ ଡିଷ୍ଟ୍ରୟର। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ସେନସର ଓ ମେସିନାରୀରେ ସମୃଦ୍ଧ ଏହା ବିଶ୍ୱର ସବୁଠୁ ବଡ଼ ଓ ବୈଷୟିକ ରୂପେ ସବୁଠୁ ଉନ୍ନତ ଯୁଦ୍ଧପୋତ ମଧ୍ୟରୁ ଅନ୍ୟତମ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.