ଆରା ୧୦।୩: ବିହାର ଭୋଜପୁର ଜିଲ୍ଲା ଆରାରେ ଦୁର୍ବୃତ୍ତ ଏକ ବଡ଼ ଧରଣର ଲୁଟପାଟ କରିଛନ୍ତି। ୭ ଜଣ ସଶସ୍ତ୍ର ଦୁର୍ବୃତ୍ତ ଗ୍ରାହକ ହୋଇ ଟାଉନ ଥାନା ଗୋପାଲୀ ଚୌକସ୍ଥିତ ତନିସ୍କ ସୋ’ ରୁମରେ ପଶି ୨୫ କୋଟି ଟଙ୍କାର ସୁନାଗହଣା ଲୁଟି ନେଇ ପଳାଇଛନ୍ତି। ଷ୍ଟୋର ମ୍ୟାନେଜର ମୃତ୍ୟୁଞ୍ଜୟ କୁମାର ସ୍ୱର୍ଣ୍ଣାଳଙ୍କର ସୋ ରୁମ କାଉଣ୍ଟରରେ ରଖାଯାଉଥିବା ବେଳେ ଦୁର୍ବୃତ୍ତ ପହଞ୍ଚି ଲୁଟପାଟ କରିଥିବା କହିଛନ୍ତି। ମାତ୍ର ୯-୧୦ ମିନିଟ୍ ଭିତରେ ଏହି କାଣ୍ଡ ଘଟିଯାଇଥିବା ବେଳେ ଆଖପାଖରେ ଥିବା ଲୋକଙ୍କୁ ସାମାନ୍ୟତମ ଆଭାସ ମଧ୍ୟ ମିଳିନାହିଁ।
ସୋ ରୁମ ଲୁଟପାଟ ପାଇଁ ମାତ୍ର ୭ ଜଣ ଦୁର୍ବୃତ୍ତ ଆସିଥିଲେ। ଏମାନଙ୍କ ମଧ୍ୟରୁ ଜଣେ କେବଳ ମୁହଁ ଘୋଡାଇ ରଖିଥିଲା। ବାକି ସମସ୍ତେ ଗ୍ରାହକ ଭାବେ ସୋରୁମକୁ ଆସିଥିଲେ। ଦୁର୍ବୃତ୍ତ ବନ୍ଧୁକ ମୁନରେ ଏହି ଲୁଟପାଟ କରିଛନ୍ତି। ସିକ୍ୟୁରିଟି ଗାର୍ଡ ମନୋଜ ଠାକୁରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତ ତାଙ୍କଠାରୁ ଦୁଇନଳି ବନ୍ଧୁକ ଛଡାଇ ନେଇଥିଲେ। ଲୁଟକୁ ବିରୋଧ କରିବାରୁ ଡକାୟତ ସୋ ରୁମ କର୍ମଚାରୀ ରୋହିତ କୁମାରଙ୍କୁ ମାଡମାରି ଆହତ କରିଛନ୍ତି। ଲୁଟପାଟ ସାରି ଅପରାଧି ସୁନା,ହୀରା ଓ ରୂପା ଗହଣା ନେଇ ଫେରାର ହୋଇଯାଇଛନ୍ତି। ପୋଲିସ ଅଞ୍ଚଳକୁ ସିଲ କରି ସୋରୁମ ସିସିଟିଭି ଫୁଟେଜରୁ ଅପରାଧୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି।
ହୋଲି ଉତ୍ସବ ପାଇଁ ସୋମବାର ସକାଳ ୧୦ଟା ବେଳକୁ ସୋରୁମ ଖୋଲି ଯାଇଥିଲା। ଦୁଇଟି ବାଇକରେ ଆସିଥିବା ଦୁର୍ବୃତ୍ତମାନେ ପ୍ରଥମେ ସେମାନଙ୍କ ଗାଡିକୁ ରାସ୍ତାର ଅପର ପାର୍ଶ୍ୱରେ ପାର୍କ କରିଥିଲେ। ସୋ ରୁମକୁ ଏକକାଳୀନ ଲୋକଙ୍କୁ ଛଡାଯାଏନି। ଏଣୁ ସେମାନେ ୨-୨ଜଣ ହୋଇ ସୋ ରୁମକୁ ପ୍ରବେଶ କରିଥିଲେ। ଶେଷ ଅପରାଧୀ ପହଞ୍ଚି ପ୍ରଥମେ ସିକ୍ୟୁରିଟି ଗାର୍ଡ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କଠାରୁ ଦୁଇ ନଳି ବନ୍ଧୁ ଛଡାଇ ନେଇଥିଲା। ସୋ ରୁମ ଭିତରେ ଥିବା ଦୁର୍ବତ୍ତମାନେ ସେମାନେ ଆଣିଥିବା ଥଳିରେ ସୁନା,ରୂପା ଓ ହୀରା ଗହଣା ପୁରେଇ ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି।
ତନିସ୍କ ସୋ ରୁମରୁ ଲୁଟପାଟ ସୂଚନା ପାଇ ଟାଉନଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ଉଚ୍ଚ ପୋଲିସ ଅଧିକାରୀମାନେ ପହଞ୍ଚି ପରିସ୍ଥିତିର ଆକଳନ କରିଛନ୍ତି। ଏହି ଲୁଟ ମାମଲାର ତଦନ୍ତ ନିମନ୍ତେ ପୋଲିସ ଏସଆଇଟି ଗଠନ କରିଥିବା ବେଳେ ଭୋଜପୁର ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ କରି ବଡ଼ହରାର ବବୁରାରେ ଏନକାଉଣ୍ଟର କରି ୨ ଜଣ ଅପରାଧୀଙ୍କୁ କାବୁ କରିଛି। ଧରାପଡିଥିବା ଅପରାଧୀଙ୍କ ଠାରୁ ଅନ୍ତର୍ଜିଲ୍ଲା ଗ୍ୟାଙ୍ଗ ଏହି କାଣ୍ଡ କରିଥିବା ଜଣାପଡିଛି। ବାକି ଅପରାଧୀ ଖୁବ୍ ଶୀଘ୍ର ଧରାପଡିଯିବେ ବୋଲି ଏଏସପି ପରିଚୟ କୁମାର କହିଛନ୍ତି।