ନୂଆଦିଲ୍ଲୀ: ୨୦୧୧ରେ ରିଲିଜ୍ ହୋଇଥିବା ଶାହରୁଖ ଖାନ୍ଙ୍କ ଫିଲ୍ମ ‘ରାଓ୍ବନ’ ସେତେବେଳେ ବେଶ୍ ଚର୍ଚ୍ଚା ସାଉଁଟିଥିଲା। ଫିଲ୍ମର କାହାଣୀ, ଗୀତ, ସ୍କ୍ରିନପ୍ଲେ ତଥା ସିନେମା ପାଇଁ ଶାହରୁଖଙ୍କ ପରିଶ୍ରମକୁ ନେଇ ବି ଖୁବ୍ ଚର୍ଚ୍ଚା ହୋଇଥିଲା। ହେଲେ ଏସବୁ ସତ୍ତ୍ବେବି ଫିଲ୍ମ ସହ ଜଡ଼ିତ ଏକ ମାମଲା କାରଣରୁ ଅଡ଼ୁଆରେ ଛନ୍ଦି ହୋଇପଡ଼ିଥିଲା ଶାହରୁଖ। ହେଲେ ଏବେ ପ୍ରାୟ ୧୩ ବର୍ଷ ପରେ ତାଙ୍କୁ ଆଶ୍ବସ୍ତି ମିଳିଛି। ୧୩ ବର୍ଷ ପରେ ଶାହରୁଖ ସେହି ମାମଲାରେ ବିଜୟ ପାଇଛନ୍ତି। ମାମଲାର ରାୟ ଶାହରୁଖଙ୍କ ସପକ୍ଷରେ ଆସିଛି।
ପ୍ରକୃତରେ ‘ରାଓ୍ବନ’ ଶାହରୁଖଙ୍କ କମ୍ପାନି ରେଡ୍ ଚିଲିଜ୍ ବ୍ୟାନରରେ ନିର୍ମିତ।ଏମିତିରେ ସେ ଏହାର ପ୍ରଯୋଜକ ମଧ୍ୟ ଥିଲେ। ଫିଲ୍ମକୁ ନେଇ କିଙ୍ଗ୍ ଖାନ୍ ଏବଂ ତାଙ୍କ କମ୍ପାନି ମଧ୍ୟରେ ଏହି ଡିଲ୍ ହୋଇଥିଲା ଯେ, ଫିଲ୍ମର ୭୦ ପ୍ରତିଶତ ସୁଟିଂ ବ୍ରିଟେନରେ ହେବାର ଅଛି। ଏମିତିରେ ଫିଲ୍ମର ୭୦ ସୁଟିଂ ବାବଦକୁ ଯାହା ଟ୍ୟାକ୍ସ ହେବ ତାହାକୁ ବ୍ରିଟେନରେ ଦେବାକୁ ପଡ଼ିବ।
ତେବେ ୟୁକେରେ ଫିଲ୍ମର ସୁଟିଂ ଦାୟିତ୍ବ ନେଇଥିଲା ଭିନଫୋର୍ଡ ପ୍ରୋଡକ୍ସନ। ଏହି କମ୍ପାନି ହିଁ ଶାହରୁଖଙ୍କୁ ତାଙ୍କ ପ୍ରାପ୍ୟ ଦେଇଥିଲା। ଅଭିନେତା କହିଥିଲେ ଯେ, ଫିଲ୍ମରୁ ତାଙ୍କୁ ୮୩.୪୨ କୋଟି ଟଙ୍କାର ଆୟ ହୋଇଛି।
ହେଲେ ଭାରତୀୟ ଟ୍ୟାକ୍ସ ଅଧିକାରୀ, ୟୁକେରେ ଶାହରୁଖଙ୍କୁ ହୋଇଥିବା ଟ୍ୟାକ୍ସ କ୍ରେଡିଟ୍କୁ ଖାରଜ କରିଥିଲେ। ଆୟକର ବିଭାଗ କହିଥିଲା ଶାହରୁଖ ନିଜ ଆୟ କମ୍ ଦେଖାଇଛନ୍ତି। ଟ୍ୟାକ୍ସ ଅଧିକାରୀ କହିଥିଲେ ଏହି ପେମେଣ୍ଟ କାରଣରୁ ଭାରତୀୟ ରାଜସ୍ବକୁ କ୍ଷତି ପହଞ୍ଚିଛି। ତେଣୁ ପୁଣି ଥରେ ଶାହରୁଖଙ୍କ ଟ୍ୟାକ୍ସ କ୍ରେଡିଟ୍ର ପୂର୍ନମୂଲ୍ୟାୟନ କରାଯାଇଥିଲା। ଅବଶ୍ୟ ସେଥିରୁ କିଛି ବିଶେଷ ସୁଫଳ ମିଳିନଥିଲା।
ଉଲ୍ଲେଖଯୋଗ୍ୟ, ଜଣେ ଭାରତୀୟ ନାଗରିକଙ୍କୁ ନିଜର ବୈଶ୍ବିକ ଆୟ ଉପରେ ଭାରତରେ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ହେଲେ ଟ୍ୟାକ୍ସ ଟ୍ରିଟିରେ ବିଦେଶୀ ଟ୍ୟାକ୍ସ କ୍ରେଡିଟ୍ ନିୟମ ଅନୁସାରେ କୌଣସି ଭାରତୀୟ ବିଦେଶରେ ଦେଇଥିବା ଟ୍ୟାକ୍ସକୁ ଭାରତରେ ନିଜ ଟ୍ୟାକ୍ସ ଲିଷ୍ଟ୍ରୁ କାଟି ପାରିବ। ଯାହାଦ୍ବାରା ଗୋଟିଏ ଆୟ ଉପରେ ଦୁଇ ଦୁଇ ଥର ଟ୍ୟାକ୍ସ ଦେବାକୁ ପଡ଼ିବନି।
ରିଆସେସମେଣ୍ଟ ପ୍ରୋସେସ ଅମାନ୍ୟ ଘୋଷିତ
ଆୟକର ଆବେଦନ ଟ୍ରିବ୍ୟୁନାଲ (ଆଟିଏଟି) ବେଞ୍ଚ, ମାମଲାରେ ଦେଇଥିବା ବିସ୍ତୃତ ଆଦେଶରେ ରି-ଆସେସମେଣ୍ଟକୁ ଅମାନ୍ୟ ଘୋଷିତ କରିଛନ୍ତି। ବେଞ୍ଚରେ ସାମିଲ ସନ୍ଦୀ ସିଂହ କରହେଲ ଏବଂ ଗିରିଶ ଅଗ୍ରଓ୍ବାଲ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଟ୍ରିବ୍ୟୁନାଲ କହିଛନ୍ତି ମୂଲ୍ୟାଙ୍କନ କରୁଥିବା ଅଧିକାରୀ ଚାରି ବର୍ଷ ପରେବି କୌଣସି ନୂଆ ପ୍ରମାଣ ଦେଇପାରିନଥିଲେ।
ଟ୍ରିବ୍ୟୁନାଲ କହିଛନ୍ତି ବିବାଦୀୟ ମୁଦ୍ଦା ଉପରେ ଯାଞ୍ଚ ପୂର୍ବରୁ ସରିଛି। ବେଞ୍ଚ କହିଥିଲେ ଗୋଟିଏରୁ ଅଧିକ ଆଧାରରେ ହୋଇଥିବା ମୂଲ୍ୟାୟନ କାର୍ଯ୍ୟାନୁଷ୍ଠାନ ଆଇନତଃ ଭୁଲ ଥିଲା। ଏହା ଧାରା ୧୪୭ର ପ୍ରାବଧାନ ଅନୁଯାୟୀ ନଥିଲା। ଏଥିପାଇଁ ଏହାକୁ ରଦ୍ଦ କରିଦିଆଗଲା। ଏମିତିରେ କେସ୍ କିଙ୍ଗ୍ ଖାନ୍ଙ୍କ ସପକ୍ଷରେ ଯାଇଥିଲା।