ଚାମ୍ପିଅନ୍ସ ଟ୍ରଫି ଟିମ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଘୋଷଣା କଲା ICC, ୬ ଭରାତୀୟ ଖେଳାଳି ସାମିଲ, ରୋହିତଙ୍କୁ ମିଳିଲାନି ସ୍ଥାନ

Published By : Prameya-News7 Bureau | March 10, 2025 IST

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଟିମ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଛି । ଏହି ଟିମରେ ବିଜେତା ଟିମ୍ ଭାରତ ସର୍ବାଧିକ ୬  ଖେଳାଳିଙ୍କୁ ସ୍ଥାନ ମିଳିଛି । ଭାରତ ରବିବାର ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ୧୨ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଜିତିଥିଲା । ଭାରତର ୬ ଖେଳାଳିଙ୍କୁ ଏହି ଟିମ୍‌ରେ ସ୍ଥାନ ମିଳିଥିଲେ ବି ରୋହିତ୍ ଶର୍ମାଙ୍କୁ ଏହି ଟିମ୍‌ର ଅଧିନାୟକ କରାଯାଇ ନାହିଁ ।

ରୋହିତ୍ ଶର୍ମାଙ୍କ କ୍ୟାପ୍ଟେନ୍ସିର ଭାରତ ଆଠ ମାସ ଭିତରେ ଲଗାତାର ଦ୍ୱିତୀୟ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟିମ୍‌ରେ ତାଙ୍କୁ ସ୍ଥାନ ହିଁ ମିଳିନାହିଁ । ଆଇସିସି ଚାମ୍ପିଅନ୍ସ ଟ୍ରଫି ଟିମ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡର ମିଚେଲ୍ ସାଣ୍ଟନରଙ୍କୁ କ୍ୟାପ୍ଟେନ କରାଯାଇଛି । ସାଣ୍ଟନରଙ୍କ ଟିମ୍ ଉପବିଜେତା ଥିଲା । ଆଇସିସିର ଏହି ଟିମ୍‌ରେ ଭାରତରୁ ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ ଓ ୧୨ତମ ଖେଳାଳି ଭାବେ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି ।

ଭାରତ ବ୍ୟତୀତ ଉପବିଜେତା ନ୍ୟୁଜିଲାଣ୍ଡ ଟିମ୍‌ରୁ ରଚିନ୍ ରବିନ୍ଦ୍ର, ଗ୍ଲେନ୍ ଫିଲିପ୍ସ, ମିଚେଲ୍ ସାଣ୍ଟନ୍‌ର ଓ ମ୍ୟାଟ୍ ହେନରୀଙ୍କୁ ସାମିଲ କରାଯାଇଛି । ଅନ୍ୟପଟେ ଆଫଗାନିସ୍ତାନର ଦୁଇ ଖେଳାଳିଙ୍କୁ ଟିମ୍‌ରେ ସ୍ଥାନ ମିଳିଛି । ଫାଇଗାନିସ୍ତାନ ପାଇଁ ଇବ୍ରାହିମ୍ ଜାଦରାନ ଓ ଅଜମାତୁଲ୍ଲାହ ଓମରଜଇ ଟିମ୍‌ରେ ସ୍ଥାନ ପାଇଛନ୍ତି । ଆୟୋଜକ ପାକିସ୍ତାନ ସହ ସେମିଫାଇନାଲରୁ ବିଦା ହୋଇଥିବା ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଟିମ୍‌ରୁ ଜଣେ ବି ଖେଳାଳି ଟିମ୍‌ରେ ସ୍ଥାନ ପାଇନାହାନ୍ତି । ସେହିପରି ଇଂଲଣ୍ଡ ଓ ବାଂଲାଦେଶରୁ କୌଣସି ଖେଳାଳିଙ୍କୁ ଟିମ୍‌ରେ ସ୍ଥାନ ମିଳିନି ।

ଆଇସିସି ଚାମ୍ପିଅନ୍ସ ଟ୍ରଫି ଟିମ୍

ରଚିନ ରବିନ୍ଦ୍ର (ନ୍ୟୁଜିଲାଣ୍ଡ), ଇବ୍ରାହିମ୍ ଜାଦରାନ (ଆଫଗାନିସ୍ତାନ), ବିରାଟ କୋହଲି (ଭାରତ), ଶ୍ରେୟସ ଆୟର (ଭାରତ), କେଏଲ୍ ରାହୁଲ (ୱିକେଟ୍ କିପର), ଗ୍ଲେନ ଫିଲିପ୍ସ (ନ୍ୟୁଜିଲାଣ୍ଡ), ଅଜମାତୁଲ୍ଲାହ ଓମରଜଇ (ଆଫଗାନିସ୍ତାନ), ମିଚେଲ ସାଣ୍ଟନର (କ୍ୟାପ୍ଟେନ, ନ୍ୟୁଜିଲାଣ୍ଡ), ମହମ୍ମଦ ଶାମି (ଭାରତ), ମ୍ୟାଟ୍ ହେନରୀ (ନ୍ୟୁଜିଲାଣ୍ଡ), ବରୁଣ ଚକ୍ରବର୍ତ୍ତୀ (ଭାରତ), ଅକ୍ଷର ପଟେଲ୍ (୧୨ତମ ଖେଳାଳି, ଭାରତ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.