ଟିମ୍ ଇଣ୍ଡିଆର ୨୦୨୭ ବିଶ୍ବକପ୍ ପ୍ରସ୍ତୁତି; କ୍ରୀଡ଼ାସୂଚୀରେ ୨୭ଟି ଦିନିକିଆ ଖେଳିବ ଭାରତ

Published By : Prameya-News7 Bureau | March 11, 2025 IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ମାତ୍ର ୯ ମାସ ଭିତରେ ୨ଟି ଆଇସିସି ଟ୍ରଫି ଜିତିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ୍‌ ହୋଇଛି । ତାଙ୍କ ନେତୃତ୍ୱରେ ଦଳ ୩ଟି ଆଇସିସି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୨୪ଟି ମ୍ୟାଚ୍‌ ଖେଳି ୨୩ଟି ବିଜୟୀ ହୋଇଛି । କେବଳ ୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଥିଲା । ଅନ୍ୟ ଦୁଇଟି ଆଇସିସି ଟୁର୍ଣ୍ଣାମେଣ୍ଟ ଅପରାଜେୟ ରହିଛି ଭାରତ ।  

ଆସନ୍ତା ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଏବଂ ୨୦୨୭ରେ ଦିନିକିଆ ବିଶ୍ୱକପ୍‌ କ୍ରୀଡ଼ାସୂଚୀ ରହିଛି । ଆଗାମୀ ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ୨୭ଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଗତ ବର୍ଷ ଦଳ ମାତ୍ର ୩ଟି ଦିନିକିଆ ଖେଳିଥିଲା । ଟିମ୍‌ ଇଣ୍ଡିଆ ଆଗାମୀ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ଘରୋଇ ବାଂଲାଦେଶ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ଏହାପୂର୍ବରୁ ଆଇପିଏଲ୍‌ ଏବଂ ଭାରତର ଇଂଲଣ୍ଡ ଗସ୍ତ ରହିଛି । ବାଂଲାଦେଶ ଗସ୍ତ ପରେ ଭାରତ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଦିନିକିଆ ଖେଳିବ । ଏହି ସିରିଜ୍ ପୂର୍ବରୁ ଏସିଆ କପ୍‌ ଟି-ଟ୍ୱେଣ୍ଟି କ୍ରୀଡ଼ାସୂଚୀ ରହିଛି । 

ସେହିପରି ନଭେମ୍ବର ଓ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ୍ ସହ ଭାରତର ଚଳିତ ସିଜିନ ଶେଷ ହେବ । ଆଗାମୀ ୨୦୨୬ ଜାନୁଆରୀରେ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଖେଳିବାକୁ ଥିବାବେଳେ ଜୁନ୍‌ ମାସରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଆୟୋଜନ କରିବ । ଏହି ସିରିଜ ପୂର୍ବରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତ ଓ ଶ୍ରୀଲଙ୍କାରେ ରହିଛି । ଏହାସିହତ ଆଇପିଏଲ-୨୦୨୬ କ୍ରୀଡ଼ାସୂଚୀ ରହିଛି । ଆଫଗାନିସ୍ତାନ ବିପକ୍ଷ ସିରିଜ ପରେ ଭାରତ ଜୁଲାଇ ମାସରେ ଇଂଲଣ୍ଡ ଗସ୍ତ କରି ୩ଟି ଦିନିକିଆ, ୫ଟି ଟି-ଟ୍ୱେଣ୍ଟି ଖେଳିବ । ଏହାପରେ ଦଳ ସେପ୍ଟେମ୍ବର-ଅକ୍ଟୋବରରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଘରୋଇ ସୀମିତ ଓଭର ସିରିଜ, ଅକ୍ଟୋବର-ଡିସେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତରେ ଦ୍ୱିପାକ୍ଷିକ ସିରିଜ କ୍ରୀଡ଼ାସୂଚୀ ରହିଛି । ଆଗାମୀ ୨୦୨୭ ଜାନୁଆରୀରେ ଭାରତ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ୨ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଜରିଆରେ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି କରିବ । ୨୦୨୭ ବିଶ୍ୱକପ୍‌କୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିୟା ମିଳିତ ଭାବେ ଆୟୋଜନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.