ସାତକୋଶିଆକୁ ଆସିବେ ୧୨ରୁ ୧୬ ମହାବଳ, ପର୍ଯ୍ୟାୟ କ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଅଣାଯିବ

Published By : Prameya-News7 Bureau | October 17, 2024 IST

ଭୁବନେଶ୍ବର ୧୭।୧୦: ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ଆକ୍ସନ ପ୍ଲାନ । ସାତକୋଶିଆ ଅଭୟାରଣ୍ୟକୁ ଆସିବେ ମହାବଳ ବାଘ । NTCAର ଟାଇଗର ରିକଭରି ପ୍ଲାନ ଅନୁସାରେ ୧୨ରୁ ୧୬ଟି ବାଘ ଆଣିବାକୁ ଯୋଜନା କରିଛି ବନ ବିଭାଗ । ସୁନ୍ଦରୀ  ବାଘକୁ ନେଇ କିଛିଦିନ ହଟଚମଟ ଲାଗି ରହିବା ପରେ ଏବେ ସାତକୋଶିଆ ଅଭୟାରଣ୍ୟ ପାଇଁ  ଆସିଛି ଖୁସି ଖବର । ସାତକୋଶିଆରେ ବାଘ ବଂଶ ବିସ୍ତାର କରିବାକୁ ଯୋଜନା ହାତକୁ ନେଇଛି ବନ ବିଭାଗ । ଜାତୀୟ ବାଘ  ସଂରକ୍ଷଣ ପ୍ରାଧିକରଣ ବା NTCAର ଟାଇଗର ରିକଭରି  ପ୍ଲାନ ଅନୁସାରେ   ୧୨ରୁ ୧୬ଟି ବାଘ ଆଣିବାକୁ ଯୋଜନ କରିଛି ବନ ବିଭାଗ । ବିଶେଷ କରି ପ୍ରାଥମିକ ପର୍ଯ୍ୟାୟରେ ସାତକୋଶିଆ ଟାଇଗର ରିଜର୍ଭରେ ଗୋଟିଏ  ଅଣ୍ଡିରା ଓ ଦୁଇଟି ମାଈ ବାଘ ଛାଡିବାକୁ ଯୋଜନା କରାଯାଇଛି । ଏନେଇ ବୈଷୟିକ ଅନୁମତି ସରିଛି । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ବାଘ ଅଣାଯାଇ ବଂଶ ବିସ୍ତାର ପାଇଁ ଯୋଜନା କରାଯାଇଛି ।   ସାତକୋଶିଆ ଟାଇଗର ରିଜର୍ଭ ଭିତରେ ଓ କୋର୍ ଏରିଆରେ ୭୦୦ ପରିବାରକୁ ସ୍ଥାନାନ୍ତର କରା ଯାଇସାରିଛି । ଅଭୟାରଣ୍ୟ ଭିତରୁ ଆଉ କିଛି ଗାଁ ସ୍ଥାନାନ୍ତର କରାଯିବ । ପୂର୍ବ ଥର ସୁନ୍ଦରୀକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୁଲ ବୁଝାମଣା ଥିଲା । ଚଳିତ ଥର ସ୍ଥାନୀୟ ଜନପ୍ରତିନିଧି, ସ୍ଥାନୀୟ ଲୋକଙ୍କ ସହଯୋଗ, ସହମତି ନେଇ ରାଜ୍ୟ ସରକାର ବାଘ ସ୍ଥାନାନ୍ତର ନେଇ ପଦକ୍ଷେପ ନେବେ ବୋଲି ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି । ୫ ବର୍ଷରେ ପର୍ଯ୍ୟାୟ କ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ ।

ସେପଟେ  ଅନୁଗୁଳ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ । ଏହାସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ କେତେକ ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି । ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଦିଆଯାଇଛି ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଭେହିକିଲ୍ । ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ଏହି ପାଟ୍ରୋଲିଂ ଭ୍ୟାନ୍ । ଏହି ପାଟ୍ରୋଲିଂ ଭ୍ୟାନ୍‌ରେ  GPS ନେଭିଗେସନ, ଭିଏଚଏଫ ବ୍ୟବସ୍ଥା ରହିଛି । ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଆଗାମୀ ଦିନରେ ସମ୍ବଲପୁର ଦେବ୍ରିଗଡ ଅଭୟାରଣ୍ୟରେ ଅତ୍ୟାଧୁନିକ ପାଟ୍ରୋଲିଂ ଯୋଗାଇ ଦେବା ନେଇ ବିଚାର ବିମର୍ଷ ଚାଲିଥିବା  ଅତିରିକ୍ତ ଶାସନ ସଚିବ କହିଛନ୍ତି  । ଭୁବନେଶ୍ବର ସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ପାଟ୍ରୋଲିଂ ଯାନର ଶୁଭାରମ୍ଭ କରିଛନ୍ତି ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

You Can Read:

ଆସନ୍ତା ୨୨ରେ ଆସୁଛି ଆଉ ଏକ ଲଘୁଚାପ : ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.