ୱାଶିଂଟନ, ୨୦/୦୨: ଆମେରିକାର ୬ ରାଜ୍ୟ ଯଥା କେଣ୍ଟୁକି, ଭର୍ଜିନିଆ, ପଶ୍ଚିମ ଭର୍ଜିନିଆ, ଟେନେସି ଓ ଇଣ୍ଡିଆନାରେ ଭୟଙ୍କର ବନ୍ୟା ଆସିଛି । ଏହାଯୋଗୁ ୧୫ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । କେଣ୍ଟୁକି ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମ ଭର୍ଜିନିଆ ଓ ଜର୍ଜିଆରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।
ଅନ୍ୟପକ୍ଷରେ ଆମେରିକାର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରାୟ ୯ କୋଟି ଲୋକ ଭୀଷଣ ଥଣ୍ଡା ପାଣିପାଗରେ ଘାଣ୍ଟି ହେଉଛନ୍ତି । ଏଠାରେ ତାପମାତ୍ରା ରେକର୍ଡ ସ୍ତରକୁ ଖସିଆସିଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ୧୪ ହଜାରରୁ ଅଧିକ ଘରକୁ ବିଜୁଳି ଯୋଗାଣ ଠପ୍ ହୋଇପଡ଼ିଛି । ୧୭ ହଜାର ଘରକୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି । ଜାତୀୟ ପାଣିପାଗ ସେବା ବିଭାଗର ବୈଜ୍ଞାନିକ ଆଣ୍ଡ୍ରିଉ ଓରିସନ୍ କହିଛନ୍ତି, ମଧ୍ୟ ଆମେରିକାରେ ବର୍ତ୍ତମାନ ତାପମାତ୍ରା ସର୍ବନିମ୍ନ ତଳକୁ ଖସିଯାଇଛି ।
ମଧ୍ୟ-ପଶ୍ଚିମର କେତେକ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୫୦ରୁ ୬୦ ଡିଗ୍ରୀକୁ ହ୍ରାସ ପାଇଛି । ଫଳରେ ସାଧାରଣ ଜୀବନଯାତ୍ରା ଅତି ମାତ୍ରାରେ ପ୍ରଭାବିତ ହୋଇଛି । ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି । ପ୍ରବଳ ଥଣ୍ଡା ମଧ୍ୟରେ ବନ୍ୟା ସ୍ଥିତି ଲୋକଙ୍କ ଜୀବନ ଦୁର୍ବିଷହ କରି ପକାଇଛି । ଗତ କିଛିଦିନ ହେଲା କେଣ୍ଟୁକିର କେତେକ ଅଞ୍ଚଳରେ ୬ ଇଞ୍ଚ୍ (୧୫ ସେମି) ବର୍ଷା ହୋଇଥିଲା । ଏହି କାରଣରୁ ବନ୍ୟା ସ୍ଥିତି ଉପୁଜିଥିଲା ।