ନାଗରକୁରନୁଲ ୯।୩: ତେଲଙ୍ଗନାର ନାଗରକୁରନୁଲରେ ଏସଏଲବିସି ଟନେଲରେ ଫଶିଥିବା ୮ ଜଣଙ୍କ ଉଦ୍ଧାର ନିମନ୍ତେ ଉଦ୍ୟମ ଲଗାତାର ଜାରି ରହିଛି। ଘଟଣାକୁ ଇତି ମଧ୍ୟରେ ୧୬ ଦିନ ବିତିଛି ହେଲେ ଉଦ୍ଧାର କାର୍ଯ୍ୟରେ ସଫଳତା ମିଳି ନାହିଁ। ରବିବାର ଉଦ୍ଧାରକାରୀ ଦଳଙ୍କୁ ଟନେଲ ତଳେ ଏକ ଶବ ମିଳିଛି। ଏହି ଶବଟି ମେଶିନରେ ଫସି ରହିଛି। ଶବକୁ ବାହାର କରିବାକୁ ମେଶିନ କଟାଯାଉଛି। ସନ୍ଧାନୀ କୁକୁରଙ୍କ ପରେ ଏବେ ଏହି ଉଦ୍ଧାର କାର୍ଯ୍ୟରେ ରୋବୋଟ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି।
ସରକାର ଫଶି ରହିଥିବା ୮ ଶ୍ରମିକ ଓ କର୍ମଚାରୀଙ୍କୁ ଜୀବିତ ଅଥବା ମୃତ ଉଦ୍ଧାର ନିମନ୍ତେ ଏବେ ରୋବୋଟ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୨୨ ତାରିଖ ଦିନ ଟନେଲ ଭୁଶୁଡି ପଡିବାରୁ ୮ ଜଣ ଲୋକେ ଟନେଲ ତଳେ ଫଶି ରହିଛନ୍ତି। କେରଳ ପୋଲିସର ଶବ ସନ୍ଧାନକାରୀ କୁକୁରଙ୍କ ଉଦ୍ଧାର ଅଭିଯାନରେ ସାମିଲ କରାଯାଇଛି। ଏହି କୁକୁରମାନଙ୍କୁ ବିଶେଷ କରି ନିଖୋଜ ଓ ମୃତକଙ୍କ ସନ୍ଧାନ ନିମନ୍ତେ ପ୍ରଶିକ୍ଷିତ କରାଯାଇଛି।
ଏନଡିଆରଏଫ, ସେନା ଓ ଅନ୍ୟ ଏଜେନ୍ସୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଉଦ୍ୟମ ଜାରି ରଖିଛନ୍ତି। ଟନେଲ ତଳେ ଫଶି ରହିଥିବା ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାରକାରୀଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ଏବେ ଏଥିରେ ରୋବୋଟ କଣ କରିବ ତାହା ଉପରେ ସମସ୍ତଙ୍କ ନଜର। ତେଲଙ୍ଗନା ଜଳସେଚନ ମନ୍ତ୍ରୀ ଏନ.ଉତ୍ତମ କୁମାର ରେଡ୍ଡୀ ଟନେଲ ସ୍ଥଳକୁ ଗସ୍ତ କରିଥିଲେ। ଏହି ଗସ୍ତକାଳରେ ସେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଲଗା ଅଲଗା ଏଜେନ୍ସୀର ଅଧିକାରୀଙ୍କ ସହିତ ଚଳାଯାଇଥିବା ଉଦ୍ଧାର ଅଭିଯାନ ନେଇ ଆଲୋଚନା କରିଥିଲେ। ଏହି ସମୀକ୍ଷା କାଳରେ ଟନେଲରେ ଉଦ୍ଧାର ଅଭିଯାନ ନିମନ୍ତେ ତୁରନ୍ତ ରୋବୋଟ ମୁତୟନ କରିବାକୁ ସେ ପରାମର୍ଶ ଦେଇଥିଲେ।
ମନ୍ତ୍ରୀ କହିଛନ୍ତି ଯେ ସରକାର ଏବେ ରୋବୋଟ ବିଶେଷଜ୍ଞଙ୍କ ସେବା ଉପଯୋଗ କରିବେ। ଏଥି ପାଇଁ ସରକାର ପାଖାପାଖି ୪ କୋଟି ଟଙ୍କା ବ୍ୟୟ କରିବେ। ସୂଚନା ଅନୁସାରେ ତେଲଙ୍ଗନା ମୁଖ୍ୟମନ୍ତ୍ରୀ ଏ.ରେବନ୍ତ ରେଡ୍ଡୀ ମାର୍ଚ୍ଚ ୧୧ ତାରିଖ ଦିନ ପୁଣି ଟନେଲ ପରିଦର୍ଶନରେ ଆସିବେ। ଏହି ସମୟରେ ସେ ପୁଣି ଥରେ ଉଦ୍ଧାର ଅଭିଯାନର ସମୀକ୍ଷା କରିବେ। ଏହା ପୂର୍ବରୁ ମାର୍ଚ୍ଚ ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଟନେଲ ଗସ୍ତରେ ଆସିଥିଲେ।