ମହାକୁମ୍ଭ ପରେ ବି ପ୍ରୟାଗରାଜ ସଙ୍ଗମରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ସ୍ଥାୟୀ ସୁବିଧା ପାଇଁ ଯୋଗୀ ସରକାରଙ୍କ ନିଷ୍ପତ୍ତି

Published By : Prameya-News7 Bureau | March 09, 2025 IST

ପ୍ରୟାଗରାଜ ୯।୩: ମହାକୁମ୍ଭମେଳା ଉଦଯାପିତ ହୋଇସାରିଲାଣି, ସାଧୁ ସନ୍ଥ ଫେରିଗଲେଣି ତଥାପି ସଙ୍ଗମ କ୍ଷେତ୍ରର ମନମୋହକ ଦୃଶ୍ୟ ଏବେବି ଆକର୍ଷଣର କେନ୍ଦ୍ର ହୋଇ ରହିଛି। ଲୋକେ ଆସି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି। ଭିଡ ଯୋଗୁ ପ୍ରୟାଗରାଜର ଲୋକେ ବି କୁମ୍ଭ ସ୍ନାନ କରିପାରିନଥିଲେ। ଏବେ କୁମ୍ଭ ଭିଡ ନଥିବାରୁ ଲୋକେ ଆସି ସଙ୍ଗମରେ ଆସ୍ଥାର ବୁଡ଼ ପକାଉଛନ୍ତି। ଲୋକଙ୍କ ଏହି ଆଗ୍ରହକୁ ନଜରରେ ରଖି ରାଜ୍ୟର ଯୋଗୀ ସରକାର କୁମ୍ଭ ପରିସରରେ କିଛି ସ୍ଥାୟୀ ବ୍ୟବସ୍ଥା  ରଖିବାକୁ ନିଷ୍ପତ୍ତି ନେଇଛନ୍ତି। 

ମେଳା କ୍ଷେତ୍ରରେ ବହୁ ସଂଖ୍ୟାରେ ଶ୍ରମିକ ଏବେ ତିଆରି କରାଯାଇଥିବା ଅସ୍ଥାୟୀ ନିର୍ମାଣ ସବୁ ହଟାଉଛନ୍ତି। ହେଲେ ବି କିଛି ସୁବିଧା ଯେପରିକି  ହୋଇଥିବା ଆଲୋକ ବ୍ୟବସ୍ଥା, ଚେଞ୍ଜିଂ ରୁମ ଓ ଘାଟ ବ୍ୟବସ୍ଥା ଆଦି ବର୍ଷେ ପର୍ଯ୍ୟନ୍ତ ସେହିପରି ରହିବ ବୋଲି ମେଳା ଅଧିକାରୀ ବିଜୟ କିରଣ ଆନନ୍ଦ କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୫ ଦିନରେ ମେଳାକ୍ଷେତ୍ରରେ ଲାଗିଥିବା ସବୁ ତମ୍ବୁ ହଟିଯାଇଥିବ। ସେହିପରି ନଦୀରେ ଥିବା ଭସା ପୋଲ (ପାଣ୍ଟୁନ ପୋଲ)ରୁ ମାଘମେଳାପାଇଁ ପୋଲକୁ ଛାଡି ଦେଲେ ବାକି ପୋଲ ଖୋଲି ଅନ୍ୟ ଜିଲ୍ଲାକୁ ପଠାଇ ଦିଆଯିବ। 

କୁମ୍ଭ ମେଳା ପାଇଁ ନଦୀରେ ୩୦ଟି ଭସାପୋଲ ନିର୍ମାଣ ହୋଇଥିଲା। ଏଥି ପାଇଁ ୩,୬୦୦ଟି ପିପା ବ୍ୟବହାର କରାଯାଇଥିଲା। ଗତ ମହାକୁମ୍ଭ ମେଳା ୪ ହଜାର ହେକ୍ଟର କ୍ଷେତ୍ରରେ ବ୍ୟାପ୍ତ ଥିଲା। ଆଲୋକିକରଣ ପାଇଁ ୪୦୦ କେଭିର ୮୫ ସବଷ୍ଟେସନ ସହିତ ୨୫୦ କେଭିର ୧୪ଟି ସବଷ୍ଟେସନ ଓ ୧୦୦ କେଭିର ୧୨୮ଟି ସବଷ୍ଟେସନ ସ୍ଥାପନା କରାଯାଇଥିଲା। ଏହା ଛଡା ମେଳା କ୍ଷେତ୍ରରେ ୪୦ ହଜାରରୁ ଅଧିକ ରିଚାର୍ଜେବଲ ଲାଇଟ ସାଙ୍ଗକୁ ୪୮ ହଜାର ଏଲଇଡି ଲାଇଟ୍ ଲାଗିଥିଲା। ସେ ସବୁ ଏବେ ବି ଅଛି, ଯାହା ସନ୍ଧ୍ୟାରେ ପର୍ଯ୍ୟଟକଙ୍କୁ ନଦୀ କୂଳକୁ ଆକର୍ଷିତ କରୁଛି। 

କୁମ୍ଭ ମେଳା ଆୟୋଜନ ନିମନ୍ତେ ପ୍ରୟାଗରାଜକୁ ୧ ଡିସେମ୍ବର ୨୦୨୪ରେ ଜିଲ୍ଲା ଘୋଷଣା କରାଯାଇଥିଲା। କୁମ୍ଭ ମେଳା ସରିବା ପରେ ପ୍ରୟାଗରାଜର ଜିଲ୍ଲା ମାନ୍ୟତା ମାର୍ଚ୍ଚ ୩୧ରେ ସମାପ୍ତ କରିଦିଆଯିବ। ଏହି ନୂଆ ଜିଲ୍ଲା ନିମନ୍ତେ ଜଣେ ଜିଲ୍ଲାପାଳଙ୍କ ସମେତ ୩ ଅପର ଜିଲ୍ଲା ଅଧିକାରୀ, ୨୮ ଉପ ଜିଲ୍ଲାଧିକାରୀ, ଜଣେ ତହସିଲଦାରଓ ୨୪ ନାୟବ ତହସିଲଦାର ନିଯୁକ୍ତ ହୋଇଥିଲେ। ଏହା ଛଡା ଜିଲ୍ଲାରେ ସୁରକ୍ଷା ପାଇଁ ୫୬ ଥାନା, ୧୫୫ଟି ପୋଲିସ ଫାଣ୍ଡି, ଗୋଟିଏ ସାଇବର ସେଲ ଥାନା ଓ ଏକ ମହିଳା ଥାନା  ସମେତ ୩ ଜଳ ପୋଲିସ ଥାନା ସ୍ଥାପନା କରାଯାଇଥିଲା। ଜିଲ୍ଲା ମାନ୍ୟତା ହଟିବା ପରେ ଏହି ସବୁ କାର୍ଯ୍ୟାଳୟ ବନ୍ଦ ହୋଇଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.