ମୁମ୍ବାଇ ୯।୩: ନାଗାପାଡା ଅଞ୍ଚଳରେ ପାଣି ଟାଙ୍କି ସଫା କରୁଥିବା ବେଳେ ଶ୍ୱାସ ଋଦ୍ଧ ହୋଇ ୪ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ମଧ୍ୟାହ୍ନ ସାଢେ ଗୋଟାଏ ବେଳେ ହୋଇଛି। ୫ ଜଣ ପାଣି ଟାଙ୍କି ସଫା କରିବାକୁ ପଶିଥିଲେ। ସମସ୍ତ ଅଚେତ ହୋଇପଡିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଡିମଟିମକର ରୋଡରେ ଥିବା ବିସ୍ମିଲ୍ଲାହ ସ୍ପେସ୍ ବିଲ୍ଡିଂ ରେ ଏହି ଅଘଟଣ ଘଟିଛି।
ପାଣି ଟାଙ୍କିରେ ଲୋକେ ଫଶିଥିବା ଖବର ପାଇ ଦମକଳ ବିଭାଗ ପହଞ୍ଚି ୫ ଜଣଙ୍କୁ ଉଦ୍ଧାର କରି ଜେ.ଜେ ହସ୍ପିଟାଲ ପହଞ୍ଚାଇଥିଲା। ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ପଞ୍ଚମ ଜଣକର ଚିକିତ୍ସା ଜାରି ରହିଛି। ମୃତକମାନଙ୍କ ଚିହ୍ନଟ ହୋଇଛି, ସେମାନେ ହେଲେ ଶେଖ (୧୯), ରାଜା ଶେଖ(୨୦) ଜିଆଉଲ ଶେଖ (୩୬) ଓ ଇମାନ୍ଦୁ ଶେଖ (୩୮)। ସେହିପରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ପୁରହାନ ଶେଖ (୩୧) ଭାବେ ଚିହ୍ନଟ କରାଯାଇଛି।
ଜେ.ଜେ. ଥାନାର ଜନୈକ ପୋଲିସ ଅଧିକାରୀ କହିଛନ୍ତି ଯେ ମାମଲାରେ ଦୁର୍ଘଟଣା ବସତଃ ମୃତ୍ୟୁ ରିପୋର୍ଟ (ଡିଡିଆର) ରୁଜୁ କରାଯାଇଛି। ଏହି ୫ ଜଣଙ୍କୁ କାମରେ ଲଗାଇଥିବା ବ୍ୟକ୍ତଙ୍କ ସନ୍ଧାନ ନିଆଯାଉଛି। ପାଣି ଟାଙ୍କି ସଫା କରିବା ପାଇଁ ଉପଯୁକ୍ତ ସୁରକ୍ଷା ପ୍ରୋଟୋକଲ ପାଳନ କରାଯାଇ ଥିଲା କି ନାହିଁ ସେ ନେଇ ପୋଲିସ ଏବେ ଯାଞ୍ଚ କରୁଛି। ପୋଲିସ ଅଧିକାରୀଙ୍କ ଅନୁସାରେ ଜାଞ୍ଚ ରିପୋର୍ଟ ଆଧାରରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ କରାଯିବ। ସେ କହିଛନ୍ତି ଯେ ତଦନ୍ତ ନିମନ୍ତେ ଏବେ ଘଟଣାସ୍ଥଳରେ ଅଗ୍ନିସମ ସେବା. ବୃହନମୁମ୍ବାଇ ମହାନଗର ପାଳିକା ଓ ପୋଲିସ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଅଛନ୍ତି।