ଭଦ୍ରକ: ଅପହରଣର ୧୦ ମାସ ପରେ ମାଆ କୋଳକୁ ଫେରିଲା ଅପହୃତ ୩ ବର୍ଷର ଶିଶୁ ପୁତ୍ର। ବଡ଼ କଥା ହେଲା ଶିଶୁ ପୁତ୍ରକୁ ଅପହରଣ କରାଯାଇନଥିଲା ବରଂ ସ୍ବାମୀଙ୍କ ମୃତ୍ୟୁ ପରେ ପୁଅକୁ ନେଇ ଯାଇଥିଲେ ଶ୍ଵଶୁର ଘର ଲୋକେ। ଏଭଳି ଏକ ଘଟଣାର ପର୍ଦ୍ଦାଫାଶ କରିଛି ଭଦ୍ରକ ପୋଲିସ।
ସୂଚନା ଅନୁଯାୟୀ, ଭଦ୍ରକ ଭଣ୍ଡାରିପୋଖରୀ ଥାନା ସାରୋ ଗ୍ରାମର ସୁମିତା ଜେନା ୨୦୨୧ରେ ସରସଦା ଗ୍ରାମର ସୌମ୍ୟରଞ୍ଜନ ଜେନାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ହେଲେ ଦୁର୍ଭାଗ୍ୟବସତଃ ୨୦୨୩ ସେପ୍ଟେମ୍ବରରେ ସୌମ୍ୟ ଏକ ଦୁର୍ଘଟଣାରେ ସୌମ୍ୟ ପ୍ରାଣ ହରାଇଥିଲେ।
ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ସୁମିତା ନିଜ ବାପ ଘରକୁ ଚାଲିଯାଇଥିଲେ। ହେଲେ ୨୦୨୪ ଜୁନରେ ସୁମିତାଙ୍କ ଶ୍ୱଶୁର ଘର ଲୋକ ସେଠାରେ ପହଞ୍ଚି ଚଞ୍ଚକତା କରି ପିଲାଟିକୁ ଅପହରଣ କରିନେଇଥିଲେ। ଘଟଣାକୁ ନେଇ ସୁମିତା ଭଣ୍ଡାରିପୋଖରୀ ଥାନାରେ ଏକ ମାମଲା ରୁଜୁ କରିଥିଲେ।
ଆଉ ମାମଲା ରୁଜୁ ହେବାର ୧୦ ମାସ ପରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରୁ ଶିଶୁଟିକୁ ପୋଲିସ ଉଦ୍ଧାର କରିବା ସହିତ ଶିଶୁକୁ ନିଜ ମାଆକୁ ହସ୍ତାନ୍ତର କରିଛି। ଘଟଣାକୁ ନେଇ ୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ମାମଲାରେ ଜଣକୁ ପୋଲିସ ଅଟକ ରଖିଥିବା ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ସମ୍ବିତ ମାଝୀ । ଅନ୍ୟପଟେ ୧୦ ମାସ ପରେ ନିଜ କୋଳରେ ଜନ୍ମିତ ଶିଶୁକୁ ପାଇ ବେଶ ଖୁସି ଅନୁଭବ କରିଛନ୍ତି ସୁମିତା।