ଦିଲ୍ଲୀ ବୁରାଡୀରେ ଭୂଶୁଡିଲା ୪ ମହଲାକୋଠା, ଅନେକ ଲୋକ ଦବି ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | January 27, 2025 IST

ନୂଆଦିଲ୍ଲୀ ୨୭।୧: ରାଜଧାନୀ ଦିଲ୍ଲୀରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଦିଲ୍ଲୀ ବୁରାଡୀରେ ଏକ ୪ ମହଲା କୋଠା ଭୁଶୁଡି ପଡିଛି। ଭଙ୍ଗା ବିଲ୍ଡିଂ ତଳେ ଅନେକ ଶ୍ରମିକ ଫଶି ରହିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣା ସୂଚନା ମିଳିବାମାତ୍ରେ ପୋଲିସ, ଦମକଳ ଓ ଏନଡିଆରଏଫ ଜବାନ ଘଟଣାସ୍ଥଳକୁ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଦିଲ୍ଲୀ ଅଗ୍ନିସମ ସେବା (ଡିଏଫଏସ୍) ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣା ବୁରାଡୀ କୌଶିକ ଏନକ୍ଲେଭ ନିକଟସ୍ଥ ଓସ୍କାର ପବ୍ଲିକ ସ୍କୁଲ ପାଖରେ ଥିବା ବିଲ୍ଡିଂରେ ହୋଇଛି। 

ଘଟଣାସ୍ଥଳକୁ ମୋଟ ୯ଟି ଦମକଳ ଗାଡ଼ି ପହଞ୍ଚିଛି। ବିଲ୍ଡିଂ ଭୂଶୁଡିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ସାମ୍ନାକୁ ଆସୁଥିବା ସୂଚନା ଅନୁସାରେ ଘରଟି ଭୁଶୁଡି ପଡିବା ପରେ ସେଥିରେ ପାଖାପାଖି ୨୦ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ରହିଯାଇଛନ୍ତି।  ଉଦ୍ଧାରକାରୀ ଦଳ ୮ ଜଣଙ୍କୁ ସକୁଶଳେ ବାହାରକୁ ବାହାର କରିଥିବା ବେଳେ ବାକି ଲୋକଙ୍କ ଉଦ୍ଧାର ନିମନ୍ତେ ଉଦ୍ୟମ ଜାରି ରହିଛି। ଉଦ୍ଧାର ହୋଇଥିବା ସମସ୍ତ ୮ ଜଣଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଛି। 


ଘର ତଳେ ପୋତି ହୋଇ ରହିଥିବା ବାକି ଲୋକଙ୍କ ଉଦ୍ଧାର ନିମନ୍ତେ ଏନଡିଆରଏଫ ମେସିନ ମଗାଇଛି। ଏବେ ଯେତିକି ସୂଚନା ମିଳୁଛି ଏହି ବିଲ୍ଡିଂଟି ନିର୍ମାଣାଧୀନ ଥିଲା। ଏହା ବି ଜଣାପଡିଛି ଯେ ମାତ୍ର ୨୫୦ ଗଜ ଜମି ଉପରେ ଘର ମାଲିକ ୪ ମହଲା କୋଠା ନିର୍ମାଣ କରିଥିଲେ। ଏହି ଘଟଣାକୁ ନେଇ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦ। ବୁରାଡୀରୁ ଆପ ବିଧାୟକ ସଞ୍ଜିବ ଝାଙ୍କୁ ତୁରନ୍ତ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହିତ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହାୟତା କରିବା ପାଇଁ କେଜରିୱାଲ ନିର୍ଦ୍ଦେଶ ଦେଇଛନ୍ତି। 


ମୁଖ୍ୟମନ୍ତ୍ରୀ ଘଟଣାରେ ସ୍ଥାନୀୟ ଲୋକଙ୍କ ସହାୟତା ମଧ୍ୟ କାମନା କରିଛନ୍ତି। ଦିଲ୍ଲୀ ବିଧାନସଭା ନିମନ୍ତେ ଫେବୃଆରୀ ୫ ତାରିଖରେ ଭୋଟ ଗ୍ରହଣ ହେବ। ଏବେ ଜାତୀୟ ରାଜଧାନୀରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଚାଲିଥିବା ବେଳେ ବୁରାଡୀ ଘଟଣା ନିର୍ବାଚନ ପ୍ରଚାରରେ ବିରାମ ଲଗାଇଛି। ବିଭିନ୍ନ ଦଳର ନେତା ଘଟଣାସ୍ଥଳକୁ ପହଞ୍ଚିବାକୁ ଲାଗିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ପ୍ରଶାସନ କୁ ସହାୟତା କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.