ଦିଲ୍ଲୀ କରୋଲବାଗରେ ଭୁଶୁଡିଲା ୪ ମହଲା ବିଲ୍ଡିଂ, ୧୫ ଉଦ୍ଧାର

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ ୧୮।୯: କରୋଲବାଗ ଦିଲ୍ଲୀରେ ବୁଧବାର ଏକ ୪ ମହଲା କୋଠା ଭୁଶୁଡି ପଡିଛି। ଫଳରେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଦିଲ୍ଲୀ ଅଗ୍ନିସେବା ସନ୍ଧାନ ଓ ଉଦ୍ଧାର ନିମନ୍ତେ ୫ଟି ଗାଡି ପଠାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିଛି। ଘରର ଧ୍ୱଂସ ସ୍ତୁପ ତଳୁ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ହସ୍ପିଟାଲକୁ ପଠାଯାଇଛି। ଭଙ୍ଗା ଘର ତଳେ ଆହୁରି ବି ଲୋକେ ଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି, ଏଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ଡିସିପି ସେଣ୍ଟ୍ରାଲ ଏମ. ହର୍ଷବର୍ଦ୍ଧନ ୨୫ ବର୍ଗ ଗଜରେ ନିର୍ମିତ ଏକ ପୁରୁଣା ବିଲ୍ଡିଂ ଧସି ପଡିବା ଯୋଗୁ ଏପରି ପରିସ୍ଥିତି ଉପୁଜିଥିବା କହିଛନ୍ତି। ସ୍ଥାନୀୟ ପୋଲିସ, ଏନଡିଆରଏଫ ଓ ଅନ୍ୟ ଏଜେନ୍ସୀଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇଥିବାର ସୂଚନା ନାହିଁ। ତେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଆତିଶୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଭାବିତ ଲୋକଙ୍କୁ ସବୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଆତିଶୀ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଚଳିତ ମୌସୁମୀରେ ଦିଲ୍ଲୀ ଭଲ ବର୍ଷା ପାଇଛି। ଏଣୁ ଆତିଶୀ ନିର୍ମାଣ ସମ୍ପର୍କିତ କୌଣସି ବିପଦର ସୂଚନା ତୁରନ୍ତ ଅଧିକାରୀଙ୍କୁ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ଏଭଳି ମାମଲାରେ ସରକାର ତତ୍କାଳ ସହାୟତା ପ୍ରଦାନ କରିବେ ବୋଲି ସେ କହିଛନ୍ତି। ଉଦ୍ଧାରକାରୀ ଦଳ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କାରଣ ଭଙ୍ଗା ଘର ତଳେ ଆଉ ବି ଲୋକେ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଉଦ୍ଧାର ଅଭିଯାନ ପରେ ଆଇଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ଡିସିପି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.