ସମ୍ ହସ୍ପିଟାଲର ସଫଳତା: ଏଣ୍ଡୋସ୍କୋପିକ୍ ପଦ୍ଧତି ଆଡେନୋଟନ୍‌ସିଲେକ୍ଟୋମି ଦ୍ୱାରା ସୁସ୍ଥ ହେଲା ୫ ବର୍ଷର ଶିଶୁପୁତ୍ର

Published By : Prameya-News7 Bureau | December 26, 2024 IST

News7

ବ୍ରହ୍ମପୁର:  ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍ କ୍ୟାମ୍ପସ-୩ରେ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଜଟିଳ ଆଡେନୋଟନ୍‌ସିଲେକ୍ଟୋମି ମାଧ୍ୟମରେ ନିଃଶ୍ୱାସ ନେବା ନିମନ୍ତେ ସଂଘର୍ଷ କରୁଥିବା ଜଣେ ୫ ବର୍ଷର ଶିଶୁପୁତ୍ରର ଜୀବନ ରକ୍ଷା କରାଯାଇଛି । ଏହି ଅଭିନବ ପ୍ରକ୍ରିୟାଟି ଦକ୍ଷିଣ ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରୟୋଗ କରାଯାଇଥିବା ବେଳେ ଏହି ପଦ୍ଧତିଟିକୁ ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା ବିଭାଗର ମୁଖ୍ୟ ଡାକ୍ତର ପ୍ରୀୟଜିତ ପାଣିଗ୍ରାହୀ ସମ୍ପାଦନ କରିଛନ୍ତି।

ଏହି ଶିଶୁ ପୁତ୍ରଟି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ବେଳେ ପାଟିବାଟେ ନିଃଶ୍ୱାସ ନେଉଥିଲା। ତା’ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ହସ୍ପିଟାଲ୍‌କୁ ଅଣାଯାଇଥିଲା। ପରୀକ୍ଷା ନିରୀକ୍ଷା ପରେ ତା’ ଶରୀରରେ ଗ୍ରେଡ୍ ୪ ଟନ୍‌ସିଲ୍ ଓ ଗ୍ରେଡ୍ ୩ ଆଡେନଏଡ୍ସ ସମସ୍ୟା ଥିବାର ଜଣାପଡ଼ିଥିଲା। ଯାହାକି ତା’ର ଶ୍ୱାସନଳୀକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରୁଥିଲା। ଅନେକ ଶିଶୁରୋଗ ବିଭାଗର ଡାକ୍ତର ଓ ଦୀର୍ଘ ସମୟ ଧରି ଚିକିତ୍ସା ପରେ ମଧ୍ୟ ତା’ର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା। 

ତା ସ୍ୱାସ୍ଥ୍ୟାବସ୍ଥା ଦେଖି ଡାକ୍ତର ପାଣିଗ୍ରାହୀ ତୁରନ୍ତ ଏଣ୍ଡୋସ୍କୋପିକ ପଦ୍ଧତିରେ ସାଧାରଣ ନିଶ୍ଚେତକ ବ୍ୟବହାରରେ ଆଡେନୋଡେକ୍ଟୋମି ସହିତ ହାର୍ମୋନିକ୍ ଟନ୍ସିଲେକ୍ଟୋମି ପ୍ରକ୍ରିୟା କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ଏହି ଅସ୍ତ୍ରୋପଚାର ଦ୍ୱାରା ଏଣ୍ଡୋସ୍କୋପିକ ପଦ୍ଧତି ମାଧ୍ୟମରେ ଆଡେନଏଡ୍ ଟିସ୍ୟୁକୁ ସମ୍ପୂର୍ଣ୍ଣ ମାତ୍ରାରେ ବାହାର କରାଯାଇଥାଏ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି। ଡେବ୍ରିଡରର ବ୍ୟବହାର ଏବଂ ଏଣ୍ଡୋସ୍କୋପିକ୍ ଦ୍ୱାରା ରୋଗୀର ଶରୀରରେ ଉନ୍ନତି ଘଟିଥାଏ ବୋଲି ସେ କହିଛନ୍ତି ।

ଏହି ଅସ୍ତ୍ରୋପଚାର ଏକ ବଡ଼ ସଫଳତା ଏବଂ ରୋଗୀ ବର୍ତ୍ତମାନ ସୁସ୍ଥ ଅଛି ଏବଂ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁନାହିଁ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି। 

ରୋଗୀ ସେବା ନିମନ୍ତେ ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରକ୍ରିୟା ଆପଣାଇବା ନେଇ ହସ୍ପିଟାଲ ପ୍ରସ୍ତୁତ ବୋଲି ସେ କହିଛନ୍ତି। ନ୍ୟୁରୋସର୍ଜରୀ ଅଥବା ଅଙ୍କୋଲୋଜି କିମ୍ବା ବର୍ତମାନର ଇଏନ୍‌ଟି ପ୍ରକ୍ରିୟା ସବୁ ଜଟିଳ ସମସ୍ୟା କ୍ଷେତ୍ରରେ ରୋଗୀଙ୍କୁ ସେବା ପ୍ରଦାନ ନିମନ୍ତେ ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ ବଦ୍ଧପରିକର ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.