ରାତି ଅଧରେ ୬ ଏମଏଲସି ବଦଳେଇ ଦେଲେ ପାର୍ଟି, ତେଲେଙ୍ଗାନାରେ ବଢୁଛି କଂଗ୍ରେସର ବଳ

Published By : Prameya-News7 Bureau | July 05, 2024 IST

ହାଇଦ୍ରାବାଦ ୫।୭: ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ବିଧାୟକଙ୍କ ଦଳ ବଦଳ ଜାରି ରହିଛି। ବିଆରଏସର ୬ ବିଧାନ ପରିଷଦ ସଦସ୍ୟ (ଏମଏଲସି) ଗୁରୁବାର ବିଳମ୍ବିତ ରାତ୍ରିରେ ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଉପସ୍ଥିତିରେ ଏମଏଲସିମାନେ କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସରେ ସାମିଲ ହୋଇଥିବା ଏମଏଲସିଙ୍କ ମଧ୍ୟରେ ଦାଣ୍ଡେ ଭିଟଲ, ଭାନୁ ପ୍ରସାଦ ରାଓ, ଏମଏସ୍ ପ୍ରଭାକର, ବି. ଦୟାନନ୍ଦ ଓ ଏ. ମଲ୍ଲେଶମ ଅଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଜୁନ ୨୮ ତାରିଖ ଦିନ ଚେଭେଲ୍ଲାରୁ ବିଆରଏସ୍ ବିଧାୟକ କେ.ୟାଦେୟା ପ୍ରଥମେ କଂଗ୍ରେସରେ ଯୋଗ ଦେଇଥିଲେ। ଏହା ପରେ ଗତ ରବିବାର ଜଗତିୟାଲରୁ ବିଆରଏସ ବିଧାୟକ ସଞ୍ଜୟ କୁମାର କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ସମସ୍ତଙ୍କ ପୂର୍ବରୁ ବିଆରଏସର ବରିଷ୍ଠ ନେତା ତଥା ପୂର୍ବତନ ବିଧାନସଭା ବାଚସ୍ପତି ପି.ଶ୍ରୀନିବାସ ରେଡ୍ଡୀ ଜୁନ ୨୧ ତାରିଖ ଦିନ କଂଗ୍ରେସରେ ଯୋଗ ଦେଇଥିଲେ। 

ସେହିପରି ବିଧାୟକ କେ.ଶ୍ରୀହରି, ଡି.ନାଗେନ୍ଦର ଓ ଟି. ଭେଙ୍କଟ ରାଓ କଂଗ୍ରେସର ହାତ ଧରିଥିଲେ। ହାଇଦ୍ରାବାଦ ମହାପୌର ବିଜୟଲକ୍ଷ୍ମୀ ଆର.ଗଡୱାଲଙ୍କ ସମେତ ଅନ୍ୟ ବିଆରଏସ୍ ନେତା ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଏଥିରେ ବିଆରଏସ୍  ଏମଏଲସି କଂଗ୍ରେସରେ ସାମିଲ ହେବା ବିଧାନ ପରିଷଦରେ କଂଗ୍ରେସର ଶକ୍ତି ବୃଦ୍ଧି କରିଛି। ୬ ଏମଏଲସି କଂଗ୍ରେସକୁ ଆସିଯିବା ପରେ ବିଧାନପରିଷଦରେ ଏବେ କଂଗ୍ରେସର ୧୦ ଏମଏଲସି ହୋଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.