ପୁରୀ ବେଳାଭୁମିରେ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କଲେ ରାଷ୍ଟ୍ରପତି, କହିଲେ ମିଳିଛି ଆତ୍ମତୃପ୍ତି

Published By : Prameya-News7 Bureau | July 08, 2024 IST

ଭୁବନେଶ୍ୱର ୦୮/୦୭: ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ । ମୁଁ ଆଜି ବେଳାଭୂମିରେ ଚାଲୁଥିଲା ବେଳେ ମନ୍ଦ ମନ୍ଦ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । 

ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି । ମୋର ମନେ ହେଲା, ମୁଁ ଯେମିତି ଧ୍ୟାମମଗ୍ନ ହୋଇଯାଇଛି । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାବେଳେ ମୁଁ ଯେଉଁ ପ୍ରଶାନ୍ତି ଲାଭ କରିଥିଲି, ଏହି ପରିବେଶରେ ମଧ୍ୟ ମୋର ଅନୁରୂପ ଅନୁଭୂତି ହେଲା । ମୋର ଯେ କେବଳ ଏପରି ଅନୁଭୂତି ଅଛି ତା’ ନୁହେଁ । 


ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଚି ହୁଏ । ଏହି ସତ୍ତା ଆମକୁ ଧରିରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ । ଦୈନନ୍ଦିନ ଜୀବନର ଧାଁ ଦଉଡ଼ ଭିତରେ ମଣିଷ, ପ୍ରକୃତି ମାଆ ଠାରୁ ଦୂରେଇ ଯାଉଛି ଏବଂ ପ୍ରକୃତିକୁ ନିୟନ୍ତ୍ରଣ କରିପାରିଛି ବୋଲି ବାହାସ୍ଫୋଟ ମାରୁଛି ତଥା ନିଜର ସାମୟିକ ସୁଖ ପାଇଁ ପ୍ରକୃତିକୁ ଶୋଷଣ କରିଚାଲିଛି । ଏହାର କୁପରିଣତି ଆମେ ସମସ୍ତେ ଭୋଗୁଛନ୍ତି । 


ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ବିଗତ କିଛି ବର୍ଷ ହେଲା, ସମଗ୍ର ପୃଥିବୀରେ ପାଣିପାଗ ଜନିତ ଘଟଣାସବୁ ଚରମ ସ୍ତରରେ ପହଞ୍ଚିଛି ଏବଂ ଏସବୁ ଘଟଣା ଏବେ ଅଧିକରୁ ଅଧିକ ଘଟିବାରେ ଲାଗିଛି । ଏପରିକି, ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଏବେଠୁ ଅନୁମାନ କରାଗଲାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.