‘ଆମେ ଭାଗ ଭାଗ ହୋଇଗଲେ, ସେମାନେ ଉତ୍ସବ କରିବେ’, କଂଗ୍ରେସକୁ ଉପରେ ଜୋରଦାର ବର୍ଷିଲେ ପିଏମ୍ ମୋଦୀ

Published By : Prameya-News7 Bureau | October 05, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରି ଏହାକୁ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ପାର୍ଟି ବୋଲି କହିଛନ୍ତି । ସେ କହିଛନ୍ତି ଯେ ଜମି ଲୁଟନ୍ତି, ମହିଳାଙ୍କ ସହ ଦୁର୍ବ୍ୟବହାର କରନ୍ତି ଏବଂ ଅର୍ବାନ ନକ୍ସଲଙ୍କୁ ସମର୍ଥନ କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ସକର୍ତ କରାଇ କହିଛନ୍ତି ଯେ ଯଦି ଆମେ ଭାଗ ଭାଗ ହୋଇଯିବା ତେବେ ଆମକୁ ବାଣ୍ଟିଥିବା ଲୋକ ଉତ୍ସବ ପାଳନ କରିବେ ।

ମହାରାଷ୍ଟ୍ରର ଠାଣେରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ପିଏମ୍ ମୋଦୀ କହିଛନ୍ତି, 'କଂଗ୍ରେସ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ଦଳ । ହରିୟାଣା କଂଗ୍ରେସର ଜଣେ ନେତା ଡ୍ରଗ୍ସ ସହ ଧରାପଡ଼ିଛି । ଏମାନେ ଶୋଷଣ କରିବା ପାଇଁ ନୂଆ ନୂଆ ଉପାୟ ଖୋଜନ୍ତି । ହିମାଚଳ ପ୍ରଦେଶରେ ତ’ ସେମାନେ ସବୁ ସୀମା ପାର୍ କରିଛନ୍ତି । ଶୌଚାଳୟ ଟ୍ୟାକ୍ସ ନାମକ ଏକ ନୂଆ ଟ୍ୟାକ୍ସ ପ୍ରସ୍ତାବ ଦେଇଛନ୍ତି, ଯାହା ଆଣ କଳ୍ପନା ବାହାରେ । ଗୋଟିଏ ପଟେ ମୁଁ ଶୌଚାଳୟ ଉପଲବ୍ଧ କରାଉଛି ଏବଂ ଅନ୍ୟପଟେ ସେମାନେ ଶୌଚାଳୟ ଉପରେ ଟ୍ୟାକ୍ସ ଲଗାଉଛନ୍ତି । ସେମାନେ ଜମି ଲୁଟନ୍ତି ଏବଂ ମହିଳାଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି । କଂଗ୍ରେସର ଆଜି ପର୍ଦ୍ଦାଫାସ ହୋଇଛି । ସେମାନେ ଅର୍ବାନ ନକ୍ସଲର ସଂଗଠନ ଚଲାଉଛନ୍ତି । କଂଗ୍ରେସ ଖୋଲା ଖୋଲି ଭାବେ ସେମାନଙ୍କ ସମର୍ଥନରେ ରହିଛି, ଯେଉଁମାନେ ଭାରତର ବିକାଶରେ ବାଧା ସୃଷ୍ଟି କରୁଛନ୍ତି ।' 

ପ୍ରଧାନମନ୍ତ୍ରୀ କହିଛନ୍ତି, 'ସେମାନେ ସମାଜକୁ ଭାଗ ଭାଗ କରି କ୍ଷମତାକୁ ଆସିବା ମିଶନରେ ଅଛନ୍ତି । ଇତିହାସରୁ ଆମକୁ ଶିକ୍ଷା ନେବାର ଅଛି । ଆମକୁ ଏକଜୁଟ୍ ରହିବାର ଅଛି । ଯଦି ଆମେ ଭାଗ ଭାଗ ହୋଇଯିବା, ତେବେ ସେମାନେ ଉତ୍ସବ ପାଳନ କରିବେ । ସେମାନେ ଯେଉଁଠାକୁ ଯାଉଛନ୍ତି, ସେଠାରେ ବିନାଶ ହେଉଛି । ସେମାନେ ହିଁ ଦେଶକୁ ଗରିବୀ ଭିତରକୁ ଠେଲି ଦେଇଥିଲେ । ତାଙ୍କ ସହ ମେଣ୍ଟ କରୁଥିବା ଦଳ ବି ତୁଷ୍ଟିକରଣ କଥା କହିବା ଆରମ୍ଭ କରନ୍ତି । କଂଗ୍ରେସ ସାବରକରଙ୍କୁ ଅପମାନିତ କରେ ।'

ପ୍ରଧାନମନ୍ତ୍ରୀ ମୋଦୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସର ବିଚାରଧାରା ଆରମ୍ଭରୁ ହିଁ ବିଦେଶୀ ରହିଛି । ସେ କହିଛନ୍ତି, 'ଇଂରେଜ ଶାସନ ପରି କଂଗ୍ରେସ ପରିବାର ମଧ୍ୟ ଦଳିତ, ପଛୁଆ, ଆଦିବାସୀଙ୍କୁ ନିଜ ସମକକ୍ଷ ବୋଲି ଭାବେ ନାହିଁ । ସେମାନେ ଭାବନ୍ତି ଯେ ଭାରତ ଉପରେ ଗୋଟିଏ ପରିବାର ଶାସନ ରହିବା ଦରକାର, କାରଣ ଇଂରେଜ ସେମାନଙ୍କୁ ଏହି ହକ୍ ଦେଇ ଯାଇଥିଲେ ।' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.