ଆସିବ ନୂଆ ନିୟମ: ଯେତିକି ସିନେମା ଦେଖିବେ ସେତିକିର ପଇସା ଦେବେ, ଅଧାରୁ ଉଠି ଆସିଲେ ଟଙ୍କା ଫେରସ୍ତ

Published By : Prameya-News7 Bureau | December 20, 2024 IST

internet

ନୂଆଦିଲ୍ଲୀ: ଟିକେଟ୍ କାଟି ହଲ୍‌ରେ ସିନେମା ଦେଖିଲା ବେଳେ ସିନେମା ଭଲ ନ ଲାଗିଲେ ଆମେ ଅଧାରୁ ଉଠି ଆସନ୍ତି। ହେଲେ ପଇସା କିନ୍ତୁ ପୂରା ଦେବାକୁ ପଡ଼େ। ସେତେବେଳେ ଇଚ୍ଛା ହୁଏ ଯେତିକି ଦେଖିଲି ସେତିକିର ପଇସା ନେଇଥାନ୍ତା ହେଲେ। ଆପଣଙ୍କ ଇଚ୍ଛା ଏବେ ପୂରା ହେବାକୁ ଯାଉଛି। କଥାଟି ଶୁଣି ଆଶ୍ଚର୍ଯ୍ୟ ହେଉଥିବା ନିଶ୍ଚୟ। ତେବେ ସତ। ଏବେ ଆପଣ ଯେତିକି ସିନେମା ଦେଖିବେ, କେବଳ ସେତିକିର ପଇସା ଦେବେ। ଭାରତର ପ୍ରତିଷ୍ଠିତ ଥିଏଟର କମ୍ପାନୀ ଆଇନକ୍ସ ଏବେ ଏଭଳି ସୁବିଧା ଆଣିବାକୁ ଯାଉଛି। 

ପେ ଫର ହ୍ୱାଟ୍ ୟୁ ୱାଚ୍ (ଯାହା ଦେଖିଲ ତା’ର ପଇସା ଦେବ) ମୋଡେଲ୍‌ରେ ଏହାକୁ ଲାଗୁ କରାଯିବ। ଯାହାକୁ କୁହାଯିବ ଫ୍ଲେକ୍ସି ଶୋ। ଏହାଦ୍ୱାରା ଗ୍ରାହକ ଯେ କୌଣସି ସମୟରେ ସିନେମା ହଲ୍ ଛାଡ଼ି ଯାଇପାରିବେ। ଏବଂ ସେ ଯେତିକି ଶୋ ଦେଖିଥିବେ କେବଳ ସେତିକିରେ ହିଁ ପଇସା ଦେବେ। 

ପିଭିଆର ଆଇନକ୍ସରେ ସିଇଓ ରିନୌଡ ପାଲିଏରେ ବିଜନେଶ ଷାଣ୍ଡାର୍ଡକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମନୋରଞ୍ଜନ କମ୍ପାନୀ ହିସବାରେ ଏଭଳି ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ତେବେ ଏହି ସୁବିଧା ପୂର୍ବରୁ କିଛି ଜାଗାରେ ପରୀକ୍ଷା ମୂଳକ ଭାବେ ଜାରି ରହିଛି। ଧୀରେ ଧୀରେ ଏହାର ସଫଳତାକ ଦେଖି କମ୍ପାନୀ ଭାରତରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ବିଚାର କରୁଛି। 

ପାଇଲଟ ପ୍ରୋଜେକ୍ଟ ଭାବେ ଏହା ଦିଲ୍ଲୀ ଏନ୍‌ସିଆର ଓ ଗୁରୁଗ୍ରାମରେ ଥିବା ଆଇନକ୍ସର କିଛି ସିନେମା ହଲ୍‌ରେ ଚାଲୁଛି। ଗ୍ରାହକ ଫ୍ଲେକ୍ସି ଶୋ’ ଅପସନ ବାଛି ଏହି ସୁବିଧାର ଲାଭ ଉଠାଇପାରିବେ। ତେବେ ଏହି ସୁବିଧା ପାଇଁ ଗ୍ରାହକଙ୍କୁ ଟିକେଟ୍‌ର ମୂଲ୍ୟ ଅତିରିକ୍ତ ୧୦ ପ୍ରତିଶତ ଦେୟ ଦେବାକୁ ପଡ଼ିବ ବୋଲି ରିନୌଡ ପାଲିଏରେ କହିଛନ୍ତି। 

ଏହି ସୁବିଧା ବିଷୟରେ ବର୍ଣ୍ଣାରନା କରି ରିନୌଡ ପାଲିଏରେ କହିଛନ୍ତି “ଆମେ ଅଡିଟୋରିୟମରେ କିଏ ବସିଛି ତାହା ଉପରେ ନଜର ରଖିବା ପାଇଁ ଆମେ ଉନ୍ନତ ଜ୍ଞାନକ କୌଶଳ ବ୍ୟବହାର କରିବୁ, ଯେପରିକି AI ଚାଳିତ ଭିଡିଓ ଆନାଲିଟିକ୍ସ। ଟିକେଟ୍ ତୁମର (ଦର୍ଶକଙ୍କ) ସିଟ୍ ସହିତ ଲିଙ୍କ୍ ହେବ। ତେଣୁ ତୁମେ କେବେ ଆସିବ ଏବଂ କେବେ ଯିବ ସିଷ୍ଟମ ଜାଣିଯିବ। କେବଳ ସେତିକି ନୁହେଁ ତୁମେ କେତେ ଚଳଚ୍ଚିତ୍ର ଦେଖିଲ ତାହା ହିସାବ କରିବ ଏବଂ ପୂର୍ବ ନିର୍ଦ୍ଧାରିତ ବ୍ରାକେଟ୍ ଉପରେ ଆଧାର କରି ତୁମର ଫେରସ୍ତ ନିର୍ଣ୍ଣୟ କରାଯିବ।

ଗ୍ରାହକ ଚାଲିଯିବା ପରେ ଆଉ କେତେ ମିନିଟର ଚଳଚ୍ଚିତ୍ର ବାକି ରହିଛି ତାକୁ ଆକଳନ କରି ରିଫଣ୍ଡ ହିସାବ କରାଯିବ। ଉଦାହରଣ ସ୍ୱରୂପ, ଯଦି ଚଳଚ୍ଚିତ୍ରର ୫୦ ପ୍ରତିଶତ ବାକି ରହିଥାଏ, ତେବେ ବ୍ୟକ୍ତି ୫୦ ପ୍ରତିଶତ ଫେରସ୍ତ ପାଇବ। ସେହିପରି ଯଦି ୨୫ ରୁ ୫୦ ପ୍ରତିଶତ ବାକି ରହିବ, ସେହି ୩୦ ପ୍ରତିଶତ ଫେରସ୍ତ ମିଳିବ। ଏବଂ ଯଦି ୫୦ ପ୍ରତିଶତରୁ ଅଧିକ ବାକି ଅଛି, ତେବେ ବ୍ୟକ୍ତି ୬୦ ପ୍ରତିଶତ ଫେରସ୍ତ ପାଇବେ।

ରିନୌଡ ପାଲିଏରେ ଆହୁରି କହିଚନ୍ତି ଯେ ଏପରି ବ୍ୟବସ୍ଥା ହେଲେ ଆମେ ଅଧିକରୁ ଅଧିକ ଗ୍ରାହକ ବଢ଼ାଇପାରିବୁ। ଯେଉଁମାନେ ନିର୍ଦ୍ଦିଷ୍ଟ ସିନ ବାରମ୍ବାର ଦେଖିବାକୁ ଆସୁଛନ୍ତି ସେମାନଙ୍କ ସଂଖ୍ୟା ବି ବଢ଼ିଯିବ। ବିଶେଷ କରି ଟାୟର-୧ ସହରରେ ଏହି ସୁବିଧା ଲାଗୁ କରାଯିବ ବୋଲି ରିନୌଡ ପାଲିଏରେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.