ନୋଏଡାରେ ଡେଭଲପମେଣ୍ଟ ସେଣ୍ଟର ତିଆରି କରିବ ମାଇକ୍ରୋସଫ୍ଟ, ମିଳିବ ୬ ହଜାର ଲୋକଙ୍କୁ ରୋଜଗାର

Published By : Prameya-News7 Bureau | December 20, 2024 IST

ନୂଆଦିଲ୍ଲୀ: ଟେକ୍ କମ୍ପାନି ମାଇକ୍ରୋସଫ୍ଟ ନୋଏଡାରେ ଏକ ଡେଭଲପମେଣ୍ଟ ସେଣ୍ଟର ଆରମ୍ଭ କରିବା ନେଇ ଯୋଜନା କରୁଛି। ଏହି ପ୍ରକଳ୍ପ ଆଇଟି କ୍ଷେତ୍ରରେ ପ୍ରାୟ ୬ ହଜାର ରୋଜଗାର ଅବସର ସୃଷ୍ଟି କରିବା ନେଇ ଆଶା କରାଯାଉଥିବାବେଳେ ଏହା ଆଞ୍ଚଳିକ ସ୍ତରରେ ମଧ୍ୟ ବିକାଶରେ ବେଶ୍ ସହାୟକ ହେବ। ରିପୋର୍ଟ ଅନୁଯାୟୀ, କମ୍ପାନି ୧୫ ଏକର ଜମିରେ ଏହି ସେଣ୍ଟର ତିଆରି କରିବ। ଏଥିପାଇଁ ଖର୍ଚ୍ଚ କରିବ ପ୍ରାୟ ୨ ହଜାର କୋଟି ଟଙ୍କା। ଏହି ଡେଭଲପମେଣ୍ଟ ସେଣ୍ଟରରେ ତିନିଟି ଟାଓ୍ବାର ବିଶିଷ୍ଟ ହେବ। ଯାହା ପରିବେଶ ଅନୁକୂଳ ଏବଂ ଆଧୁନିକ ସୁବିଧା ସହ ରହିବ।

ଏନେଇ ମାଇକ୍ରୋସଫ୍ଟ ନୋଏଡା ପ୍ରାଧିକରଣକୁ ଏକ ବିସ୍ତୃତ ନିର୍ମାଣ ଯୋଜନା ମଧ୍ୟ ଦେଇଛି। ଯୋଜନାକୁ ଦୁଇଟି ପର୍ଯ୍ୟାୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ତିନି ଟାଓ୍ବାର ଏବଂ ପାର୍କିଂ ଫେସିଲିଟ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟା କାର୍ଯ୍ୟ ସରିବ। ୨୦୨୭ ସୁଦ୍ଧା ଏହି ସେଣ୍ଟରକୁ ଚାଲୁ କରିବା ନେଇ କମ୍ପାନିର ଯୋଜନା ରହିଛି। ନୋଏଡା ପ୍ରାଧିକରଣ ଏହି ପ୍ରକଳ୍ପକୁ ମଞ୍ଜୁରୀ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଖୁବଶୀଘ୍ର ନିର୍ମାଣ ଆରମ୍ଭ ହେବାର ସମ୍ଭାବନା ରହିଛି। 

ସୂଚନାଯୋଗ୍ୟ, ମାଇକ୍ରୋସଫ୍ଟର ଏହି କେନ୍ଦ୍ର ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସଓ୍ବେ ନିକଟରେ ତିଆରି ହେବ। କାରଣ ଏଠାକୁ ଗମନାଗମନର ସବୁ ପ୍ରକାର ସୁବିଧା ରହିଛି। ଏହି ସ୍ଥାନ ଆକ୍ବା ମେଟ୍ରୋ ଲାଇନ ଏବଂ ଆଗାମୀ ନୋଏଡା ଇଣ୍ଟରନ୍ୟାସନାଲ ଏୟାରପପୋର୍ଟ ସହ ମଧ୍ୟ ଯୋଡ଼ି ହେବ । ଆହୁରି ମଧ୍ୟ ନୋଏଡା- ଗ୍ରେଟର ନୋଏଡା ଏକ୍ସପ୍ରେସ ଓ୍ବେରେ ପୂର୍ବରୁ ହିଁ ଅନେକ ଆଇଟି କମ୍ପାନି ଅଛନ୍ତି। ଯେଉଁମାନଙ୍କ ମଧ୍ୟରେ ଟିସିଏସ, ଏଚସିଏଲ ଏବଂ ଆଡୋବ ଭଳି ବିଦେଶୀ କମ୍ପାନି ମଧ୍ୟ ରହିଛି। 

ତେବେ ବଡ଼ କଥା ହେଲା ଏହି ଡେଭଲପମେଣ୍ଟ ସେଣ୍ଟର, ନୋଏଡାକୁ ଭାରତର ଆଇଟି ହବ୍‌ରେ ସାମିଲ କରିବାରେ ସାହାଯ୍ୟ କରିବ। କେବଳ ଯେ, ସ୍ଥାନୀୟ ସ୍ତରରେ ହିଁ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହି ସେଣ୍ଟର ଭାରତରେ ପ୍ରଯୁକ୍ତିର ବିକାଶକୁ ପ୍ରୋତ୍ସାହିତ କରିବ। ୬ ହଜାରରୁ ଅଧିକ ରୋଜଗାର ଅବସର ସୃଷ୍ଟି ହେବ। ଏହା ବାଦ, ୨ ହଜାର କୋଟି ଟଙ୍କାର ନିବେଶ ଆର୍ଥିକ ବିକାଶକୁ ଆହୁରି ଗତି ଦେବ। ମାଇକ୍ରୋସଫ୍ଟର ନିବେଶକଙ୍କ ମଧ୍ୟରେ ଥିବା ଅନେକ ବଡ଼ ଆଇଟି ଏବଂ ଅନ୍ୟ କମ୍ପାନି ମଧ୍ୟ ଆସିପାରନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.