ନୂଆଦିଲ୍ଲୀ: ବାବା ସାହେବ ଆମ୍ୱେଦକରଙ୍କୁ ଅପମାନ କରିଥିବା ଅଭିଯୋଗରେ ପ୍ରଦର୍ଶନ ବେଳେ ଶାସକ ଏବଂ ବିରୋଧୀ ସଂସଦ ପରିସରରେ ଠେଲାପେଲା ହୋଇଥିଲେ । ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଥିଲେ । ଦୁଇ ସାଂସଦ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବିଜେପି ଏହି ଘଟଣା ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛି । ଏହାସହ ରାହୁଲ ଗାନ୍ଧୀଙ୍କ ବିରୋଧରେ ସଂସଦ ମାର୍ଗ ଥାନାରେ ବିଜେପି ଅଭିଯୋଗ କରିଛି । ଏହାର ଜବାବରେ କଂଗ୍ରେସ ବି ସଂସଦ ମାର୍ଗ ଥାନାରେ ବିଜେପି ବିରୋଧରେ ଅଭିଯୋଗ କରିଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ସାମ୍ୱାଦିକ ସମ୍ମିଳନୀ କରି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଗୃହ ଭିତରେ କଂଗ୍ରେସ ଅସଭ୍ୟଙ୍କ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜାଣିଶୁଣି ସାଂସଦଙ୍କ ନିକଟକୁ ଆସିଥିଲେ । ଗୁଣ୍ଡାଙ୍କ ପରି ବ୍ୟବହାର କରୁଥିଲେ । ଏହି ମାମଲାରେ ବିଜେପି ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବ । ଏହାସହ ବିରୋଧୀ ଦଳ ନେତା ହେବା ପାଇଁ ରାହୁଲ ଗାନ୍ଧୀ ଯୋଗ୍ୟ ନୁହନ୍ତି ବୋଲି ସେ କହିଛନ୍ତି ।
ଶିବରାଜ ସିଂ ଚୌହାନ ଅଭିଯୋଗ କରିଛନ୍ତି, 'ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ କିଛି ସମୟ ପୂର୍ବରୁ ସାମ୍ୱାଦିକ ସମ୍ମିଳନୀ କରିଥିଲେ । ଆମେ ଭାବିଲୁ ଆଜିର ଘଟଣା ପାଇଁ ସେମାନେ କ୍ଷମା ମାଗିବେ । କିନ୍ତୁ ସେମାନେ ଏପରି କିଛି କଲେ ନାହିଁ । ସେମାନେ ସାମ୍ୱାଦିକ ସମ୍ମିଳନୀ କାହିଁକି କରିଥିଲେ ମୁଁ ବୁଝିପାରିଲି ନାହିଁ । ତାଙ୍କ ସାମ୍ୱାଦିକ ସମ୍ମିଳନୀରେ ଅଂହକାର ବାରି ହେଉଥିଲା । ତାଙ୍କ ବ୍ୟବହାର ଦେଖି ଆସୁଥିଲି । କିନ୍ତୁ ଆଜି ସେ (ରାହୁଲ ଗାନ୍ଧୀ) ଯାହା କରିଲେ, ତାହା ସଭ୍ୟ ସମାଜ ପାଇଁ କଳ୍ପନା ବାହାରେ ଅଟେ ।'
ଶିବରାଜ ସିଂହ ଚୌହାନ କହିଛନ୍ତି, 'ଆମ ସାଂସଦଙ୍କ ଥାନାରେ ଅଭିଯୋଗ କରିଛନ୍ତି । ବିଜେପି ଏହି ମାମଲାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବ । ରାହୁଲ ଗାନ୍ଧୀ ଗୁଣ୍ଡାଙ୍କ ପରି ବ୍ୟବହାର କରୁଥିଲେ । ଆମର ବରିଷ୍ଠ ସାଂସଦ ପ୍ରତାପ ଷଡ଼ଙ୍ଗୀ ତଳେ ପଡ଼ିଗଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ସେ ଆଇସିୟୁରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ସେ ବେହୋସ ଥିଲେ । ତାଙ୍କର ଏମଆରଆଇ ସ୍କାନ କରାଯାଉଛି । କଣ ସଂସଦରେ ତର୍କ ବଦଳରେ ବାହୁବଳ ପ୍ରୟୋଗ କରାଯିବ ? ଆମର ଆଦିବାସୀ ମହିଳା ସାଂସଦ ଫାଗନୋନ ଯାହା ବୟାନ ରଖିଛନ୍ତି, ତାହା ବି ମନକୁ ବ୍ୟଥିତ କରିଛି ।'