ନୂଆଦିଲ୍ଲୀ: ଅନୁପ୍ରବେଶ ଓ ଆପ୍ରବାସନ ରୋକିବା ଉଦ୍ଦେଶ୍ୟରେ ଲୋକସଭାରେ ମଙ୍ଗଳବାର ଇମିଗ୍ରେସନ୍ ଓ ଫରେନର୍ ବିଧେୟକ ୨୦୨୫ ଆଗତ କରାଯାଇଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଧେୟକ ଉପସ୍ଥାପନ କରି କହିଛନ୍ତି ଯେ ଏହି ବିଲ୍ର ଉଦ୍ଦେଶ୍ୟ କାହାକୁ ରୋକିବା ନୁହେଁ ବରଂ ଯେଉଁ ବିଦେଶୀ ଭାରତ ଆସିବେ ସେମାନେ ନିୟମ ଅନୁପାଳନ କରି ଆସନ୍ତୁ । କଂଗ୍ରେସ ସାସଂଦ ମନୀଷ ତିୱାରୀ ଓ ଟିଏମ୍ସି ସାଂସଦ ସୌଗତ ରାୟ ଏହି ବିଲ୍କୁ ବିରୋଧ କରିଥିଲେ ।
ଏହି ବିଧେୟକର ଉଦ୍ଦେଶ୍ୟ ଭାରତର ଇମିଗ୍ରେସନ୍ ନିୟମକୁ ଆଧୁନିକ କରିବା ଓ ଏହାକୁ ମଜଭୁତ କରିବା । ଏହି ବିଲ୍ ଭାରତକୁ ଆସୁଥିବା ଏବଂ ଏଠାରୁ ବାହାରକୁ ଯାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ପାସ୍ପୋର୍ଟ ବା ଅନ୍ୟ ଯାତ୍ରା ଦସ୍ତାବିଜର ଆବଶ୍ୟକତା ଓ ବିଦେଶୀଙ୍କ ସହ ଜଡ଼ିତ ମାମଲାକୁ ପରିଚାଳନା କରିବା ଶକ୍ତି କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ । ଏଥିରେ ଭିସା ଓ ପଞ୍ଜୀକରଣର ଆବଶ୍ୟକତା ଓ ଏହାସହ ଜଡ଼ିତ ମାମଲାକୁ ସାମିଲ କରାଯାଇଛି ।
ଇମିଗ୍ରେସନ୍ ସହ ଜଡ଼ିତ ଏହି ବିଧେୟକ ଦେଶର ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ବିଧେୟକରେ ଆଇନ ସ୍ଥିତି ପ୍ରମାଣିତ କରିବା ଦାୟିତ୍ୱ ରାଜ୍ୟ ପରିବର୍ତ୍ତେ ବ୍ୟକ୍ତିଙ୍କୁ ଦିଆଯାଇଛି । ଏହି ବିଧେୟକ ସ୍ପଷ୍ଟ ଭାବେ ଭାରତର ରାଷ୍ଟ୍ରୀୟ ସୁରକ୍ଷା, ଅଖଣ୍ଡତା ଓ ସାର୍ବଭୌମତ୍ୱ ପାଇଁ ବିପଦ ଥିବା ଯେକୌଣସି ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଉଛି । ଏହାସହ ସବୁ ବିଦେଶୀଙ୍କ ଅଗମନରେ ପଞ୍ଜୀକରଣ ଓ ସେମାନଙ୍କ ଯାତ୍ରା, ନାମ ପରିବର୍ତ୍ତନ ଓ ସଂରକ୍ଷିତ ବା ପ୍ରତିବନ୍ଧିତ ଅଞ୍ଚଳରେ ସେମାନଙ୍କ ପ୍ରବେଶ ଉପରେ ବ୍ୟାନ୍କୁ ଏହି ବିଲ୍ ବାଧ୍ୟତାମୂଳକ କରୁଛି । ଏହା ବ୍ୟତୀତ ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍ ଓ ନର୍ସିଂ ହୋମ୍ ପରି ସଂସ୍ଥାକୁ ଇମିଗ୍ରେସନ୍ ଅଧିକାରୀଙ୍କୁ ବିଦେଶୀ ନାଗରିକଙ୍କ ଉପସ୍ଥିତି ବାବଦରେ ସୂଚନା ଦେବାକୁ ପଡ଼ିବ ।
ପ୍ରସ୍ତାବିତ ଆଇନରେ ଇମିଗ୍ରେସନ୍ ନିୟମ ଉଲ୍ଲଂଘନ ପାଇଁ କଠୋର ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି । ଅବୈଧ ପାସପୋର୍ଟ ଓ ବିନା ଭିସାରେ ଭାରତରେ ବେଆଇନ ଭାବେ ପ୍ରବେଶ କଲେ ପାଞ୍ଚ ବର୍ଷ ଯାଏ ଜେଲ୍ ଓ ୫ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି । ଜାଲ୍ ଦସ୍ତାବିଜ ବ୍ୟବହାରକାରୀଙ୍କୁ ସାତ ବର୍ଷ ଯାଏ ଜେଲ୍ ଓ ଏକ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ଯାଏ ଜରିମାନା ଲାଗୁ ହୋଇପାରେ । ନିର୍ଦ୍ଧାରିତ ସମୟରୁ ଅଧିକ ସମୟ ଯାଏଁ ରହିଲେ, ଭିସା ସର୍ତ୍ତ ଉଲ୍ଲଂଘନ କଲେ କିମ୍ୱା ପ୍ରତିବନ୍ଧିତ ଅଞ୍ଚଳରେ ପ୍ରବେଶ ପରି ଅପରାଧ ପାଇଁ ତିନି ବର୍ଷ ଯାଏ ଜେଲ୍ ଓ ୩ ଲକ୍ଷ ଯାଏ ଜରିମାନା ହୋଇପାରେ ।