ଟ୍ରମ୍ପଙ୍କ ଦାବି ମିଛ, ଶୁଳ୍କ କମାଇବାକୁ ଆମେରିକାକୁ କୌଣସି ପ୍ରତିଶ୍ରୁତି ଦେଇନି ଭାରତ: କେନ୍ଦ୍ର ସରକାର

Published By : Prameya-News7 Bureau | March 11, 2025 IST

indiatoday

ନୂଆଦିଲ୍ଲୀ: ନିକଟରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଭାରତ ଆମ ଦାବିରେ ଶୁଳ୍କ କମାଇବାକୁ ରାଜି ହୋଇଛି। ଟ୍ରମ୍ପଙ୍କର ଏହି ବୟାନକୁ ନେଇ ଭାରତ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ଟ୍ରମ୍ପ ଆଗରେ ମୋଦୀ ସରକାର ମୁଣ୍ଡ ନଇଁଲେ ବୋଲି କୁହାଯାଉଥିଲା। ଘଟଣାରେ କିଛିଦିନ ନିରବ ରହିବା ପରେ ଭାରତ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଟାରିଫ କମ୍ କରିବା ପାଇଁ କୌଣସି ପ୍ରତିଶ୍ରୁତି ଦିଆଯାଇ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
ଭାରତ ଆମେରିକା ସହିତ ବାଣିଜ୍ୟ ଶୁଳ୍କ ହ୍ରାସ ପାଇଁ କୌଣସି ପ୍ରତିଶ୍ରୁତି ଦେଇନାହିଁ ବୋଲି ବାଣିଜ୍ୟ ସଚିବ ସୁନୀଲ ବର୍ଥୱାଲ ସୋମବାର ଏକ ସଂସଦୀୟ ପ୍ୟାନେଲକୁ ସୂଚନା ଦେଇଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ଆଲୋଚନା ଏପର୍ଯ୍ୟନ୍ତ ଜାରି ରହିଛି। କୌଣସି ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇ ନାହିଁ ବୋଲି ବାଣିଜ୍ୟ ସଚିବ ସ୍ପଷ୍ଟ କରିଛନ୍ତି।

ବର୍ଥୱାଲ କହିଛନ୍ତି “ଆମେରିକୀୟ ରାଷ୍ଟ୍ରପତିଙ୍କ ଦାବି ଏବଂ ଗଣମାଧ୍ୟମ ରିପୋର୍ଟ ଉପରେ କେହି ବିଶ୍ୱାସ କରିପାରିବେ ନାହିଁ। କାରଣ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଆଲୋଚନା ଏପର୍ଯ୍ୟନ୍ତ ଜାରି ରହିଛି। ଭାରତ ଆମେରିକାକୁ ବାଣିଜ୍ୟ ଶୁଳ୍କ ଉପରେ କୌଣସି ପ୍ରତିଶ୍ରୁତି ଦେଇ ନାହିଁ। ବାଣିଜ୍ୟିକ ମୁଲଚାଲ ବେଳେ ଦେଶର ସ୍ୱାର୍ଥ ସର୍ବୋପରି ହେବ।” ଭାରତ ମୁକ୍ତ ବାଣିଜ୍ୟ ସପକ୍ଷରେ ଥିଲା ଏବଂ ବାଣିଜ୍ୟର ଉଦାରୀକରଣ ଚାହୁଁଥିଲା, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ସଚିବ କହିଛନ୍ତି। 

ପଢନ୍ତୁ- ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ଆମେରିକାରେ ମିଳିଲାନି ଏଣ୍ଟ୍ରି: ଲସ୍‌ ଆଞ୍ଜେଲେସ୍‌ରୁ ତଡ଼ି ଦେଲା

ଭାରତ ଆମେରିକା ସହିତ ବାଣିଜ୍ୟ ବିସ୍ତାର କରିବାକୁ ଚାହୁଁଛି। କାରଣ ଟାରିଫ ଯୁଦ୍ଧ କାହାରି ସ୍ୱାର୍ଥ ପୂରଣ କରେ ନାହିଁ। ଏପରିକି ଏକ ମାନ୍ଦାବସ୍ଥା ମଧ୍ୟ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି। ସୁନୀଲ ବର୍ଥୱାଲ ସୋମବାର କହିଛନ୍ତି ଭାରତ ବାଛବିଚାର କରି ଶୁଳ୍କ ହ୍ରାସ କରିବ ନାହିଁ, ବିଶେଷକରି ଏହାର ଘରୋଇ ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଶୁଳ୍କ ହ୍ରାସ ହେବ ନାହିଁ। ଭାରତ ଜାତୀୟ ସ୍ୱାର୍ଥକୁ ବଜାୟ ରଖିବା ପାଇଁ ବହୁପାକ୍ଷିକ ଭାବରେ ନୁହେଁ ବରଂ ଦ୍ୱିପାକ୍ଷିକ ଭାବରେ ଶୁଳ୍କ ହ୍ରାସ ପାଇଁ ଆଲୋଚନା କରିବାକୁ ପସନ୍ଦ କରେ ବୋଲି ସେ କହିଛନ୍ତି।

ସେହିପରି କାନାଡ଼ା ଓ ମେକ୍ସିକୋ ଆମେରିକାକୁ ଦେଉଥିବା ଟକ୍କର ଭଳି ଭାରତ କାହିଁକି ଦେଉ ନାହିଁ ବୋଲି ପ୍ରଶ୍ନ କରିବାରୁ ଉତ୍ତରରେ ସୁନୀଲ ବର୍ଥୱାଲ କହିଛନ୍ତି ଆମେରିକା ସହିତ ଏହି ଦୁଇ ଦେଶର ସୀମା ବିବାଦ ରହିଛି। ତେଣୁ ଏଭଳି ସ୍ଥିତି ଉପୁଜୁଛି। ଭାରତ କେବଳ ସେହି ବ୍ୟବସାୟିକ ଏଗ୍ରୀମେଣ୍ଟରେ ସାଇନ୍ କରିବ ଯେଉଁଥିରେ ଦ୍ୱିପାଖିକ ଲାଭ ହେବ। 

ବାଣିଜ୍ୟ ସଚିବ ସୁନୀଲ ବର୍ଥୱାଲ 

ସୂଚନା ଥାଉକି, ହାଇ ଶୁଳ୍କକୁ ନେଇ ଟ୍ରମ୍ପ ସରକାର ବାରମ୍ବାର ଭାରତକୁ ସମାଲୋଚନା କରୁଛନ୍ତି। ଗତ ସପ୍ତାହରେ ସେ ଭାରତକୁ ଏକ୍ସପୋଜ୍ କରିଥିବା କଥା ମଧ୍ୟ କହିଥିଲେ । ଟ୍ରମ୍ପ କହିଥିଲେ “ଆପଣ ଭାରତରେ କିଛି ବିକ୍ରୟ କରିପାରିବେ ନାହିଁ, ଏହା ଏକପ୍ରକାର ପ୍ରତିବନ୍ଧକ। ସେମାନେ ରାଜି ହୋଇଛନ୍ତି, ସେମାନେ ଏବେ ସେମାନଙ୍କର ଶୁଳ୍କ ହ୍ରାସ କରିବାକୁ ଚାହୁଁଛନ୍ତି। କେହି ଜଣେ ଶେଷରେ ସେମାନଙ୍କ କୃତ କାର୍ଯ୍ୟର ପର୍ଦ୍ଦାଫାସ କରିଛି।” ତେବେ ମିଡିଆ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପ ଉଠାଉଥିବା ସମସ୍ୟାର ସମାଧାନ ପାଇଁ ଭାରତ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ସମୟ ମାଗିଛି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.