ନୂଆଦିଲ୍ଲୀ ୧୧।୦୩: ଦିନକୁ ଦିନ ବଢୁଛି ସୁନା ତସ୍କରୀ ବା ଚୋରା ଚାଲଣ ମାମଲା । ନିକଟରେ କନ୍ନଡ ଅଭିନେତ୍ରୀ ଏଥିରେ ଫସିଛନ୍ତି । ଏବେ ଅନେକଙ୍କ ମନରେ ପ୍ରଶ୍ନ ବିଦେଶରୁ ଭାରତକୁ କେତେ ସୁନା ଆଣିବା ନେଇ ରହିଛି ନିୟମ ? ଜାଣନ୍ତି କି ଭାରତରୁ ବିମାନରେ ସୁନା ଏବଂ ନଗଦ ଟଙ୍କା ବିଦେଶକୁ ନେବା ପାଇଁ ସ୍ଥିର କରାଯାଇଛି ନିୟମ ? ଆସନ୍ତୁ ଜାଣିବା ନିୟମଗୁଡ଼ିକ କ’ଣ...
ଯଦି ଆପଣ ପ୍ରାୟତଃ ଦେଶ ଭିତରେ କିମ୍ବା ବିଦେଶକୁ ବିମାନରେ ଯାତ୍ରା କରନ୍ତି, ତେବେ ସୁନାକୁ ନିଜ ସହ ନେବାକୁ ଚାହୁଁଛନ୍ତି ତେବେ ଏହି ନିୟମ ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଘରୋଇ ବିମାନରେ ଦେଶ ମଧ୍ୟରେ ଯାତ୍ରା କରୁଛନ୍ତି, ତେବେ ସୁନାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । କିନ୍ତୁ ଯଦି ଆପଣଙ୍କ ପାଖରୁ ଅଧିକ ପରିମାଣର ସୁନା ମିଳେ, ତେବେ CISF ଏବଂ ଆୟକର ଅଧିକାରୀମାନେ ପଚରାଉଚରା କରିପାରିବେ।
ଯଦି ଆପଣଙ୍କର ୫୦୦ ଗ୍ରାମରୁ ଅଧିକ ସୁନା ଅଛି, ତେବେ ଏହାର ସଠିକ୍ ବିଲ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ବିଲ୍ ବିନା ଅଧିକ ସୁନା ନେଇଯାଆନ୍ତି ତେବେ ଆୟକର ଅଧିକାରୀମାନେ ଏହାକୁ ଜବତ କରିପାରିବେ ଏବଂ ଆପଣଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିବ।
ଯଦି ଆପଣ ଭାରତରୁ ଅନ୍ଯ ଦେଶକୁ ସୁନା ନେଇ ଯାଉଛନ୍ତି, ତେବେ ସେଠାକାର ନିୟମ ଭିନ୍ନ ରହିଥାଏ । ତେଣୁ ଯିବା ପୂର୍ବରୁ ସେହି ଦେଶର କଷ୍ଟମ ନିୟମ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଚେତ୍ ସୁନା ଜବତ କରାଯିବା ସହ ଦେବାକୁ ପଡିଥାଏ ଜରିମାନା ।
ଘରୋଇ ବିମାନରେ ଯାତ୍ରା କରିବା ସମୟରେ ନଗଦ ୫୦ ହଜାର ଟଙ୍କା ନେଇପାରିବେ । ଅଧିକ ନେଲେ ଆପଣଙ୍କୁ ଏହାର ଉତ୍ସ ଦେବାକୁ ପଡିବ । ସଠିକ୍ ଉତ୍ସ ପ୍ରକାଶ ନ କରାଯାଏ, ତେବେ ଏହାକୁ ଜବତ କରାଯିବ । ଯଦି ନଗଦ ୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ କଷ୍ଟମ୍ସ ବିଭାଗ ଏହାର ତଦନ୍ତ କରିପାରିବ ଏବଂ ସେଠାରେ ମଧ୍ୟ ଟଙ୍କା କେଉଁଠୁ ଆସିଲା ତାର ଉତ୍ତର ଦେବାକୁ ପଡିବ ।
ଯଦି କେହି ଭାରତରୁ ବିଦେଶକୁ ନଗଦ ଟଙ୍କା ନେବାକୁ ପଡ଼େ, ତେବେ ଯେକୌଣସି ଭାରତୀୟ ଯାତ୍ରୀ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଦେଶୀ ମୁଦ୍ରା ନେଇପାରିବେ । ଯଦି କେହି ଏହାଠାରୁ ଅଧିକ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ RBI ଠାରୁ ଅନୁମତି ନେବାକୁ ପଡିବ।