ମହାକୁମ୍ଭର ପବିତ୍ର ଜଳ, ବାରାଣସୀ ଶାଢ଼ି...ମରିସସ୍ ରାଷ୍ଟ୍ରପତିଙ୍କୁ ଖାସ୍ ଉପହାର ଦେଲେ ପିଏମ୍ ମୋଦୀ

Published By : Prameya-News7 Bureau | March 11, 2025 IST

ନୂଆଦିଲ୍ଲୀ: ଭାରତ ଓ ମରିସସ୍ ମଧ୍ୟରେ ଐତିହାସିକ ସମ୍ୱନ୍ଧକୁ ଅଧିକ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱୀପଦେଶ ଗସ୍ତରେ ଅଛନ୍ତି । ମରିସସ୍ ରାଷ୍ଟ୍ରପତି ଧରମ ଗୋଖୁଲ ଓ ତାଙ୍କ ପତ୍ନୀଙ୍କୁ ବିଶିଷ୍ଟ ଭାରତୀୟ ଉପହାର ବି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଗୋଖୁଲଙ୍କୁ ମହାକୁମ୍ଭର ପବିତ୍ର ସଙ୍ଗମ ଜଳ ଓ ବିହାରର ସୁପରଫୁଡ୍ ମଖାନା ଭେଟି ଦେଇଛନ୍ତି । ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ବାରଣାସୀ ଶାଢ଼ି ଉପହାରରେ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ମରିସସ୍ ରାଷ୍ଟ୍ରପତି ଗୋଖୁଲଙ୍କୁ ମହାକୁମ୍ଭ ଜଳକୁ ଏକ କଂସା ଓ ପିତ୍ତଳ କଳସରେ ଦେଇଛନ୍ତି । ଏହା ଭାରତୀୟ ସଂସ୍କୃତି ଓ ଧାର୍ମିକତାର ପ୍ରତୀକ ଅଟେ । ଏହି ପବିତ୍ର ଜଳରୁ ମହାକୁମ୍ଭ ପରି ବିଶାଳ ଧାର୍ମିକ ଆୟୋଜନରୁ ଅଣାଯାଇଛି, ଯାହା ଭାରତୀୟ ହିନ୍ଦୁ ପରମ୍ପରାରେ ଅତ୍ୟଧିତ ଗୁରୁତ୍ୱ ରଖୁଛି । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ମରିସସ୍ ରାଷ୍ଟ୍ରପତିଙ୍କୁ ବିହାରର ପ୍ରସିଦ୍ଧ ସୁପରଫୁଡ୍ ମଖାନା ଭେଟି ଦେଇଛନ୍ତି । ମଖାନା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବିଶେଷ କରି ଭାରତର ବିହାର ରାଜ୍ୟରେ ଏହାକୁ ଉତ୍ପାଦନ କରାଯାଇଥାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ହିତକର । ଏହି ଉପହାର ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ଓ ଆର୍ଥିକ ସମ୍ପର୍କକୁ ପ୍ରଗାଢ କରିବ ।

ମରିସସ୍ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଶିଳ୍ପ କଳାର ଉତ୍କୃଷ୍ଟତାର ପ୍ରତୀକ ରୂପେ ଏକ ବାରାଣସୀ ଶାଢ଼ି ଭେଟି ଦେଇଛନ୍ତି । ଏହି ଶାଢି ବାରାଣସୀ ଶିଳ୍ପକଳାକୁ ଦର୍ଶାଉଛି, ଯେଉଁଥିରେ ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରାଯାଇଛି । ଶାଢ଼ିର ରୟାଲ ବ୍ଲୁ ରଙ୍ଗ ଓ ରୁପା ଜରିରେ ଡିଜାଇନ୍ ଏହାକୁ ଅଧିକ ଆକର୍ଷଣୀୟ କରୁଛି ।

ଏହା ପୂର୍ବରୁ ପ୍ରାୟ ଏକ ଦଶନ୍ଧି ପରେ ମରିସସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିମାନ ବନ୍ଦରରେ ଭଗ୍ୟ ସ୍ୱାଗତ ଜଣାଯାଇଥିଲା । ପିଏମ୍ ମୋଦୀ ଶେଷ ଥର ପାଇଁ ୨୦୧୫ ମସିହାରେ ମରିସସ୍ ଯାତ୍ରା କରିଥିଲେ । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମକକ୍ଷ ରାମଗୁଲାମ ଓ ଅନ୍ୟ ନେତାମାନେ ସ୍ୱାଗତ ଜଣାଇଥିଲେ ।   

ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଅତିଥି ଭାବେ ମରିସସ୍ ରାଷ୍ଟ୍ରୀୟ ଦିବସରେ ଯୋଗ ଦେବେ । ସମାରୋହରେ ଭାରତୀୟ ନୌସେନାର ଏକ ଜାହାଜ ସହ ଭାରତୀୟ ପ୍ରତିରକ୍ଷା ବଳର ଏକ ୟୁନିଟ୍ ସାମିଲ ହେବ । ଏହି ଗସ୍ତରେ ସେ ମରିସସ୍ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ । 

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.