ଭୁବନେଶ୍ବର ୨୦।୧୨: ଆସିବ ନୂଆ କୃଷି ନୀତି । ଜୈବିକ କୃଷି ଉପରେ ଦିଆଯିବ ଅଧିକ ଗୁରୁତ୍ଵ । ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଇବା ପାଇଁ ବ୍ୟବସ୍ଥା କରିବେ ସରକାର । ଏଥିପାଇଁ ଡେଡିକେଟେଡ୍ କାର୍ଗୋ ଫ୍ଲାଇଟ୍ ବ୍ୟବହାର ହେବା ଦରକାର । ଯେଉଁଥି ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି ନୂଆ କୃଷି ନୀତି । "ଆଡଭାସିଂ ଇନକ୍ଲୁସିଭ ଏଗ୍ରିକଲଚରାଲ ଟ୍ରାନ୍ସଫର୍ମେସନ ଇନ୍ ଓଡ଼ିଶା" ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଦ୍ଵାରା ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି । ତେଣୁ ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଜୈବିକ କୃଷି ପ୍ରତି ଚାଷୀ ମାନଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ । ଚାଷୀଙ୍କୁ ନିରନ୍ତର ଜଳସେଚନ ସୁବିଧା ଯୋଗାଇ ଦେଲେ ସେମାନଙ୍କ ଉତ୍ପାଦନ ବଢ଼ିବା ସହ ଆୟ ବୃଦ୍ଧି ପାଇବ । ଏହାଦ୍ବାରା ଦାଦନ ସମସ୍ୟା ମଧ୍ୟ ଦୂର ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ସରକାର ଗାଈ, ଛେଳି, କୁକୁଡ଼ା ଆଦି ଚାଷୀଙ୍କୁ ଯୋଗାଇ ଦେଉଛନ୍ତି । କିନ୍ତୁ ସେମାନେ ସେଗୁଡିକୁ ବିକ୍ରି କରିଦେଉଛନ୍ତି । ତେଣୁ ଚାଷୀଙ୍କୁ ପଶୁ ସମ୍ପଦ ଉତ୍ପାଦନ ବୃଦ୍ଧି ପାଇଁ ସଚେତନ କରିବାକୁ ପଡ଼ିବ । ତେଣୁ କୃଷି ସମ୍ବନ୍ଧିତ ସବୁ ବିଭାଗର ମିଳିତ ଉଦ୍ୟମରେ ନୂଆ କୃଷି ନୀତି ଆଣିବେ ସରକାର । ଯେଉଁଥି ପାଇଁ IFPRI, CGARI ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳାରେ ବିଶେଷଜ୍ଞ ମାନଙ୍କ ମତାମତ ନିଆଯାଇଛି । କର୍ମଶାଳାରେ ବିଭିନ୍ନ ଦେଶ ଏବଂ ଗବେଷଣା ସଂସ୍ଥାରୁ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ
You Can Read: