ନୂଆଦିଲ୍ଲୀ ୨୦।୧୨: ରିୟଲ ଇଷ୍ଟେଟ୍ କମ୍ପାନୀଙ୍କ ସଙ୍ଗଠନ ‘କ୍ରେଡାଇ’ ସରକାରଙ୍କୁ ଏଫଏସଆଇ ଚାର୍ଜ ଉପରେ ୧୮ ପ୍ରତିଶତ ଜିଏସଟି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିବେଦନ କରିଛି। ସଙ୍ଗଠନ କହିଛି ଯେ ଏହା ଦ୍ୱାରା ଘର ମୂଲ୍ୟରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଏଣୁ ଲୋକଙ୍କ ଘର କିଣିବା ପାଇଁ ଚାହିଦା ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ ଓ ମଧ୍ୟମ ବର୍ଗର ପରିବାରଙ୍କ ଘର ସ୍ୱପ୍ନ ଚୁରମାର ହୋଇଯାଇ ପାରେ। କାରଣ ସେମାନଙ୍କ ପାଇଁ ଘର କିଣିବା ଆହୁରି ମହଙ୍ଗା ହୋଇଯିବ।
ଫ୍ଲୋର ସ୍ପେସ୍ ଇଣ୍ଡେକ୍ସ (ଏଫଏସଆଇ) କୌଣସି ଜମି ଉପରେ ଅଧିକତମ ନିର୍ମାଣ କ୍ଷେତ୍ର ଓ ଭୂଖଣ୍ଡ କ୍ଷେତ୍ରର ଅନୁପାତକୁ ଦର୍ଶାଇଥାଏ। ଯଦି କୌଣସି ଡେଭଲପର ସ୍ୱୀକୃତ ଏଫଏସଆଇ ସୀମାରୁ ଅଧିକ ନିର୍ମାଣ କରନ୍ତି ତେବେ ତାଙ୍କୁ ସ୍ଥାନୀୟ ନଗର ନିଗମ ବା ବିକାଶ ପ୍ରାଧିକରଣଙ୍କୁ ଚାର୍ଜ ଦେବାକୁ ପଡିବ। କ୍ରେଡାଇର କହିବା କଥା ହେଉଛି ଏଫଏସଆଇ ଚାର୍ଜ ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବା ଯୋଗୁ ନିର୍ମାଣ ବ୍ୟୟ ବଢିଯିବ। ଏଣୁ ଶସ୍ତା ଆବାସୀୟ ପ୍ରକଳ୍ପର ମୂଲ୍ୟ ମଧ୍ୟ ବଢିଯିବ।
କ୍ରେଡାଇ ଏହା ମଧ୍ୟ କହିଛନ୍ତି ଯେ ଯଦି ସରକାର ନିୟମକୁ ପୁରୁଣା ତାରିଖରୁ ଲାଗୁ କରନ୍ତି ତେବେ ଡେଭଲପରଙ୍କ ଉପରେ ଆର୍ଥିକ ବୋଝ ବଢିଯିବ ଓ ଅନେକ ପ୍ରକଳ୍ପକୁ ମଝିରେ ଅଟକାଇ ଦେବାକୁ ପଡିବ। ଏଥିରେ ଘର କ୍ରେତା ଯେଉଁମାନେ ପୂର୍ବରୁ ନିବେଶ କରିଛନ୍ତି ସେମାନଙ୍କର କ୍ଷତି ହେବ ଓ ସେମାନଙ୍କ ସଞ୍ଚୟ ଉପରେ ମଧ୍ୟ ପ୍ରଭାବ ପଡିବ। କ୍ରେଡାଇର ଜାତୀୟ ସଭାପତି ବୋମନ ଇରାନୀ କହିଛନ୍ତି ଯେ ଏଫଏସଆଇ ଚାର୍ଜ କୌଣସି ନିର୍ମାଣ ପ୍ରକଳ୍ପ ବାବଦ ବ୍ୟୟର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯିବା ଘରର ଯୋଗାଣ ଓ ଚାହିଦା ଉଭୟ ଉପରେ ନକରାତ୍ମକ ପ୍ରଭାବ ପକାଇବ।
ସଙ୍ଗଠନ ଏହା ବି ଉଲ୍ଲେଖ କରିଛି ଯେ ପ୍ରଥମରୁ କଞ୍ଚାମାଲ ଓ ମୂଲ୍ୟ ବୃଦ୍ଧି ନିର୍ମାଣ ବାବଦ ବ୍ୟୟକୁ ବୃଦ୍ଧି କରିଛି। ଏଥିରେ ଯଦି ଏଫଏସଆଇ ଚାର୍ଜ ଉପରେ ଜିଏସଟି ଲାଗୁ ହୁଏ ତେବେ ସୁଲଭ ମୂଲ୍ୟ ଆବାସିକ ଯୋଜନାର ମୂଲ୍ୟ ଆହୁରି ବଢିଯିବ। ଫଳରେ ମଧ୍ୟମ ବର୍ଗୀୟ ପରିବାର ଘର କିଣାରୁ ଦୂରେଇ ଯାଇ ପାରନ୍ତି।