୭ ହଜାର କୋଟିର ବେହିସାବ ବିବାହ ଖର୍ଚ୍ଚର ହିସାବ ଖୋଜୁଛି ଆୟକର ବିଭାଗ: ମହଙ୍ଗା ବିବାହ କରୁଥିଲେ ସାବଧାନ !

Published By : Prameya-News7 Bureau | December 20, 2024 IST

internet

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ବିବାହ ମହଙ୍ଗା ହୋଇଯାଇଛି। କୋଟି କୋଟି ଟଙ୍କା କେବଳ ବିବାହ ଉତ୍ସହରେ ଖର୍ଚ୍ଚ ହେଉଛି। ଆମେରିକା, ଇଂଲଣ୍ଡ ଭଳି ଭାରତୀୟ ଲୋକମାନେ ମଧ୍ୟ ବିଦେଶ ଯାଇ ବାହାଘର ଆୟୋଜନ କରୁଛନ୍ତି। ପ୍ରାଇଭେଟ୍ ଜେଟରେ ଗେଷ୍ଟ ଆସିବା, ବଲଉଡ ଷ୍ଟାର୍ ଯୋଗ ଦେବା, ସାଜସଜା ଓ ମହଙ୍ଗା ଭୋଜିରେ ବିବାହ ବଜେଟ୍ ହଜାର ହଜାର କୋଟି ପାର ହୋଇଯାଉଛି। ସବୁଠାରୁ ବଡ଼ କଥା ହେଲା ଏହି ବିବାହରେ ଖର୍ଚ୍ଚ ହେଉଛି ଦୁର୍ନୀତି ଖୋରଙ୍କର ପୁଳା ପୁଳା କଳା ଟଙ୍କା। ଯାହା ଏବେ ଆୟକର ବିଭାଗର ସ୍କାନରରେ। 

ଭାରତରେ ଗତବର୍ଷ ହୋଇଥିବା ବିବାହରେ ୭,୫୦୦ କୋଟି ଟଙ୍କାର ବେହିସାବ ଖର୍ଚ୍ଚ ହୋଇଛି। ଯାହାର ଟେର୍ ପାଉନି ଆୟକର ବିଭାଗ। ଏଥିପାଇଁ ବିଭିନ୍ନ ସ୍ଥାନରେ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏନେଇ ଜାତୀୟ ଗଣମାଧ୍ୟମ ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି। ତେଣୁ ଏଥର ମହଙ୍ଗା ବାହାଘର କରୁଥିଲେ ଆପଣ ବି ସାବଧାନ ହୋଇଯାଆନ୍ତୁ। କାରଣ ବାହାଘର ଖର୍ଚ୍ଚ ଉପରେ ଏବେ ଆୟକର ବିଭାଗର କଡ଼ା ନଜର ରହିଛି। 

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ରାଜସ୍ଥାନ ଜୟପୁରରେ ୨୦ ଟପ୍ ୱେଡିଂ ପ୍ଲାନର୍ସଙ୍କ ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଆଇଟି ବିଭାଗକୁ ଖବର ମିଳି ଯେ ଗତବର୍ଷ(୨୦୨୩)ରେ ହୋଇଥିବା ବାହାଘର ଆୟଜନରେ ପାଖାପାଖି ୭,୫୦୦ କୋଟି ଖର୍ଚ୍ଚ କରାଯାଇଛି। ଯାହାର କୌଣସି ହିସାବ ନାହିଁ। 

ବାସ୍ତବରେ, ଦେଶର ଧନୀ ଲୋକମାନେ ଭବ୍ୟ ବିହାର ଉତ୍ସବ ଆୟୋଡନ କରିବାକୁ ପସନ୍ଦ କରୁଛନ୍ତି। ଏବଂ ଏହାର ସୁଯୋଗ ନେଇ ସେମାନେ କଳା ଟଙ୍କାକୁ ଧଳାରେ ପରିଣତ କରିବାରେ ସଫଳ ହେଉଛନ୍ତି। ଇକୋନୋମିକ୍ ଟାଇମ୍ସର ଖବର ଅନୁଯାୟୀ, ଏହି ସପ୍ତାହରୁ ଆରମ୍ଭ ହୋଇଥିବା ଚଢ଼ାଉ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଜାରି ରହିପାରେ। ବିବାହରେ ଖର୍ଚ୍ଚ ହୋଇଥିବା ଅର୍ଥର ୫୦ ରୁ ୬୦ ପ୍ରତିଶତ ୱେଡିଂ ପ୍ଲାନର୍ସଙ୍କ ମାଧ୍ୟମରେ ଖର୍ଚ୍ଚ ହୋଇଥାଏ। ତେଣୁ ହେଉଥିବା ଏହି ଚଢ଼ାଉରେ ୱେଡିଂ ପ୍ଲାନର୍ସଙ୍କ ସହିତ ହୋଇଥିବା ନଗଦ କାରବାରକୁ ଯାଞ୍ଚ କରାଯିବ।  

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖୁବ୍ ଶୀଘ୍ର ବିଦେଶରେ ଆୟୋଜିତ ବିବାହରେ ଖର୍ଚ୍ଚ ହୋଇଥିବା ଅର୍ଥର ମଧ୍ୟ ଯାଞ୍ଚ କରାଯିବ। ଏହି ବିବାହରେ ଅତିଥି ଏବଂ ତାରକାମାନଙ୍କୁ ଚାର୍ଟାର୍ଡ ବିମାନରେ ବିଦେଶକୁ ନିଆଯାଉଛି। ତେଣୁ ଆୟକର ବିଭାଗ ବାହାଘରରେ ହୋଇଥିବା ଖର୍ଚ୍ଚର ତୁଳନା ଆସିଥିବା ଅତିଥି ଓ ଆୟୋଜନକୁ ନେଇ ହିସାବ କରିବ। ସେହିପରି ଖାଇବା ପିଇବା ଯୋଗାଉଥିବା କମ୍ପାନୀଙ୍କୁ ମଧ୍ୟ ତଦନ୍ତ ପରିସରରକୁ ଅଣାଯିବ। 

ବିଦେଶରେ ବିବାହ ଖର୍ଚ୍ଚ କରୁଥିବା ଲୋକମାନେ ଟିକସ କିମ୍ବା ଫେମା ଆଇନର ଉଲ୍ଲଂଘନ କରୁଛନ୍ତି ବୋଲି କ୍ୱଚିତ୍ ଜାଣିଥାଇପାରନ୍ତି। ତେବେ ବିଦେଶକୁ ଟ୍ରାନ୍ସଫର ହୋଇଥିବା ଟଙ୍କା ରିଜର୍ଭ ବ୍ୟାଙ୍କର ଲିବରାଲାଇଜଡ୍ ରିମିଟାନ୍ସ ସ୍କିମ୍ (LRS) ର ସୀମା ଅତିକ୍ରମ କରିଛି ବୋଲି ଯଦି ସନ୍ଦେହ ହୁଏ ତେବେ ଏହି ବାହାଘର ଆଇଟି ନଜରକୁ ଆସିପାରେ। 

ଜଣେ ଆୟକର ବିଭାଗର ଅଧିକାରୀ କହିଛନ୍ତି ଯେ ବଡ଼ ବିବାହ ଆୟୋଜନ କରୁଥିବା ଲୋକମାନେ ନିଜ ସହରର ବଡ଼ ଇଭେଣ୍ଟ ପ୍ଲାନର୍ସଙ୍କ ସହ ଯୋଗାଯୋଗ କରନ୍ତି। ତା’ପରେ ଏମାନେ ରାଜସ୍ଥାନର ଇଭେଣ୍ଟ ପ୍ଲାନର୍ସଙ୍କ ସହିତ ଯୋଗାଯୋଗ କରିବା ପରେ ସେମାନେ ବିବାହର ଆୟୋଜନ କରନ୍ତି। ଏଥିରେ ହୋଟେଲ, ଟେଣ୍ଟ ହାଉସ୍, କ୍ୟାଟରିଂ କମ୍ପାନୀ, ଫୁଲ ଦୋକାନ ଏବଂ ସେଲିବ୍ରିଟି ମ୍ୟାନେଜର ମଧ୍ୟ ସାମିଲ୍ ରହିଥାଏ। 

ଇଭେଣ୍ଟ ମ୍ୟାନେଜରମାନେ ଗ୍ରାହକଙ୍କ ସୁବିଧା ଅନୁଯାୟୀ ସହଜରେ ନଗଦ ନିଅନ୍ତି। ବାସ୍ତବରେ, ୱେଡିଂ ପ୍ଲାନର୍ସ ସମସ୍ତ ଖର୍ଚ୍ଚ ନଗଦରେ କରିପାରିବେ ନାହିଁ। ତେଣୁ, ପେମେଣ୍ଟକୁ ଭ୍ୟାଲିଡ୍ କରିବାକୁ, ତୃତୀୟ ପକ୍ଷ ଅପରେଟର ବ୍ୟବହାର କରାଯାଏ। ଏଥିରେ ଚେକ୍ ଏବଂ ବ୍ୟାଙ୍କିଙ୍ଗ୍ ଚ୍ୟାନେଲ ମାଧ୍ୟମରେ ପେମେଣ୍ଟ କରିବାକୁ ପଡ଼େ। 

ଏହିଭଳି ନେଣଦେଣକୁ ସଠିକ୍ ଦର୍ଶାଇବା ପାଇଁ ବ୍ୟବହାର କରାଯଉଥିବା ଫର୍ଜି ବିଲକୁ ଯାଞ୍ଚ କରିବା ପରେ ଦୁର୍ନୀତି ସମ୍ପର୍କରେ ଜଣାପଡ଼ିଥିଲା। ଏହି ଅପରେଟରମାନେ ୱେଡିଂ ପ୍ଲାନରଙ୍କ ଠାରୁ ନଗଦ ବଦଳରେ ହୋଟେଲ ଏବଂ କ୍ୟାଟରିଂ କମ୍ପାନୀଗୁଡିକୁ ବିଲ୍ ପ୍ରଦାନ କରନ୍ତି। ଜିଏସ୍‌ଟି ନମ୍ବର ଥିବା ସଂସ୍ଥାଗୁଡ଼ିକ ଦ୍ୱାରା ଏହି ବିଲ୍ ପ୍ରସ୍ତୁତ କରାଯାଏ। ତେଣୁ ଏଭଳି ସ୍ଥିତିରେ ଅନେକ ଖର୍ଚ୍ଚ ବିନା ହିସାବରେ କରାଯାଉଛି ବୋଲି ଆୟକର ବିଭାଗ କହିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.