ନୂଆଦିଲ୍ଲୀ: ସଂସଦ ପରିସରରେ ଗୁରୁବାର ହୋଇଥିବା ଧସ୍ତାଧସ୍ତିକୁ ନେଇ ବିବାଦ ଜାରି ରହିଛି । ବିଜେପି ଏବଂ କଂଗ୍ରେସ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଠେଲାପେଲାରେ ବିଜେପିର ଦୁଇ ସାଂସଦ ଆହତ ହୋଇଥିଲେ । ଘଟଣାକୁ ନେଇ ବିଜେପି ନେତାଙ୍କ ଅଭିଯୋଗ ଆଧାରରେ ସଂସଦ ମାର୍ଗ ପୋଲିସ ଥାନା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ବିଜେପି ସଦସ୍ୟଙ୍କ ବିରୋଧରେ ଅଭିଯୋଗ କରିଥିଲା । ଏବେ ଏହି ଦୁଇ ମାମଲାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ । ଦିଲ୍ଲୀ ପୋଲିସ ଦୁଇ ମାମଲାକୁ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିଛି ।
ଦିଲ୍ଲୀ ପୋଲିସ ଶୁକ୍ରବାର କହିଛି ଯେ ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ବିଜେପି ଏବଂ କଂଗ୍ରେସ କରିଥିବା ଅଭିଯୋଗର ତଦନ୍ତ କରିବା ସହ ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ଏଫଆଇଆର ବି ତଦନ୍ତ ଦାୟିତ୍ୱ କ୍ରାଇମ୍ ବ୍ରାଞ୍ଚକୁ ଦିଆଯାଇଛି । କ୍ରାଇମ୍ ବ୍ରାଞ୍ଚ ଦୁଇ ଆହତ ସାଂସଦଙ୍କ ବୟାନ ରେକର୍ଡ କରିବା ସହ ଘଟଣା ସମୟରେ ସୁଟ୍ ହୋଇଥିବା ବିଭିନ୍ନ ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରିପାରେ ।
ଲ୍ଲେଖଯୋଗ୍ୟ ଯେ ଗୁରୁବାର ସକାଳେ ସଂସଦ ପରିସରରେ ଆମ୍ୱେଦକରଙ୍କୁ ଅପମାନିତ କରିବା ଅଭିଯୋଗରେ ଉଭୟ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ କଥିତ ରୂପେ ହୋଇଥିବା ଠେଲାପେଲାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଥିଲେ । ବିଜେପି ସାଂସଦଙ୍କୁ ରାହୁଲ ଗାନ୍ଧୀ ଧକ୍କା ଦେଇଥିବା ଅଭିଯୋଗ ହୋଇଥିଲା ।
ଥାନାରେ ଏତଲା ଦେବା ପରେ ବିଜେପି ସାଂସଦ ଅନୁରାଗ ଠାକୁର କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ କରାଯାଇଛି । ତାଙ୍କ ବିରୋଧରେ ଶାରୀରିକ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ କରାଯାଇଛି । ଅନୁରାଗ ଠାକୁର କହିଥିଲେ, 'ରାହୁଲ ଦଳ ବଳ ସହ ଏନଡିଏ ସାଂସଦଙ୍କ ଆଗକୁ ମାଡ଼ି ଆସିଥିଲେ ଏବଂ ସାଂସଦଙ୍କୁ ଉସୁକାଇଥିଲେ । ଏହାଦ୍ୱାରା ସାଂସଦଙ୍କୁ ଆଘାତ ପହଞ୍ଚିବ ବୋଲି ସେ ଜାଣି ମଧ୍ୟ ତାହା କରିଥିଲେ । ଧାରା ୧୦୯, ୧୧୫, ୧୧୭, ୧୨୫, ୧୩୧ ଏବଂ ୩୫୧ ଅଧିନରେ ମାମଲା ରୁଜୁ ହୋଇଛି ।' ଧାରା-୧୦୯ ହତ୍ୟା ଉଦ୍ୟମ ସହ ଜଡିତ ଅଟେ ।