ନୂଆଦିଲ୍ଲୀ ୨୦।୧୨: ପାଖାପାଖି ଏକ ଦଶନ୍ଧୀ ହେଲା ବିଶ୍ୱ ଜନସଂଖ୍ୟାରେ ତୀବ୍ର ବୃଦ୍ଧି ଦେଖା ଦେଇଛି। ଜନସଂଖ୍ୟାରେ ଏପରି ବୃଦ୍ଧି ଏବେ ବିଶ୍ୱ ନିମନ୍ତେ ଚିନ୍ତାର କାରଣ ପାଲଟିଛି। କାରଣ ବିଶ୍ୱର ଜନସଂଖ୍ୟା ଆଜିର ତାରିଖରେ ୮ ବିଲିୟନକୁ ବି ପାର କରିଯାଇଛି। ତେବେ ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଆଗାମୀ ଦଶକମାନଙ୍କରେ ଏହି ବୃଦ୍ଧି ଓଲଟିବି ପାରେ ବୋଲି ଆକଳନ କରାଯାଇଛି। ବୈଜ୍ଞାନିକଙ୍କ ଅନୁସାରେ ଜନ୍ମହାର ହ୍ରାସ କାରଣରୁ ବିଶ୍ୱରେ ଜନସଂଖ୍ୟା କମିବାକୁ ଲାଗିବ।
ଏହି ପରିବର୍ତ୍ତନର ଚେତାବନୀ ଭାରତ ସମେତ ସାରା ବିଶ୍ୱକୁ ଦିଆଯାଉଛି। ୧୯୦୦ ମସିହାରେ ବିଶ୍ୱର ଜନସଂଖ୍ୟା ମାତ୍ର ୧ ବିଲିୟନ ଥିଲା, ଯାହା ୨୦୦୦ ମସିହା ବେଳକୁ ୬ ବିଲିୟନକୁ ପହଞ୍ଚିଥିବା ବେଳେ ୨୦୨୨ ବେଳକୁ ୮ ବିଲିୟନ ହୋଇଯାଇଛି। କେବେଳ ୨୦୦୦ ଓ ୨୦୨୨ ମାତ୍ର ୨୨ ବର୍ଷ ମଧ୍ୟରେ ୨ ବିଲିୟନ ଜନସଂଖ୍ୟା ବୃଦ୍ଧି ହୋଇଛି। ଏବେ ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଛନ୍ତି ଯେ ଏହି ଜନସଂଖ୍ୟା ଖୁବ୍ ଶୀଘ୍ର ହ୍ରାସ ହେବାରେ ଲାଗିବ।
ତଥ୍ୟ ଅନୁସାରେ ୨୦୫୫ ସୁଦ୍ଧା ୧୫୫ ଦେଶରେ ଜନ୍ମହାର ଏତେ ମାତ୍ରାରେ ହ୍ରାସ ହେବ ଯେ ଜନସଂଖ୍ୟା ସ୍ଥିର ରହିପାରିବନି। ଏହି ପ୍ରଚଳନ ୨୧୦୦ ପର୍ଯ୍ୟନ୍ତ ୧୯୮ ଦେଶ ପର୍ଯ୍ୟନ୍ତ ବ୍ୟାପିବାର ସମ୍ଭାବନା ରହିଛି। ଗବେଷକମାନେ କହିଛନ୍ତି ଯେ ଜନସଂଖ୍ୟ ହ୍ରାସର ମୁଖ୍ୟକାରଣ ଦ୍ରୁତ ହ୍ରାସ ହେଉଥିବା ଜନ୍ମ ହାର। ଯଦି ଏହି ପରିସ୍ଥିତି ଜାରି ରହିଲା ତେବେ ମୃତ୍ୟୁହାର ଜନ୍ମହାର ଠାରୁ ଅଧିକ ହୋଇଯିବ ଓ ଏଥିରେ ଜନସଂଖ୍ୟାର ସ୍ଥିରତା ରକ୍ଷା କରିବା କଷ୍ଟକର ହୋଇପଡିବ।
କିଛି ଲୋକଙ୍କ କହିବା କଥା ହେଲା ଜନସଂଖ୍ୟା ହ୍ରାସ ପୃଥିବୀର ସଂସାଧନ ଉପରେ ଚାପ ହ୍ରାସ କରିବା ଓ ପ୍ରଦୂଷଣ ହ୍ରାସ ହେବ। ତେବେ ଜନସଂଖ୍ୟା ହ୍ରାସର ପ୍ରଭାବ ଅନ୍ୟ କ୍ଷେତ୍ରକୁ ଗୁରୁତର ପ୍ରଭାବିତ କରିବ। ଏହାର ସବୁଠୁ ବଡ଼ ପ୍ରଭାବ କେତେକ ୱାର୍କ ଫୋର୍ସ ଉପରେ ପଡିବ। ଏଣୁ ଆଗାମୀ ବର୍ଷମାନଙ୍କରେ ୱାର୍କଫୋର୍ସରେ ହ୍ରାସ ଦେଖାଯିବ। ଏହାର ସିଧା ପ୍ରଭାବ ଉତ୍ପାଦକତା ଓ ବିକାଶ ଉପରେ ପଡିବ। ଅନ୍ୟପଟେ ବୁଢା ହେଉଥିବା ଜନସଂଖ୍ୟା ଯୋଗୁ କରଦାତାଙ୍କ ସଂଖ୍ୟା ହ୍ରାସ ହେବ। ଫଳରେ ସାମାଜିକ ସେବା ଚଳାଇ ରଖିବା କଷ୍ଟକର ହେବ।
ଏହି ପରିବର୍ତ୍ତନରୁ ଭାରତ ବି ଅଛୁଆଁ ରହିବନି। ଚୀନ୍, ଜାପାନ ଓ କୋରିଆ ଭଳି ଭାରତ ମଧ୍ୟ ଜନସଂଖ୍ୟା ହ୍ରାସର ସମ୍ମୁଖୀନ ହେବ। ଭାରତର ଜନସଂଖ୍ୟାରେ ବୃଦ୍ଧଙ୍କ ସଂଖ୍ୟା ବଢିବାରେ ଲାଗିବ। ଫଳରେ ସମାଜ ଉପରେ ଚାପ ପଡିବ। ଏହା ଛଡା ସାମାଜିକ ସଂରଚନାରେ ପରିବର୍ତ୍ତନ କାରଣରୁ ଭାରତୀୟ ପରିବାରମାନଙ୍କରେ ପାରମ୍ପରିକ ବନ୍ଧନ ଦୁର୍ବଳ ହେବାରେ ଲାଗିବ। ଏହି ପରିବର୍ତ୍ତନ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ରାଜନୈତିକ ଓ ସାମିଜକ ରୂପେ ବଡ଼ ପ୍ରଭାବ ପକାଇବ। ଗୋଟିଏ ପଟେ ସଂସାଧନ ଉପରେ ଚାପ ହ୍ରାସ ହେଉଥିବା ବେଳେ ଅସାଧାରଣ ଜନସଂଖ୍ୟା ବିତରଣ ଯୋଗୁ ନୂଆ ନୂଆ ଆହ୍ୱାନ ସବୁ ଦେଖାଦେବ।
ବିଶ୍ୱର ଅନେକ ଦେଶରେ ଏପରି ପରିସ୍ଥିତି ସବୁ ସୃଷ୍ଟି ହେବ ଯେଉଁଠି ସରକାର ଓ ସମାଜ ଏହି ପରିବର୍ତ୍ତିତ ପରିବେଶରେ ତାଳମେଳ ରଖିବାକୁ ସଂଘର୍ଷ କରିବେ। ଜନସଂଖ୍ୟା ହ୍ରାସ ଓ ବଢୁଥିବା ବୃଦ୍ଧାବସ୍ଥା ଭବିଷ୍ୟତରେ ବିଶ୍ୱ ଲାଗି ଗୁରୁତର ଆର୍ଥିକ ଓ ସାମାଜିକ ସମସ୍ୟା ସବୁ ସୃଷ୍ଟି କରିବ। ଏଣୁ ପୃଥିବୀର ସବୁ ଦେଶଙ୍କୁ ମିଳିତ ରୂପେ ଏହାର ସମାଧାନ ବାହାର କରିବାକୁ ପଡିବ।