ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ଏକ ବଡ଼ ଘୋଷଣା କରିଛନ୍ତି। ଶନିବାର ସାମ୍ବାଦିକ ସମ୍ମିଳନୀରେ ସେ ଦଳିତ ଛାତ୍ରଙ୍କ ପାଇଁ ଘୋଷଣା କରିଛନ୍ତି ଡ. ଆମ୍ବେଦକର ସ୍କଲାରସିପ୍ ସ୍କିମ୍। ତେବେ ଏହି ଘୋଷଣା ସହ କେଜ୍ରିଓ୍ବାଲ ଭାରତୀୟ ଜନତା ପାର୍ଟି ଏବଂ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ୩ ଦିନ ତଳେ ଗୃହ ମନ୍ତ୍ରୀ ଅମିତ ଶାହ ବାବା ସାହେବ ଆମ୍ବେଦକରଙ୍କୁ ଥଟ୍ଟା କରିଥିଲେ। ହେଲେ ଆମେ ବାବା ସାହେବଙ୍କ ସମ୍ମାନରେ ଏହି ଯୋଜନାର ଘୋଷଣା କରୁଛୁ।
କେଜ୍ରିଓ୍ବାଲ କହିଛନ୍ତି ବାବା ସାହେବ ଜୀବିତ ଥିବାବେଳେବି ଥାଙ୍କୁ ଥଟ୍ଟା କରାଯାଉଥିଲା। ବାବା ସାହେବଙ୍କ ପାଇଁ ସଂସଦ, ଆଉ ସେହି ସଂସଦରେ ହିଁ ତାଙ୍କୁ ଥଟ୍ଟା କରାଯାଉଛି। ଯାହା ହୁଏତ କେହି ଭାବି ନଥିବେ। ଆମେ ଏହାର ନିନ୍ଦା କରୁଛୁ। ଆଉ ଏହାର ଜବାବରେ ବାବା ସାହେବ ସମ୍ମାନରେ ବଡ଼ ଘୋଷଣା କରୁଛୁ। ଆମେ ଚାହୁଛୁ କେହିବି ଦଳିତ ସମାଜର ଛାତ୍ର ଅର୍ଥ ଅଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ନରହୁ।
କେଜ୍ରିଓ୍ବାଲ କହିଛନ୍ତି ‘‘ମୁଁ ଡାକ୍ତର ଆମ୍ବେଦକର ସ୍କଲାରସିପ୍ର ଘୋଷଣା କରୁଛି। ଏହା ଅନୁଯାୟୀ, ଦଳିତ ସମାଜର କେହିବି ଛାତ୍ର ଦୁନିଆର କୌଣସିବି ଟପ୍ ୟୁନିଭର୍ସିଟିରେ ପଢ଼ିପାରିବେ। କାରଣ ତାଙ୍କର ସବୁ ପାଠ ପଢ଼ା ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବେ।’’ ଦଳିତ ସମାଜର ସରକାରୀ କର୍ମଚାରୀଙ୍କ ଉପରେ ମଧ୍ୟ ଏହି ଯୋଜନା ଲାଗୁ ହେବ। ଅମିତ ଶାହ ଯେଉଁ ଥଟ୍ଟା ପରିହାସ କରିଥିଲେ, ତାହାର ଜବାବ ଆମେ ଏହି ଯୋଜନାରେ ଦେଉଛୁ।
ସୂଚନାଯୋଗ୍ୟ, ପୂର୍ବରୁ ଅରବିନ୍ଦ କେଜରିଓ୍ବାଲ ବରିଷ୍ଠ ନାଗରିକଙ୍କ ପାଇଁ ସଞ୍ଜୀବନୀ ସ୍ବାସ୍ଥ୍ୟ ଯୋଜନା ଘୋଷଣା କରିଥିଲେ। ଏହା ଅନୁଯାୟୀ, ୬୦ ବର୍ଷର ଅଧିକ ବୟସର ସବୁ ନାଗରିକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳିବ। ଏଥିରେ କୌଣସି ଲିମିଟ୍ କିମ୍ବା କୌଣସି ସ୍ବତନ୍ତ୍ର ଶ୍ରେଣୀ ନାହିଁ। ସେହିଭଳି ଡିସେମ୍ବର ମାସ ଆରମ୍ଭରୁ କେଜ୍ରିଓ୍ବାଲ ମହିଳା ସମ୍ମାନ ଯୋଜନାର ମଧ୍ୟ ଘୋଷଣା କରିଥିଲେ। ଏହା ଅନୁଯାୟୀ, ଦିଲ୍ଲୀର ୧୮ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ପ୍ରତି ମାସରେ ହଜାରେ ଟଙ୍କା ମିଳିବ, ଆଉ ଯଦି ଦିଲ୍ଲୀରେ ପୁଣି ଆପ୍ ଶାସନକୁ ଆସୁଛି ତେବେ ଏହାକୁ ବଢ଼ାଇ ୨୧୦୦ ଟଙ୍କା କରାଯିବ।