ନୂଆଦିଲ୍ଲୀ: ପୁଷ୍ପା-୨ ଦି ରୁଲ ସିନେମାର ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ବଡ଼ ଖୁଲାସା କରିଛନ୍ତି ଏଆଇଏମଆଇଏମ୍ ବିଧାୟକ ଅକବରୁଦ୍ଦିନ ଓୱେସୀ। ଅଲ୍ଲୁ ଜଣେ ଅସମ୍ବେଦନଶୀଳ, ଦାୟିତ୍ୱହୀନ ଓ ଅବିବେକି ମଣିଷ ବୋଲି କହିବାକୁ ଚାହିଁଛନ୍ତି ଅକବରୁଦ୍ଦିନ ଓୱେସୀ। ସେ ଯେଉଁ ଘଟଣାର ଖୁଲାସା କରିଛନ୍ତି ଯଦି ତାହା ସତ ହୋଇଥାଏ ତେବେ ଅଲ୍ଲୁ ଅର୍ଜୁନଙ୍କ ପ୍ରତି ଫ୍ୟାନ୍ଙ୍କ ଭଲପାଇବା ହୁଏତ ଘୃଣାରେ ପରିବର୍ତ୍ତନ ହୋଇଯାଇପାରେ।
ପୁଷ୍ପା-୨ ଦି ରୁଲ ସିନେମାର ପ୍ରିମିୟର ଦିନ ହୋଇଥିବା ଦଳଚକଟାରେ ମହିଳାଙ୍କ ମୃତ୍ୟୁ ନେଇ ଅଲ୍ଲୁଙ୍କ ଉପରେ ବର୍ଷିଛନ୍ତି ଓୱେସୀ। ସେ କହିଛନ୍ତି ଯେ ଏତେସବୁ ଘଟଣା ଘଟିବା ଯିବା ପରେ ଅଲ୍ଲୁ ସିନେମା ହଲ୍ରେ ବସି ସିନେମା ଦେଖିବା ଓ ଦେଖି ସାରି ହାତ ହଲେଇ ସେଠାରୁ ଚାଲିବା ନିହାତି ଅସମ୍ବେଦନଶୀଳ। କଥା ଏତିକି ନୁହେଁ, ଅଲ୍ଲୁଙ୍କ ଉପରେ ସେ ଆହୁରି ଗମ୍ଭୀର ଅଭିଯୋଗ ଲଗାଇଛନ୍ତି।
ତେଲେଙ୍ଗାନା ବିଧାନସଭାରେ ନିଜର ବକ୍ତବ୍ୟ ରଖି ଅଖବରୁଦ୍ଦିନ ଓୱେସୀ କହିଛନ୍ତି ଦଳ ଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜାଣିବା ପରେ ବି ଅଲ୍ଲୁ ହଲ୍ରେ ବସି ସମ୍ପୂର୍ଣ୍ଣ ସିନେମା ଦେଖିଥିଲେ। ଅଲ୍ଲୁ ଅର୍ଜନୁଙ୍କ ନାଁ ନନେଇ ସେ ଓୱେସୀ କହିଛନ୍ତି “ ମୋତେ ମିଳିଥିବା ସୂଚନା ଅନୁସାରେ, ଯେତେବେଳେ ଅଲ୍ଲୁ ଅର୍ଜୁନଙ୍କୁ ଦଳଚକଟାରେ ମହିଳାଙ୍କ ମୃତ୍ୟୁ ହୋଇଛି ବୋଲି କୁହାଗଲେ, ସେ କହିଲେ ଏବେ ସିନେମା ହିଟ୍ ହେବ।”
ଡିସେମ୍ବର ୪ ତାରିଖ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ପ୍ରିମିୟର ଶୋ ଦେଖିବାକୁ ଆସିଥିଲେ ଷ୍ଟାର ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା। ଫିଲ୍ମ ଷ୍ଟାର୍ଙ୍କୁ ଦେଖିବାକୁ ଫ୍ୟାନ୍ଙ୍କର ଅସମ୍ଭାଳ ଭିଡ଼ ଜମିଥିଲା। ଏଥିରେ ଦଳାଚକା ହୋଇ ଜଣେ ୩୯ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିଲା, ତାଙ୍କ ପୁଅ ଗଭୀର ଆହତ ହୋଇଥିଲେ। ପୁଲିସର କହିବା ଅନୁସାରେ ଭିଡ଼ର ମୁକାବିଲା କରିବା ପାଇଁ ସିନେମା ହଲ୍ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇ ନଥିଲା। ଏହି ମାଲାରେ ଅର୍ଜୁନଙ୍କୁ ତାଙ୍କ ବାସଭବନରୁ ଗିରଫ ମଧ୍ୟ କରାଯାଇଥିଲା।
ଏହାକୁ ବିରୋଧ କରି ଅସଦୁଦ୍ଦିନ ଓୱେସୀ କହିଛନ୍ତି “ ମୁଁ ସେ ଲୋକପ୍ରିୟ କଳାକାରଙ୍କ ନାଁ ନେବାକୁ ଚାହୁଁନି। କାରଣ ମୁଁ ତାଙ୍କୁ ଗୁରୁତ୍ୱ ଦେବାକୁ ଚାହୁଁନି। ମୋତେ ମିଳିଥିବା ସୂଚନା ଅନୁସାରେ ସେ ଫିଲ୍ମ ଷ୍ଟାର୍ ପିକଚର ଦେଖିବାକୁ ଥିଏଟର ଯାଇଥିଲେ। ଗଡ଼ବଡ଼ ହେଲା। ଏହାପରେ ପୁଲିସ ଆସି କହିଥିଲେ ଯେ ଦଳଚକଟା ହୋଇଛି। ଦୁଇ ପିଲା ତଳେ ପଡ଼ି ଯାଇଛନ୍ତି। ଜଣେ ମହିଳାଙ୍କ ମୃତ୍ୟୁ ହେଲାଣି। ଏହାପରେ ସେ ଫିଲ୍ମ ଷ୍ଟାର୍ ଓଲଟି ହସିଲେ ଓ କହିଲେ ଏବେ ପିକ୍ଚର ହିଟ ହେବ।” ଏତେସବୁ ଘଟଣା ଘଟିବା ପରେ ସେ ପୂରା ଫିଲ୍ମ ଦେଖିଲେ। ଫିଲ୍ମ ସରିଲା ପରେ ସେ ଦଳଚକଟା ନ ଦେଖି ଫ୍ୟାନ୍ଙ୍କୁ ହାତ ହଲାଇ ଚାଲିଗଲେ। ବାଚସ୍ପତିଙ୍କୁ ସମ୍ବୋଧନ କରି ଓୱେସୀ କହିଥିଲେ ଯେ ସାର୍ ମାନବିକତା କେଉଁଠି ଅଛି?
ଓୱେସୀ ଆହୁରି କହିଥିଲେ ଯେ ମୁଁ ବି ଲୋକଙ୍କ ପାଖକୁ ଯାଏ, ସେଠାରେ ବି ଭିଡ଼ ହୁଏ। ଯେମିତି କୌଣସି ଦଳାଚକଟା ନ ହୁଏ ମୁଁ ସବୁବେଳେ ନଜର ରଖିଥାଏ। ହେଲେ ଏଠି ଜଣେ ମହିଳା ମରିଗଲେ, ଦୁଇ ଜଣ ପିଲା ଦଳଚକଟାର ଶିକାର ହେଲେ, ଜଣେ କୋମାକୁ ଚାଲିଗଲେ, କିନ୍ତୁ ସେହି ଭଦ୍ର ବ୍ୟକ୍ତି ସେଠିକି ଯାଇ ସେମାନଙ୍କୁ ଟିକେ ଦେଖିବାକୁ ବି ଚିନ୍ତା କଲେ ନାହିଁ। ଖାଲି ହାତ ହଲାଇଲେ ଆଉ ଚାଲିଗଲେ। ଏଥିରେ ମାନବିକତା କେଉଁଠି ରହିଲା ବୋଲି ଓୱେସୀ ପ୍ରଶ୍ନ କରିଥିଲେ।
ସୂଚନା ଥାଉକି, ଏହି ଘଟଣାରେ ଡିସେମ୍ବର ୧୩ ରେ ଅଲୁ ଅର୍ଜୁନଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ଏହାପରେ ଏକ ନିମ୍ନ ଅଦାଲତ ଅଭିନେତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ, କିନ୍ତୁ ତାଙ୍କୁ ସେହି ଦିନ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ତେବେ ଜାମିନ ଅର୍ଡର କପି ଅପଲୋଡ୍ କରିବାରେ ବିଳମ୍ବ ହେତୁ ଅର୍ଜୁନଙ୍କୁ ଗୋଟିଏ ରାତି ଜେଲରେ ରହିବାକୁ ପଡ଼ିଥିଲା।
ସେପଟେ ଅଲ୍ଲୁ ଅର୍ଜୁନଙ୍କ ସିନେମାକୁ ଫ୍ୟାନ୍ ବହୁତ ଭଲପାଇବା ଦେଉଛନ୍ତି। ମୁକ୍ତିଲାଭ କରିବାର ୧୭ ଦିନ ହୋଇଥିଲେ ବି ପୁଷ୍ପା-୨ ଦି ରୁଲ୍ର କ୍ରେଜ କମୁନି। ଏହି ସିନେମାଟି ୨୦୨୪ ବକ୍ସ ଅଫିସ୍ରେ ସବୁଠାରୁ ସଫଳ ସିନେମା ହୋଇଥିବା ବେଳେ ସର୍ବାଧିକ ଆୟ କରିଥିବା ତୃତୀୟ ଭାରତୀୟ ସିନେମା ହୋଇଛି। ରିଲିଜ୍ର ତୃତୀୟ ସପ୍ତାହରେ ଭାରତରେ ପୁଷ୍ପା-୨ ୧୦୦୦ କୋଟି ଅତିକ୍ରମ କରିଛି। ଖୁବ୍ଶୀଘ୍ର ଏହା ବାହୁବଳୀ-୨ର ରେକର୍ଡ ଭାଙ୍ଗିବାକୁ ଯାଉଛି। ତୃତୀୟ ସପ୍ତାହରେ ୧୦୫୦ ଅତିକ୍ରମ କରିବ ବୋଲି ସାକନିଲ୍କ ରିପୋର୍ଟ ପ୍ରକାଶ କରିଛି।