ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କୁଏତ ଗସ୍ତରେ ଅଛନ୍ତି । ଗସ୍ତର ପ୍ରଥମ ଦିନରେ ଶନିବାର ପ୍ରବାସୀ ଭାରତୀୟଙ୍କୁ ସେ ସମ୍ୱୋଧନ କରିଛନ୍ତି । ପିିଏମ୍ କହିଛନ୍ତି, 'ଆଜିର ଦିନ ମୋ ପାଇଁ ବେଶ ଗୁରୁତ୍ୱ ରଖୁଛି । ଚାରି ଦଶନ୍ଧିରୁ ଅଧିକ ସମୟ ଅର୍ଥାତ୍ ୪୩ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ କୁଏତ ଆସିଛନ୍ତି । ଭାରତରୁ ଏଠାକୁ ଆସିବା ପାଇଁ ୪ ଘଣ୍ଟା ସମୟ ଲାଗୁଛି, କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଏଠାକୁ ଆସିବା ପାଇଁ ୪ ଦଶନ୍ଧି ଲାଗିଗଲା ।
ଶେଖ ସାଦ ଅଲ୍ ଅବଦୁଲା ଇନଡୋର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ 'ହାଲା ମୋଦୀ' କାର୍ଯ୍ୟକ୍ରମକୁ ପିଏମ୍ ମୋଦୀ ସମ୍ୱୋଧନ କରିଛନ୍ତି । ପିଏମ୍ କହିଛନ୍ତି, 'ଉତ୍ତର-ପଶ୍ଚିମ-ପୂର୍ବ ଏବଂ ଦକ୍ଷିଣର ଲୋକ, ଯେଉଁମାନଙ୍କ ଭାଷା ଭିନ୍ନ ଭିନ୍ନ, କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ କଥା ରହିଛି-ଭାରତ ମାତା କି ଜୟ ।'
ପିଏମ୍ ମୋଦୀ କହିଛନ୍ତି ଯେ ଦୁଇ ତିନି ଘଣ୍ଟା ତଳେ ମୁଁ କୁଏତରେ ପହଞ୍ଚିଛି । ମୁଁ ଏଠାରେ ପାଦ ରଖିବା ପରଠୁ ଆପଣାପଣ ଅନୁଭବ କରୁଛି । ଆପଣ ସମସ୍ତେ ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ ଆସଛନ୍ତି କିନ୍ତୁ ସମସ୍ତଙ୍କୁ ଦେଖିବା ପରେ ମୋତେ ଏହା ମିନି ହିନ୍ଦୁସ୍ତାନ ପରି ଲାଗୁଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କୁଏତରେ ଆପଣମାନେ ଟାଲେଣ୍ଟ, ଟେକ୍ନୋଲଜି ଏବଂ ଟ୍ରାଡିସନ୍ର ଏକ ଅଦ୍ଭୂତ ସଙ୍ଗମ ସୃଷ୍ଟି କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଭାରତ ଏବଂ କୁଏତ ମଧ୍ୟରେ ସଭ୍ୟତାର ସମ୍ପର୍କ ରହିଛି । ସାଗର ରହିଛି । ବାଣିଜ୍ୟ-କାରବାର ରହିଛି । ଆରବ ସାଗରର ଉଭୟ କୂଳରେ ଭାରତ ଏବଂ କୁଏତର ଅବସ୍ଥିତି । ଆମକୁ କେବଳ କୂଟନୀତି ନୁହେଁ, ବରଂ ମନର ଭାବନା ପରସ୍ପର ସହ ଯୋଡ଼ିଛି ।' ପିଏମ୍ କହିଛନ୍ତି, 'କୁଏତ ସ୍ୱାଧୀନତା ପାଇବା ପରେ ସ୍ୱାଧୀନ ରାଷ୍ଟ୍ର ଭାବେ ପ୍ରଥମେ ମାନ୍ୟତା ଦେଇଥିବା ଦେଶମଧ୍ୟରେ ଭାରତ ଥିଲା । ଏଠାକୁ ଆସିବା ମୋ ପାଇଁ ଅତ୍ୟନ୍ତ ସ୍ମରଣୀୟ ଅନୁଭୂତି । ମୁଁ କୁଏତବାସୀ ଏବଂ ଏଠାକାର ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।'