ମାଗଡେବର୍ଗ ୨୧।୧୨: ଜର୍ମାନ ମିଡିଆ ମାଗଡେବର୍ଗ କ୍ରିସମାସ୍ ମାର୍କେଟରେ ହୋଇଥିବା ଆଶ୍ଚର୍ଯ୍ୟଜନକ କାର ଆକ୍ରମଣ ଘଟଣା ପଛର ବ୍ୟକ୍ତିକୁ ତାଲେବ ଅଲ-ଅବଦୁଲମୋହସେନ ଭାବେ ଚିହ୍ନଟ କରିଛି, ଯିଏ ସାଉଦ ଆରବର ଜଣେ ମନୋଚିକିତ୍ସକ। ସନ୍ଦିଗ୍ଧ ସମ୍ପର୍କରେ ଆମକୁ ଯାହା ବି ସୂଚନା ମିଳୁଛି ତାହା ହେଉଛି ତାଲେବ ଅଲ-ଅବଦୁଲମୋହସେନ ଓରଫ ତାଲେବ ଏ. ସାଉଦୀ ଆରବ ସହର ହୋଫୁଫର ୫୦ ବର୍ଷିୟ ଜଣେ ଚିକିତ୍ସକ।
ମନୋଚିକିତ୍ସା ବିଶେଷଜ୍ଞ ତାଲେବ ୨୦୦୬ ମସିହାରେ ଜର୍ମାନ ଆସିଥିଲା ଓ ସେ ବର୍ଣ୍ଣବର୍ଗରେ ରହୁଥିଲା। ୨୦୧୬ ମସିହାରେ ତାକୁ ଶରଣାର୍ଥୀର ମାନ୍ୟତା ମିଳିଯାଇଥିଲା। ତେବେ କ୍ରିସମାସ ମାର୍କେଟରେ ଏପରି ଦୁର୍ଘଟଣା ଘଟାଇବା ପଛରେ ତାର କୌଣସି ଉଦ୍ଦେଶ୍ୟ ନଥିବା ଜର୍ମାନ ପୋଲିସ ଅଧିକାରୀକ ଭାବେ କହିଛି। ମିଡିଆ ରିପୋର୍ଟ ଅନୁସାରେ ତାଲେବ ପୂର୍ବରୁ ମୁସଲମାନ ବିଶେଷ କରି ମହିଳାଙ୍କୁ ସାଉଦୀ ଆରବରୁ ପଳାୟନ କରିବାରେ ସହାୟତା କରୁଥିଲା।
ଡେଲିମେଲ ରିପୋର୍ଟ ଅନୁସାରେ ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ବିଶ୍ଲେଷଣରୁ ସେ ଜର୍ମାନର ଆଣ୍ଟି ଇମ୍ମିଗ୍ରେସନ ପାର୍ଟି ଏଏଫଡି, ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କ, ବ୍ରିଟେନର ଇସ୍ଲାମ ବିରୋଧୀ ପ୍ରଚାରକ ଟମି ରବିନସନ୍ ଓ କନସିପିରେସୀ ଥିଓରିଷ୍ଟ ଏଲେକ୍ସ ଜୋନସ୍ ଙ୍କ ସମର୍ଥକ ବୋଲି ଜଣାପଡିଛି। ତେବେ ଜର୍ମାନ କ୍ରିସମାସ୍ ମାର୍କେଟରେ ଘଟଣାବେଳର ଏକ ଭିଡିଓ ଏବ ଭାଇରାଲ ହେଉଛି।
ବଜାର ଉପରେ ସୁଟ୍ କରାଯାଇଥିବା ଏହି ଭିଡିଓରେ ଏକ କାରକୁ ଭିଡ ମଧ୍ୟରେ ତୀବ୍ର ବେଗରେ ଯାଉଥିବା ଦେଖାଯାଇଛି, ଯାହା ବଜାରର ଦୁଇଟି ଧାଡି ମଧ୍ୟରେ ଗତି କରୁଛି ଓ ଲୋକେ ପଡି ଉଠି ଦଉଡୁଛନ୍ତି। ବୃକ୍ଷ, ବିଲ୍ଡିଂର ରୂପରେଖ ଓ ଡିଜାଇନକୁ ଫାଇଲ ଓ କ୍ଷେତ୍ରର ସାଟେଲାଇଟ୍ ଇମେଜରି ସହ ମିଳାଇ ଏହି ଭିଡିଓ ବାସ୍ତବରେ ଘଟଣାସ୍ଥଳର ବୋଲି ଗଣମାଧ୍ୟମ ଦାବି କରିଛନ୍ତି।