ପାକିସ୍ତାନ ଖୈବର ପୁକ୍ତନଖ୍ୱାରେ ଆତଙ୍କବାଦୀ ଆକ୍ରମଣ, ୧୬ ସୈନିକ ନିହତ, ୮ ଆହତ

Published By : Prameya-News7 Bureau | December 21, 2024 IST

ଲିଟା ସର ୨୧।୧୨: ପାକିସ୍ତାନର ଖୈବର ପୁକ୍ତନଖ୍ୱାରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୬ ଜଣ ଜବାନ ପ୍ରାଣ ହରାଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସୁରକ୍ଷା ବଳ ଅଞ୍ଚଳକୁ ଘେରାଉ କରି ରଖିଛନ୍ତି। ଅଞ୍ଚଳରେ ତଲାସୀ ଅଭିଯାନ ଚଳାଯାଇଛି। ଏହି ଆକ୍ରମଣ ଦକ୍ଷିଣ ୱଜିରିସ୍ତାନ ମାକିନର ଲିଟା ସର ଅଞ୍ଚଳରେ ଥିବା ପାକିସ୍ତାନ ସୁରକ୍ଷା ଚୌକୀ ଉପରେ ହୋଇଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଆଶଙ୍କା କରାଯାଉଛି। 

କୌଣସି ସଙ୍ଗଠନ ଏ ପର୍ଯ୍ୟନ୍ତ ଆକ୍ରମଣ ପାଇଁ ନିଜକୁ ଦାୟି କରି ନାହାନ୍ତି। ଖୈବର ପୁକ୍ତନଖ୍ୱା ଏକ ଏପରି ଅଞ୍ଚଳ ଯେଉଁଠି ପ୍ରାୟ ଦିନ ଏପରି ଆକ୍ରମଣ ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏପରି ଆକ୍ରମଣ ଘଟଣା ଲାଗି ପାକିସ୍ତାନ ତେହେରିକ-ଏ-ତାଲିବାନ (ଟିଟିପି)କୁ ଦାୟି କରୁଛି। ଆଫଗାନ ତାଲିବାନ ସରକାର ଟିଟିପିକୁ ସଂରକ୍ଷଣ ଦେଉଥିବା ପାକିସ୍ତାନ ଲଗାତାର ଅଭିଯୋଗ କରୁଛି। 

ନିକଟରେ ଖୈବର ପୁକ୍ତନଖ୍ୱା ପ୍ରାନ୍ତର ମୁଖ୍ୟମନ୍ତ୍ରୀ ଅଲୀ ଅମିନ ଗନ୍ଦାପୁର କହିଥିଲେ ଯେ ଆଫଗାନିସ୍ତାନର ଏବେକା ତାଲିବାନ ସରକାର ସହିତ ଆଲୋଚନା ଦ୍ୱାରା ଅଞ୍ଚଳର ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ। ଅଲୀ ଅମିନ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଏ-ଇନସାଫ ପାର୍ଟିର ଫାୟାରବ୍ରାଣ୍ଡ ନେତା ରୂପେ ବେଶ୍ ଜଣାଶୁଣା। ତେବେ ପାକିସ୍ତାନର ବିସ୍ଫୋଣ ଓ ଆତଙ୍କବାଦୀ ଆକ୍ରମଣ ଘଟଣା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। 

କିଛିଦିନ ପୂର୍ବରୁ ମଧ୍ୟ ପାକିସ୍ତାନରେ ବୋମା ବିସ୍ଫୋରଣ ହୋଇଥିଲା। ପାକିସ୍ତାନର କ୍ୱେଟା ରେଳ ଷ୍ଟେସନରେ ଏହି ବିସ୍ଫାରଣ ହୋଇଥିଲା। ଫଳରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକେ ଆହତ ହୋଇଥିଲେ। ପାକିସ୍ତାନର ଅଶାନ୍ତ ନର୍ଥ ୱଜିରସ୍ଥାନରେ ହୋଇଥିବା ବୋମା ବିସ୍ଫରଣରେ ୪ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଏହା ଛଡା ଖୈବର ପୁକ୍ତନଖ୍ୱାର ଏକ ବିଦ୍ୟାଳୟ ନିକଟରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୨ ଜଣ ପିଲାଙ୍କ ମୃତ୍ୟୁ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.