ନୂଆଦିଲ୍ଲୀ: ସମୁଦ୍ର ଉପରେ ଶାସନ କରିବ ଭାରତ। ଭାରତୀୟ ସବ୍ମେରାଇନରେ ହେବ AIP ଟେକ୍ନୋଲୋଜିର ବ୍ୟବହାର। ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ସଶକ୍ତ କରିବ ଉନ୍ନତ ଜ୍ଞାନ କୌଶଳରେ ନିର୍ମିତ ପ୍ରୋଜେକ୍ଟ 75I। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏହାର ବୁଡ଼ାଜାହାଜ କ୍ଷମତାକୁ ବୃଦ୍ଧି କରିବା।
ଆଧୁନିକ ଯୁଦ୍ଧ ସ୍ଥିତିରେ ପ୍ରତିରକ୍ଷା ପାଇଁ ବୁଡ଼ାଜାହାଜ ନୌସେନାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଯାହା ଦେଶମାନଙ୍କୁ ଉଭୟ ସ୍ଥଳଭାଗରେ ଏବଂ ସମୁଦ୍ର ତଳେ ଗୁପ୍ତ ଅପରେସନ୍ କରିବା ଏବଂ ସଠିକ୍ ଷ୍ଟ୍ରାଇକ୍ କରିବାର କ୍ଷମତା ଦେଇଥାଏ। ସେହିଭଳି, ପାରମ୍ପରିକ ବୁଡ଼ାଜାହାଜଗୁଡିକର ଆଧୁନିକୀକରଣ ପାଇଁ AIP ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ସେମାନଙ୍କୁ ଦୀର୍ଘ ସମୟ ଧରି ଜଳରାଶିରେ ରହିବାକୁ ଶକ୍ତି ଦେଇଥାଏ ଏହି ଟେକ୍ନୋଲୋଜି।
AIP ଟେକ୍ନୋଲୋଜି କ’ଣ?
ସାଇନ୍ସ ଡାଇରେକ୍ଟ ୱେବସାଇଟ୍ ଅନୁଯାୟୀ, ଯଦି ବୁଡ଼ାଜାହାଜରେ AIP ଟେକ୍ନୋଲୋଜି ବ୍ୟବହାର କରାଯାଏ, ତେବେ ଏହା ଏକ ନିରବ ତଥା ମାରାତ୍ମକ ଅସ୍ତ୍ରରେ ପରିଣତ କରିପାରିବ। ସବୁଠୁ ବଡ କଥା ହେଲା ଏହା ହାଇଡ୍ରୋଜେନ୍ ଏବଂ ଅମ୍ଳଜାନ ମିଶ୍ରଣ କରି ଶକ୍ତି ସୃଷ୍ଟି କରିବ। ପାରମ୍ପରିକ ବୁଡ଼ାଜାହାଜ ଡିଜେଲ-ଇଲେକ୍ଟ୍ରିକ୍ ଇଞ୍ଜିନ ବ୍ୟବହାର କରନ୍ତି, ଯେଉଁଥିରେ ସେମାନେ ଏନର୍ଜି ଉତ୍ପନ୍ନ ପାଇଁ ବାୟୁମଣ୍ଡଳୀୟ ଅମ୍ଳଜାନ ନେବା ଆବଶ୍ୟକ କରନ୍ତି, ଏପରି ପରିସ୍ଥିତିରେ ପ୍ରତିଦିନ ଗଭୀର ଜଳରାଶିରୁ ଭୂପୃଷ୍ଠକୁ ଆସିବାକୁ ପଡେ, କିନ୍ତୁ AIP ଟେକ୍ନୋଲୋଜି ବ୍ୟବହାର ହେଲେ ବୁଡ଼ାଜାହାଜକୁ ଭୂପୃଷ୍ଠକୁ ଆସିବାକୁ ପଡିବ ନାହିଁ। କେବଳ ସପ୍ତାହରେ ଥରେ ଭୂପୃଷ୍ଠକୁ ଆସିବ।
ଏହା ବ୍ୟତୀତ, AIP ଟେକ୍ନୋଲୋଜି ସହିତ ସଜ୍ଜିତ ବୁଡ଼ାଜାହାଜଗୁଡ଼ିକ କୌଣସି ଶବ୍ଦ ନକରି ଚୁପଚାପ୍ କାର୍ଯ୍ୟ କରନ୍ତି। ଆହୁରି ମଧ୍ୟ, ଶତ୍ରୁମାନଙ୍କ ଅଜାଣାତରେ ସମସ୍ତ ତଥ୍ୟ ସଂଗ୍ରହ କରିପାରିବ ଏବଂ ସମ୍ପୂର୍ଣ୍ଣ ମିଶନକୁ ସଫଳ କରିପାରିବ। ଏହି ଟେକ୍ନୋଲୋଜି ସହିତ ସଜ୍ଜିତ ବୁଡ଼ାଜାହାଜଗୁଡିକ ବାହାରକୁ ନଆସି ୫୦ ହଜାର ଘଣ୍ଟା ଭିତରେ ରହିପାରିବ ଏବଂ ସହଜରେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ। ଏହି ବୁଡ଼ାଜାହାଜ ଗ୍ରୀନ ଏନର୍ଜି ଉପରେ ଆଧାରିତ।
ତେବେ ସବୁଠୁ ବଡ ସମସ୍ୟା ହେଉଛି AIP ସିଷ୍ଟମ ଚୟନ। ଭାରତୀୟ ନୌସେନାକୁ ଦୁଇ ପ୍ରମୁଖ ପ୍ରତିଯୋଗୀଙ୍କ ମଧ୍ୟରେ ବାଛିବାକୁ ପଡିବ। ଜର୍ମାନୀର ଥିସେନ୍ କ୍ରୁପ୍ ମେରାଇନ୍ ସିଷ୍ଟମ୍ (TKMS) ଏବଂ ସ୍ପେନର ନାଭାଣ୍ଟିଆ। ବୈଷୟିକ ମୂଲ୍ୟାଙ୍କନ ଓ କ୍ଷମତାକୁ ଆଧୁନିକୀକରଣ କରିବାର ବଢୁଥିବା ଆବଶ୍ୟକତା ଦ୍ୱାରା ଏହି ନିଷ୍ପତ୍ତି ଏବେ ଜଟିଳ ହୋଇଛି।
ଭାରତର ପ୍ରୋଜେକ୍ଟ 75I ସମାପ୍ତ ହେବା ବେଳକୁ ଭାରତ ନିକଟରେ ୬ ଟି ଡିଜେଲ-ଇଲେକ୍ଟ୍ରିକ୍, ୬ ଟି ଏଆଇପି ଚାଳିତ ଏବଂ ୬ ଟି ଆଣବିକ ଆକ୍ରମଣ କରୁଥିବା ବୁଡ଼ାଜାହାଜ ରହିଛି। ବିଶ୍ୱରେ ସର୍ବାଧିକ ସଂଖ୍ୟକ ବୁଡ଼ାଜାହାଜ ଅଛି ଋଷ ପାଖରେ ରହିଛି, ଯାହାର ସଂଖ୍ୟା ୬୫। ଆମେରିକାର ୬୪, ଚାଇନାର ୬୧ ରହିଛି। ୧୮ଟି ବୁଡ଼ାଜାହାଜ ସହିତ ଭାରତ ଅଷ୍ଟମ ସ୍ଥାନରେ ରହିଛି।