ନୂଆଦିଲ୍ଲୀ ୨୧।୧୨: ସରକାର ସିସିଟିଭି କ୍ୟାମେରା ଏବଂ ୱେବକାଷ୍ଟିଂ ଫୁଟେଜ ସହିତ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂ ଭଳି କିଛି ଇଲେକ୍ଟ୍ରୋନିକ ଡକ୍ୟୁମେଣ୍ଟର ସାର୍ବଜନିକ ନିରୀକ୍ଷଣ ରୋକିବା ପାଇଁ ନିର୍ବାଚନ ନିୟମରେ ପରିବର୍ତ୍ତନ କରିଛନ୍ତି, ଯାହାଦ୍ୱାରା ଏହାର ଦୂରୁପଯୋଗକୁ ରୋକା ଯାଇ ପାରିବ। ନିର୍ବାଚନ ଆୟୋଗ (ଇସି)ଙ୍କ ସୁପାରିଶରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ଶୁକ୍ରବାର ନିର୍ବାଚନ ସଞ୍ଚାଳନ ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ସଂଶୋଧନ କରିଛନ୍ତି।
ନିୟମ ୯୩ ଅନୁସାରେ ନିର୍ବାଚନ ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ସାର୍ବଜନିକ ନିରୀକ୍ଷଣ ଲାଗି ଉପଲବ୍ଧ ହେଉଥିଲା। ସଂଶୋଧନରେ ଡକ୍ୟୁମେଣ୍ଟ ପରେ ଏହି ନିୟମଗୁଡିକୁ ନିର୍ଦ୍ଧିଷ୍ଟ ଭାବେ ଯୋଡା ଯାଇଛି। ଆଇନ ମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗ ଅଧିକାରୀମାନେ ପୃଥକ ପୃଥକ ଭାବେ କହିଛନ୍ତି ଯେ ଏହି ସଂଶୋଧନ ପଛରେ ଏକ କୋର୍ଟ ମୋକଦ୍ଦମା ଟ୍ରିଗର ଥିଲା। ଏ ସମ୍ପର୍କରେ ନିର୍ବାଚନ ଆୟୋଗ ସୂତ୍ର କହିଛନ୍ତି ଯେ ପୂର୍ବରୁ ପ୍ରାର୍ଥୀଙ୍କ ନିକଟରେ ସବୁ ଡକ୍ୟୁମେଣ୍ଟ ଓ ତଥ୍ୟ ପର୍ଯ୍ୟନ୍ତ ପହଞ୍ଚ ରହିଛି। ଏ ସମ୍ପର୍କିତ ନିୟମରେ କୌଣସି ସଂଶୋଧନ କରାଯାଇ ନାହିଁ।
ତେବେ ଏହି ଅସ୍ପଷ୍ଟତାକୁ ଦୂର କରିବା ପାଇଁ ତଥା ମତଦାନର ଗୋପନୀୟତାର ଉଲ୍ଲଂଘନ ଏବଂ ମତଦାନ କେନ୍ଦ୍ର ଭିତରର ସିସିଟିଭି ଫୁଟେଜ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗ କରାଯିବାର ସମ୍ଭାବିତ ଦୂରୁପଯୋଗ ଭଳି ଗୁରୁତର ପ୍ରସଙ୍ଗକୁ ବିଚାରକୁ ନେଇ ମତଦାନ କେନ୍ଦ୍ରର ସିସିଟିଭି ଫୁଟେଜର ଦୂରୁପଯୋଗ ରୋକିବା ନିମନ୍ତେ ନିୟମରେ ସଂଶୋଧନ କରାଯାଇଛି।
ସୂତ୍ର କହିଛନ୍ତି ଯେ ଆୟୋଗ ଭାବୁଛନ୍ତି ଯେ ସିସିଟିଭି ଫୁଟେଜ ସେୟାର କରିବା ବିଶେଷ କରି ଜମ୍ମୁ-କାଶ୍ମୀର, ନକ୍ସଲ ପ୍ରଭାବିତ କ୍ଷେତ୍ର ଭଳି ସମ୍ବେଦନଶୀଳ କ୍ଷେତ୍ରରେ ପରିଣାମ ଗୁରୁତର ହୋଇପାରେ। ଏହା ଦ୍ୱାରା ଭୋଟରଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଉପୁଜିପାରେ। ଏହା ଛଡା ନିର୍ବାଚନ ସମ୍ପର୍କିତ ଅନ୍ୟ ଡକ୍ୟୁମେଣ୍ଟ ସାର୍ବଜନିକ ନିରୀକ୍ଷଣ ନିମନ୍ତେ ଉପଲବ୍ଧ ରହିଛି। ନିର୍ବାଚନ ଆୟୋଗଙ୍କ ଜନୈକ ପୂର୍ବତନ ଅଧିକାରୀ କହିଛନ୍ତି ଯେ ‘ନିର୍ବାଚନ ନିୟମ ଅନୁସାରେ ମତଦାନ କେନ୍ଦ୍ର ସିସିଟିଭି କଭରେଜ ଏବଂ ୱେବକାଷ୍ଟିଂ କରାଯାଏନା। ବରଂ ଏହା ନିର୍ବାଚନ ଆୟୋଗ ଦ୍ୱାରା ସମାନ ଅବସର ନିଶ୍ଚିତ କରିବା ଲାଗି ନିଆଯାଇଥିବା ପଦକ୍ଷେପର ପରିଣାମ’।
ନିର୍ବାଚନ ଆୟୋଗର ଜନୈକ ପଦାଧିକାରୀ କହିଛନ୍ତି ଯେ ‘ଏପରି ଅନେକ ମାମଲା ଆସିଛି, ଯେଉଁଠି ନିୟମର କଥା କହି ଏପରି ଇଲେକ୍ଚ୍ରୋନିକ ରେକର୍ଡ ମଗାଯାଇଛି। ତେବେ ନିୟମରେ ସଂଶୋଧନ ଏହା ଏବେ ସୁନିଶ୍ଚିତ କରିଛି ଯେ ନିୟମରେ ଉଲ୍ଲେଖିତ ଡକ୍ୟୁମେଣ୍ଟ ସାର୍ବଜନିକ ନିରୀକ୍ଷଣ ନିମନ୍ତେ ଉପଲବ୍ଧ ହେବ ଓ ଅନ୍ୟ କୌଣସି କାଗଜପତ୍ର ଯାହାର ନିୟମ ସହ କୌଣସି ସମ୍ପର୍କ ନାହିଁ ଏହାର ସାର୍ବଜନିକ ନିରୀକ୍ଷଣ ଅନୁମତି ନାହିଁ’।