ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଶୀତକାଳୀନ ଅଧିବେଶନ ଶେଷ । ଅନ୍ତିମ ଦିନରେ ଦେଖିବାକୁ ମିଳିଥିଲା ହଙ୍ଗାମା, ହଟ୍ଟଗୋଳ ଏବଂ ହାଇଡ୍ରାମା । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସରକାରର ମହିଳା ମନ୍ତ୍ରୀଙ୍କୁ ଅପଶବ୍ଦ ବ୍ୟବହାର କରିଥିଲେ ବିଜେପି ବିଧାନ ପରିଷଦ ବିଧାୟକ ସି.ଟି ରବି । କର୍ଣ୍ଣାଟକର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ହବାଲକରଙ୍କୁ ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ଶୀତ ଅଧିବେଶନର ଗୋଟିଏ ଦିନ ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସେ ଜଣେ ମାଆ, ଭଉଣୀ ଏବଂ ଜଣେ ଶାଶୂ ମଧ୍ୟ । ତାଙ୍କ ଠାରୁ ବହୁ ମହିଳା ଆଶା ଏବଂ ଆକାଂକ୍ଷା ରଖି ରାଜନୀତିରେ ପ୍ରବେଶ କରୁଛନ୍ତି । ହେଲେ ଯେତେବେଳେ କୌଣସି ଉଚ୍ଚ ପଦପଦବୀ ଥିବା ବ୍ୟକ୍ତି ତାଙ୍କୁ ଏଭଳି ଅପଶବ୍ଦ ବ୍ୟବହାର କରେ ଏହା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଲକ୍ଷ୍ମ ହବାଲକର କହିଛନ୍ତି ।
କର୍ଣ୍ଣାଟକ ଶୀତକାଳୀନ ଅଧିବେଶନ ବେଳେ ଏହି ଘଟଣା ଘଟିଛି । ବାବା ସାହେବ ଭୀମରାଓ ଆମ୍ବେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବିବାଦୀୟ ବୟାନ ପରେ ସଂସଦର ଉଭୟ ଗୃହରେ ହଙ୍ଗାମା ହୋଇଥିଲା । କଂଗ୍ରେସ ସମେତ ବହୁ ବିରୋଧୀ ରାଜନୈତିକ ସଂସଦ ବାହାରେ ଏବଂ ଭିତରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅମିତ୍ ଶାହଙ୍କ ବୟାନକୁ ନେଇ କର୍ଣ୍ଣାଟକ ବିଧାନସଭାରେ ମଧ୍ୟ ସମସ୍ତ କଂଗ୍ରେସ ବିଧାୟକ ଏବଂ ବିଧାନ ପରିଷଦର ସଦସ୍ୟମାନେ ନାରାବାଜି କରିଥିଲେ । ଏହି ସମୟରେ କର୍ଣ୍ଣାଟକ ବିଜେପି ବିଧାନ ପରିଷଦର ସଦସ୍ୟ ସି.ଟି ରବି ରାହୁଲ ଗାନ୍ଧିଙ୍କୁ ଡ୍ରଗ୍ସ ଅଡିକ୍ଟ କହିଥିଲେ । ଏହାକୁ ନେଇ କର୍ଣ୍ଣାଟକର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ହବାଲକର ତାଙ୍କୁ କଟାକ୍ଷ କରି ‘ମର୍ଡର ଆସାମୀ’ ବୋଲି କହିଥିଲେ । ଏଇଠୁ ବିବାଦ ଆରମ୍ଭ ହୋଇଥିଲା । ଏହାର ପାଲଟା ଜବାବରେ ସି.ଟି ରବି ଜଣେ ମହିଳା ମନ୍ତ୍ରୀଙ୍କୁ ବାରମ୍ବାର ଅପଶବ୍ଦ କହିଥିଲେ । କେବଳ ଏତିକି ନୁହେଁ ୧୦ ଭିନ୍ନ ଭିନ୍ନ ସ୍ଥାନରେ ମଧ୍ୟ ଦୁର୍ବ୍ୟବହାର କରିଥିଲେ ।
ଲକ୍ଷ୍ମୀ ହବାଲକର ଆହୁରି ମଧ୍ୟ କହିଛନ୍ତି, ଏହାକୁ ନେଇ ବିଜେପି ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିଲା । ମାତ୍ର କେହି ଜଣେ ବି ସି.ଟି ରବିଙ୍କ ବୟାନକୁ ନିନ୍ଦା କରିନଥିଲେ । ଏହି ଘଟଣାକୁ ନେଇ ମନ୍ତ୍ରୀ ଲକ୍ଷ୍ମୀ ହବାଲକର ପୋଲିସରେ ଏତଲା ଦେଇଥିଲେ । ପରେ ପୋଲିସ ଏକ ମାମଲା ରୁଜୁ କରି ସି.ଟି ରବିଙ୍କୁ ଗିରଫ କରିଥିଲା । ଶୁକ୍ରବାର ସି.ଟି ରବିଙ୍କୁ ଜାମିନ୍ ମିଳିଛି । ତେବେ ମିଡିଆ ସାମ୍ନାରେ ପୂରା ଘଟଣା କହି ଆଖି ଲୁହ ଝରାଇଥିଲେ କର୍ଣ୍ଣାଟକର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ହବାଲକର ।