ଜମ୍ମୁ-କାଶ୍ମୀରରେ ବି ବିଜେପିକୁ ଝଟକା, ସରକାର ଗଢିପାରେ ଇଣ୍ଡିଆ ମେଣ୍ଟ

Published By : Prameya-News7 Bureau | October 05, 2024 IST

ନୂଆଦିଲ୍ଲୀ: ହରିୟାଣାରେ ଶନିବାର ଭୋଟିଂ ସରିବା ପରେ ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି। ବିଭିନ୍ନ ଏଜେନ୍ସି ଦ୍ଵାରା କରାଯାଇଥିବା ଏକଜିଟ୍‌ ପୋଲରେ କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡିଆ ମେଣ୍ଟ ପାଇଁ ଆସିଛି ଖୁସିର ଖବର। ଏକଜିଟ୍ ପୋଲ୍ ଅନୁସାରେ ବିଜେପିକୁ ଜମ୍ମୁ-କାଶ୍ମୀରରେ ନିରାଶ ହେବାକୁ ପଡ଼ିପାରେ। ଅନ୍ୟପଟେ ଇଣ୍ଡିଆ ମେଣ୍ଟ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢିପାରେ।   

ପବ୍ଲିକ ଟିଭି ମ୍ୟାଟ୍ରିଜର ଏକଜିଟ୍ପ ପୋଲ୍ ଅନୁସାରେ ବିଜେପିକୁ ୨୮ରୁ ୩୦ ସିଟ୍ ମିଳିପାରେ। ଅନ୍ୟପଟେ ଇଣ୍ଡିଆ ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିପାରେ। ଏଥିରୁ ଏକାକୀ ନ୍ୟାସନାଲ କନଫରେନ୍ସକୁ ୩୦ରୁ ଅଧିକ ଆସନ ମିଳିପାରେ। କଂଗ୍ରେସ ଖାତାକୁ ୩ରୁ ୬ ଆସନ ମିଳିପାରେ।ଏକାକୀ ନିର୍ବାଚନ ଲଢିଥିବା ପିଡିପି ୫ରୁ ୭ ସିଟ୍ ମିଳିପାରେ। 

ଦୈନିକ ଭାସ୍କରର ଏକଜିଟ୍ ପୋଲ୍ ଅନୁଯାୟୀ, ଜମ୍ମୁ-କାଶ୍ମୀରରେ ଝୁଲା ସରକାର ଦେଖିବାକୁ ମିଳିପାରେ। ବିଜେପିକୁ ୨୦ରୁ ୨୫ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ଇଣ୍ଡିଆ ମେଣ୍ଟକୁ ୩୫ରୁ ୪୦ ଆସନ, ପିଡିପିକୁ ୪ରୁ ୭ ଓ ଅନ୍ୟ ଖାତାକୁ ୧୨ରୁ ୧୬ ସିଟ୍ ମିଳିପାରେ।

ଆଜତକ ସି ଭୋଟରର ଏକଜିଟ୍ ପୋଲ୍ ମୁତାବକ, ବିଜେପି ୨୭ରୁ ୩୨ ଆସନ ଜିତିପାରେ। ଇଣ୍ଡିଆ ମେଣ୍ଟରେ ଥିବା କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସକୁ ୪୦ରୁ ୪୮ ସିଟ୍ ମିଳିପାରେ। ଏହିପରି ଇଣ୍ଡିଆ ମେଣ୍ଟ ଘାଟି ଉପତ୍ୟକାରେ ସରକାର ଗଢିପାରେ। ପିଡିପି ୬ରୁ ୧୨ ଓ ଅନ୍ୟ ଖାତାକୁ ୬ ରୁ ୧୧ ସିଟ୍ ମିଳିପାରେ। 

ମ୍ୟାଟ୍ରିଜର ଏକଜିଟ୍ ପୋଲ୍‌ ଅନୁସାରେ, ଜମ୍ମୁ-କାଶ୍ମୀରରେ ଝୁଲା ସରକାର ଦେଖିବାକୁ ମିଳିପାରେ। ବିଜେପି ଖାତାକୁ ୨୮ରୁ ୩୦ ସିଟ୍ ଆସିପାରେ। ଠିକ୍ ସମାନ ଆସନ ଇଣ୍ଡିଆ ମେଣ୍ଟକୁ ମିଳିପାରେ। ପିଡିପି ୫ରୁ ୭ ଓ ଅନ୍ୟାନ୍ୟକୁ ୮ରୁ ୧୬ ଆସନ ମିଳିପାରେ। 

ପିପୁଲ ପଲ୍ସର ଏକଜିଟ୍ ପୋଲ୍ ମୁତାବକ,  ବିଜେପି ୨୩ରୁ ୨୭ ଆସନ ମିଳିପାରେ। ଏଠାରେ ଇଣ୍ଡିଆ ମେଣ୍ଟକୁ ୪୬ରୁ ୫୦ ସିଟ୍ ସହ ସଂଖ୍ୟା ଗରିଷ୍ଠ ମିଳିପାରେ। ଅନ୍ୟ ଖାତାକୁ ୪ରୁ ୬ ଆସନ ମିଳିପାରେ। 

ସୂଚନାଯୋଗ୍ୟ, ୧୦ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ସଂପନ୍ନ ହୋଇଛି। ୨୦୧୯ରେ ଜମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରାଯାଇ ଧାରା ୩୭୦ ଏବଂ ୩୫ଏ ଉଚ୍ଛେଦ କରାଯାଇଥିଲା। ଜମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା। ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ପ୍ରଥମ ଥର ୯୦ ଆସନ ବିଶିଷ୍ଟ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥର ନିର୍ବାଚନରେ ୬୩ରୁ ଅଧିକ ମତଦାନ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.