କାହିଁକି କାହାକୁ ବଞ୍ଚାଇବାକୁ ଚାହୁଁଛ; ମାମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟକା, ସନ୍ଦେଶଖାଲି ମାମଲାରେ ଜାରି ରହିବ ସିବିଆଇ ତଦନ୍ତ

Published By : Prameya-News7 Bureau | July 08, 2024 IST

ନୂଆଦିଲ୍ଲୀ: ସନ୍ଦେଶଖାଲିରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ଏବଂ ଜମି ଜବରଦଖଲ ମାମଲାରେ ସୁପ୍ରିମକୋର୍ଟ ମମତା ସରକାରଙ୍କୁ ବଡ଼ ଝଟକା ଦେଇଛନ୍ତି । ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇବା ନେଇ ବେଙ୍ଗଲ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏହାସହ ମମତା ସରକାରଙ୍କ ଉପରେ କଡ଼ା ଟିପ୍ପଣୀ କରି କହିଛନ୍ତି ଯେ କାହାକୁ ରକ୍ଷା କରିବାର ଆବଶ୍ୟକତା କଣ ରହିଛି । କୋର୍ଟ ପ୍ରଶ୍ନ କରିଛନ୍ତି, 'ସରକାର କାହିଁକି କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ?' କୋର୍ଟ ଏହି ମାମଲାରେ ପଶ୍ଚିମବଙ୍ଗ ସରକାର ସମାଲୋଚନା କରି କହିଛନ୍ତି ଯେ ଏହି ମାମଲାରେ ଟିଏମସିର ଜଣେ ନେତା ସାମିଲ ଅଛନ୍ତି । ଏହାପରେ ବି ଆପଣ କିଛି କଲେ ନାହିଁ ।

ଜଷ୍ଟିସ୍ ବିଆର ଗଭଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି, 'ଏହି ସବୁ ମାମଲା ସନ୍ଦେଶଖାଲି ସହ ଜଡ଼ିତ । ଆପଣ ଅଭିଯୁକ୍ତକୁ ଗିରଫ କରିବା ବେଳେ କୌଣସି ଆକ୍ସନ ନେଲେ ନାହିଁ ।' ଏହା ବ୍ୟତୀତ କୋର୍ଟ ଏପ୍ରିଲ୍ ୧୦ରେ ହାଇକୋର୍ଟ ଦେଇଥିବା ରାୟକୁ ବଜାଏ ରଖିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟ ଯେଉଁ କଥା କହିଥିଲେ, ସେଥିରେ କିଛି ଭୁଲ ନଥିଲା । ମମତା ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ଯୁକ୍ତି ରଖିଥିଲେ ।

ସିଙ୍ଘଭୀ ସୁପ୍ରିମକୋର୍ଟରେ କହିଥିଲେ ଯେ ହାଇକୋର୍ଟ ଇଡି ମାମଲାରେ ସିବିଆଇ ତଦନ୍ତ କରିବା ପାଇଁ କହିପାରିବେ । କିନ୍ତୁ ରାସନ ଦୁର୍ନୀତି ମଧ୍ୟ ସିବିଆଇକୁ ଦେବା ଭୁଲ ଅଟେ । ସେ କହିଛନ୍ତି ଯେ ରାଜ୍ୟ ସରକାର ରାସନ ଦୁର୍ନୀତିର ତଦନ୍ତ କରିଛନ୍ତି । ଏହା ବ୍ୟତୀତ ଯୌନ ଉତ୍ପୀଡ଼ନ ଏବଂ ଜମି ଜବରଦଖଲ ମମଲାରେ ମଧ୍ୟରେ ତଦନ୍ତ କରାଯାଇଛି । ଏହି ମାମଲାରେ ମୋଟ ୪୨ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏହା ପରେ ବି କାହିଁକି ମାମଲା ସିବିଆଇକୁ ହନ୍ତାନ୍ତର କରାଗଲା । ହାଇକୋର୍ଟ ଏହା ଉପରେ କୌଣସି କାରଣ କହିନଥିଲେ ।

ଏହା ଉପରେ ଖଣ୍ଡପୀଠ କହିଥିଲେ, 'ସରକାର କାହିଁକି କିଛି ଲୋକଙ୍କୁ ବଞ୍ଚାଇବା ପାଇଁ ଇଚ୍ଛା ରଖୁଛନ୍ତି ।' କୋର୍ଟ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ମାମଲାରେ ସାମିଲ ଲୋକଙ୍କୁ କେବେ ଗିରଫ କରାଯାଇଥିଲା । ଅଦାଲତ ଏହି ସୂଚନା ଏପ୍ରିଲ ୨୯ରେ ମାଗିଥିଲେ । ସେତେବେଳେ ବି କୋର୍ଟ ପ୍ରଶ୍ନ କରିଥିଲେ ମମତା ବାନାର୍ଜୀ ସରକାର ଶାହଜହାଁ ଶେଖଙ୍କୁ କାହିଁକି ବଞ୍ଚାଇବାକୁ ଚାହୁଁଛନ୍ତି, ଯିଏ କି ଜଣେ ଟିଏମସି ନେତା ଏବଂ ଗୁଣ୍ଡା । ଏହା ଉପରେ ବେଙ୍ଗଲ ସରକାରଙ୍କ ପକ୍ଷରୁ ଆଇନଜୀବୀ ଜୟଦୀପ ଗୁପ୍ତା କହିଥିଲେ ଯେ ରାଜ୍ୟ ସରକାରଙ୍କ ବିରୋଧରେ ଏପରି ଟିପ୍ପଣୀ ଭୁଲ ଅଟେ କାରଣ ସରକାର ସବୁ ସମ୍ଭବ ଉଦ୍ୟମ କରିଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.