ଦେଶରେ ଗଡ଼ିବ ଆଉ ୬ ବନ୍ଦେ ଭାରତ ଏକ୍ସପ୍ରେସ୍‌; ରବିବାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 15, 2024 IST

ଭୁବନେଶ୍ୱର, ୧୫/୦୯: ରବିବାର ଦେଶରେ ଗଡ଼ିବ ଆଉ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଶୁଭାରମ୍ଭ କରିବେ । ଏଥିରୁ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌  ଓଡ଼ିଶା ଦେଇ ଚାଲିବ । ବ୍ରହ୍ମପୁରରୁ  ଟାଟାନଗର ଓ ରାଉରକେଲାରୁ ହାଓଡା ନୂତନ ବନ୍ଦେ ଭାରତ ଚଳାଚଳ କରିବ । ଝାଡ଼ଖଣ୍ଡର ଟାଟାରେ ସକାଳ ୯ଟା୩୦ରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଭିଡିଓ କନଫରେନ୍ସ ମାଧ୍ୟମରେ ବ୍ରହ୍ମପୁରରୁ ଏହି ଟ୍ରେନକୁ ସବୁଜ ସଙ୍କେତ ଦେବେ । ଏହି ଅବସରରେ ରାଜ୍ୟପାଳ  ରଘୁବର ଦାସ ରାଉରକେଲାରେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଉପସ୍ଥିତ  ରହିବେ । ପରେ ମୁଖ୍ୟମନ୍ତ୍ରୀ ସେହି ଟ୍ରେନ୍‌ରେ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରିବେ । 

ସେହିପରି ଟିଟିଲାଗଡ଼ ଦେଇ ଯିବାକୁ ଥିବା ରାୟପୁର(ଦୁର୍ଗ)-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସକୁ ୧୬ରେ ଅହମ୍ମଦାବାଦରୁ ଉଦଘାଟନ   କରିବେ ପ୍ରଧାନମନ୍ତ୍ରୀ । ଏହି ଭଳି ଭାବେ ଦୁଇ ଦିନରେ ଓଡ଼ିଶାକୁ ମିଳିବ ୩ ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତାକାଲି ବନ୍ଦେ ଭାରତ ଲୋକାର୍ପଣ ଉତ୍ସବ ବାଲୁଗାଁ, ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଯଖପୁରା,  ହରିଚନ୍ଦନପୁର ଓ କେନ୍ଦୁଝରଗଡ଼ରେ ମଧ୍ୟ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ  ସିଂହଦେଓ, ଖୋର୍ଦ୍ଧା ରୋଡ୍‌ରେ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଲୁଗାଁରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,  ଜଖପୁରାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିବେ । 

ଅନ୍ୟ ସମସ୍ତ ଷ୍ଟେସନରେ ସ୍ଥାନୀୟ  ସାଂସଦ ଓ ବିଧାୟକମାନେ ଯୋଗଦେବେ ବୋଲି ପୂର୍ବତଟ  ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଏ.କେ. ମିଶ୍ର ସୂଚନା ଦେଇଛନ୍ତି ।  ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ୧୭ରେ ଓଡ଼ିଶା ଆସିବେ । ଏହି ଗସ୍ତ ଅବସରରେ  ପ୍ରଧାନମନ୍ତ୍ରୀ ୨୮ଶହ କୋଟିରୁ ଅଧିକ ରେଳ ପ୍ରକଳ୍ପ ରାଜ୍ୟକୁ ଭେଟି ଦେବେ । ସେଥିମଧ୍ୟରୁ   ୪ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ସିଜୁ ଓ ପାରାଦୀପ  କୋଚିଂୟାର୍ଡ ମଧ୍ୟରେ ୭ କିଲୋମିଟରର ଫ୍ଲାଏ ଓଭରର  ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହା ସହିତ ପାରାଦୀପ ଓ ବଡ଼ବନ୍ଧ ମଧ୍ୟରେ ୧୮.୫୧ ଦୀର୍ଘ ତୃତୀୟ ଓ ଚତୁର୍ଥ  ରେଳ ଲାଇନ, ୧୦.୯୩ କିମିର ମହାନଦୀ ଇନର୍‌ କରିଡର୍‌ (ଫେଜ୍‌-୧) ଦ୍ୱିତୀୟ ରେଳ ଲାଇନ ଓ ୪୧.୯ କିମିର ଜୟପୁର-ନବରଙ୍ଗପୁର ନୂଆ ରେଳ ଲାଇନର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହା ସହିତ ୪ଟି ରେଳ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଲାଞ୍ଜିଗଡ଼ ରୋଡ-ଆମ୍ବଦୋଳା ଡୋଲକାଲୁରେ ୨୫.୩୯୪ କିମି ରେଳ ଲାଇନକୁ ଲୋକାର୍ପିତ  କରିବେ । ଯାହା ବିଜୟନଗରମ୍‌ ଓ ଟିଟିଲାଗଡ଼ ତୃତୀୟ ରେଳ  ଲାଇନର ଏକ ଅଂଶ । ଅନୁରୂପ ଭାବେ ଲକ୍ଷ୍ମୀପୁର ରୋଡ ଓ ଟିକିରି ମଧ୍ୟରେ ୨୨.୯୪ କିମି ଦ୍ୱିତୀୟ ରେଳ ଲାଇନ,   ସଦାଶିବପୁର ଦେଇ ଯାଇଥିବା ୪୦.୬୨ କିମିର ଢେଙ୍କାନାଳ ହିନ୍ଦୋଳ ରୋଡର ତୃତୀୟ ଓ ଚତୁର୍ଥ ରେଳ ଲାଇନକୁ ଲୋକାର୍ପିତ କରିବେ । ଯାହା ବୁଢାପଙ୍କ ଓ ସାଲେଗାଓଁର  ଏକ ଅଂଶ । ୧୨.୫ କିମିର ବାଙ୍ଗୁରକେଲା ଓ ନାଉଗାଁ ଦ୍ୱିତୀୟ   ରେଳପଥର ମଧ୍ୟ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.