ଭୁବନେଶ୍ବର ୨୬।୧: ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ବିଜେଡ଼ି ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ପତାକା ଉତ୍ତୋଳନ କଲେ ସଭାପତି ନବୀନ ପଟ୍ଟନାୟକ । ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ନାତୁଣୀ ମିତ୍ରା ପଣ୍ଡାଙ୍କୁ ସମ୍ମାନିତ କରିଥିଲେ ନବୀନ । ଏହି ଅବସରରେ ସାଧାରଣତନ୍ତ୍ର ଦିବସର ଶୁଭେଛା ଜଣାଇ କହିଥିଲେ ଭାରତ ଏକ ମହାନ ଦେଶ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆମ ସ୍ୱାଧୀନତା ଆସିଥିଲା । ସାରା ବିଶ୍ୱରେ ଶାନ୍ତି ଓ ଅଂହିସାର ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ଆମ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମୋର ସମ୍ମାନ ଜଣାଉଛି । ଆମ ସମ୍ବିଧାନର ପ୍ରଣେତା ବି. ଆର. ଆମ୍ବେଦକରଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି । ବହୁ ଭାଷାକୁ ନେଇ ଗଠିତ ଭାରତକୁ ଏକ ସୂତ୍ରରେ ବାନ୍ଧି ରଖୁଛି ଆମ ସମ୍ବିଧାନ । ୨୦୨୪ ମଧ୍ୟରେ ଓଡ଼ିଶା ବିକାଶ କ୍ଷେତ୍ରରେ ଅନେକ ମାଇଲଷ୍ଟୋନ ହାସଲ କରିଛି । ଭାରତ ସରକାରଙ୍କ ନୀତି ଆୟୋଗ ଆମ କାମକୁ ପ୍ରଶଂସା କରିଛି । ଓଡ଼ିଶା ଆର୍ଥିକ କ୍ଷେତ୍ରରେ ନମ୍ବର ୧ ରହିଛି ଓ ରହିବ । ମୋର ଅନୁରୋଧ ଆପଣମାନେ ଓଡ଼ିଶାବାସୀଙ୍କ ସେବା ଜାରି ରଖନ୍ତୁ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ବର ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ ।
ସେହିଭଳି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କଲେ ସଭାପତି ମନମୋହନ ସାମଲ । ଏହି ଅବସରରେ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ । ନିଜ ଅଭିଭାଷଣରେ ସମସ୍ତ ସ୍ଵାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ କୃତଜ୍ଞତା ଜ୍ଞାପନ କଲେ ରାଜ୍ୟ ସଭାପତି । ସେ କହିଥିଲେ ଯେ, ସମ୍ବିଧାନ ସୁରକ୍ଷା ନିତାନ୍ତ ଆବଶ୍ୟକ । ପୂର୍ବରୁ କୁହାଯାଉଥିଲା ଓଡ଼ିଶା ଅଭିଶପ୍ତ, ଏବେ ପରିବର୍ତ୍ତନ ହୋଇଛି । ଆମ ସରକାର ଆସିଛି, ସ୍ୱାବଲମ୍ବ ନୀତିରେ ଆମେ ଚାଲିଛୁ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ଆବଶ୍ୟକ । ସମସ୍ତେ ଚାହୁଁଥିଲେ କିପରି ପରିବର୍ତ୍ତନ ହେବ, ତାହା ହୋଇଛି । ଭାରତବର୍ଷ ସହ ଓଡ଼ିଶା ବିକାଶ ଧାରାରେ ତାଳ ଦେଇ ଚାଲିବ । ୭ ମାସରେ ୫ ଥର ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଫୋକସ୍ରେ ଓଡ଼ିଶା । ୪ ଜଣ ଶନିବାର ପଦ୍ମ ପୁରସ୍କାର ପାଇଛନ୍ତି । ୩ ଜଣ କେନ୍ଦ୍ର କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି । କେନ୍ଦ୍ରକୁ ସହଯୋଗ କରିବା ଆମ ପ୍ରଥମ ଦାୟିତ୍ଵ । ସରକାର ଯାହା କରିବ ତାକୁ ଅକୁଣ୍ଠ ଚିତ୍ତରେ ସମର୍ଥନ ଦଳ କଲେ ବିକାଶ ଆଗେଇ ପାରିବ ବୋଲି ମନମୋହନ କହିଥିଲେ । ଲୋକେ ୨୪ ବର୍ଷ ଶାସନକୁ ମୁହଁ ବୁଲେଇଛନ୍ତି । ଆମକୁ ଦୟିତ୍ଵ ଦେଇଛନ୍ତି । ଆଜି ଓଡ଼ିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହୋଇଛି । ଚାଷୀଙ୍କୁ ପ୍ରତିଶ୍ରୁତି ମୁତାବକ ସହାୟତା ଦିଆଯାଇଛି । ଅସ୍ମିତା କଥା କହି ଲୋକଙ୍କ ହୃଦୟରେ ଅଛୁ । ଆମେ ବିକଶିତ ଓଡ଼ିଶା ଗଢିବା । ୨୪ ବର୍ଷ ଆମ ପାଇଁ ଲମ୍ବା ଅବଧି ନୁହଁ, ୫ ବର୍ଷ ଆମ ପାଇଁ ଲମ୍ବା ଅବଧି । ଯୁବକଙ୍କ ଦାୟିତ୍ଵ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।
ସେପଟେ କଂଗ୍ରେସ ଭବନରେ ପତାକା ଉତ୍ତୋଳନ କରିଛନ୍ତି ବିଧାୟକ ରାମଚନ୍ଦ୍ର କାଡ଼ାମ । ଏହି ଅବସରରେ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିଥିଲେ । କଂଗ୍ରେସ ଦଳର ବରିଷ୍ଠ ନେତା ଓ କର୍ମୀ ସମସ୍ତେ ଉପସ୍ଥିତ ରହିଥିଲେ । ତେବେ ପତାକା ଉତ୍ତୋଳନ ପୂର୍ବରୁ ବନ୍ଦେ ମାତରମ ଗୀତ ପରିବେଷଣ କରିଥିଲେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ । ଏହି ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପତାକା ଉତ୍ତୋଳନ କରିଥିଲେ । ସମ୍ବିଧାନକୁ ନେଇ ବିଜେପି ଓ RSSକୁ ଟାର୍ଗେଟ୍ କରିଥିଲା କଂଗ୍ରେସ । ଯେଉଁମାନେ ପୂର୍ବରୁ ସମ୍ବିଧାନକୁ ମାନୁ ନଥିଲେ ଆଜି ମଧ୍ୟ ସମ୍ମାନଦେଉନାହାନ୍ତି । ନ୍ୟାୟିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି । RSS ମୁଖ୍ୟ କହୁଛନ୍ତି ରାମ ମନ୍ଦିର ହେଲା ପରେ ଭାରତ ସ୍ୱାଧୀନ ହେଇଛି । ଏବେ ସମ୍ବିଧାନ ବିପଦରେ ଅଛି । ସମସ୍ତେ ଏକ ହୋଇ ଲଢ଼ିବାର ଅଛି କାରଣ ସମ୍ବିଧାନ ଆମକୁ ଅନେକ ସୁବିଧା ଓ ସୁଯୋଗ ଦେଇଛି ବୋଲି ସେ କହିଥିଲେ ।
You Can Read:
ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଘର, ଘରେ କେହି ନଥିବାରୁ ବଡ଼ ଅଘଟଣରୁ ବର୍ତ୍ତିଗଲେ ପରିବାରଲୋକ