ହଲଦୀରାମ ଓ ପେପସିକୋ ମଧ୍ୟରେ ହୋଇପାରେ ବଡ଼ ଡିଲ୍‌, ଚାଲିଛି ଆଲୋଚନା

Published By : Prameya-News7 Bureau | January 15, 2025 IST

ନୂଆଦିଲ୍ଲୀ: ଦେଶର ସବୁଠୁ ପୁରୁଣା ସ୍ନାକ୍ସ କମ୍ପାନି ହଲଦୀରାମ୍‌ରେ ଶେୟାର କିଣିବା ପାଇଁ ଏବେ ରେସରେ ବିଦେଶୀ କମ୍ପାନି। ନିକଟରେ ସିଙ୍ଗାପୁରର ଗ୍ଲୋବାଲ ଇନଭେଷ୍ଟମେଣ୍ଟ କମ୍ପାନି ଟେମାସେକ ହଲଦୀରାମରେ ମାଇନରିଟି ଷ୍ଟେକ କିଣିବା ପାଇଁ ଟର୍ମ ପେପର ହସ୍ତାକ୍ଷର କରିଥିବାବେଳେ ଏବେ ପୋପସିକୋର ନାଁ ମଧ୍ୟ ସାମ୍‌ନାକୁ ଆସିଛି। ପେପସିକୋ ମଧ୍ୟ ହଲଦୀରାମ ସହ ଟର୍ମ ପେପରେ ହସ୍ତାକ୍ଷର କରିଛି। ଏମିତିରେ ଯଦି ହଲଦୀରାମ ଏବଂ ପେପସିକୋ ମଧ୍ୟରେ ସହମତି ହେଉଛି ତେବେ ହଲଦୀରାମ ଏବଂ ପେପସିକୋର ପାର୍ଟନରସିପ୍‌ ହେବ ସବୁଠୁ ବଡ଼ ଡିଲ। 

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ହଲଦୀରାମରେ ଅଂଶଧନ କିଣିବା ରେସରେ ସବୁଠୁ ଆଗରେ ରହିଛି ପେପସିକୋ। ଅବଶ୍ୟ ହଲଦୀରାମରେ ଅଂଶଧନ କଣିବାକୁ ଟେମାସେକ ଏବଂ ଆଲଫା ଓ୍ବେବ ଗ୍ଲୋବାଲ ଭଳି ବଡ଼ କମ୍ପାନି ମଧ୍ୟ ପ୍ରମୁଖ ଦାବିଦାର ଅଛନ୍ତି। ହେଲେ ପେପସିକୋ, ଅଗ୍ରଓ୍ବାଲ ଫ୍ୟାମିଲି ସହ ମାଇନରିଟି ଷ୍ଟେକ୍ କିଣିବା ଡିଲକୁ ନେଇ ସିଧାସଳଖ କଥାବାର୍ତ୍ତା କରୁଛି।

ସେପେଟେ ହଲଦୀରାମକୁକୁ ଶେୟାର ବିକ୍ରିରୁ ୮୫- ୯୦ ହଜାର କୋଟି ଟଙ୍କାର ଭ୍ୟାଲୁଏସନର ଆଶା ରହିଛି। ଏହା ଏଥିପାଇଁ କାରଣ ପ୍ରଥମ ଥର କମ୍ପାନି କୌଣସି ବାହାର ନିବେଶକଙ୍କୁ ସାମିଲ କରିବାକୁ ଚାହୁଛି। ସେହିଭଳି, ଲେଜ୍ ଚିପ୍ସ, କୁର୍‌କୁରେ ସ୍ନାକ୍ସ, ଡୋରିଟୋସ ନାଚୋ ଚିପ୍ସ ପ୍ରସ୍ତୁତ କରୁଥିବା କମ୍ପାନି ପେପସିକୋକୁ ମଧ୍ୟ ଘରୋଇ ବଜାରରେ କଡ଼ା ପ୍ରତିଯୋଗିତାର ସାମ୍‌ନା କରିବାକୁ ପଡ଼ୁଛି। ଏଥିପାଇଁ ପେପସିକୋ ଏହି ଡିଲ୍‌କୁ ନେଇ ବେଶ୍‌ ଉତ୍ସାହିତ ରହିଛି। ଆଉ ହଲଦୀରାମ ସହ ସିଧାସଳଖ କଥାବାର୍ତ୍ତା କରୁଛି। ଅବଶ୍ୟ କମ୍ପାନି ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। 

ତେବେ ଯଦି ହଲଦୀରାମ ଆଉ ପେପସିକୋର ପାର୍ଟନରସିପ୍ ହୁଏ ତେବେ ଏହି ଡିଲ୍ ହେବ ସବୁଠୁ ବଡ଼ ଡିଲ୍‌। ଏହା ପୂର୍ବରୁ ଜାନୁଆରୀ ୮ରେ ରିପୋର୍ଟ ଅନୁଯାୟୀ, ଟେମାସେକ ୧ ବିଲିୟନରୁ ଅଧିକର ଶେୟାର କିଣିବା ପାଇଁ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.