ନୂଆଦିଲ୍ଲୀ: ସୋମବାର ଜାରି ତଥ୍ୟ ଅନୁଯାୟୀ ୨୦୨୪ ଡିସେମ୍ବରର ଖଚୁୁରା ମୁଦ୍ରାସ୍ଫୀତି ଚାରି ମାସର ସର୍ବନିମ୍ନ ସ୍ତରକୁ ଖସି ୫.୨୨ % ରହିଥିଲା। ଯାହା ନଭେମ୍ବରରେ ୫.୪୮ ରହିଥିଲା। ତେଣୁ କହିପାରିବା ଖୁଚୁରା ମୁଦ୍ରାସ୍ଫୀତିରେ ହୋଇଥିବା ହ୍ରାସରୁ ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହେଲେ କିନ୍ତୁ ପାଇକାରୀ ମୁଦ୍ରାସ୍ଫୀତିରେ ଏଭଳି କିଛି ଆଶ୍ବସ୍ତି ମିଳିନାହିଁ। କାରଣ ଡିସେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତିରେ ହୋଇଛି ବୃଦ୍ଧି।
ମଙ୍ଗଳବାର ଜାରି ତଥ୍ୟ ଅନୁଯାୟୀ, ଡିସେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ବଢ଼ି ୨.୩୭ ପ୍ରତିଶତରେ ପହଞ୍ଚିଛି। ଯେତେବେଳେକି ଏହା ନଭେମ୍ବରରେ ୧.୮୯ ପ୍ରତିଶତ ରହିଥିଲା। ଆଉ ଏକ ବର୍ଷ ତଳ କଥା କହିଲେ ଡିସେମ୍ବର ୨୦୨୩ରେ ପାଇକାରୀ ମୁଦ୍ରାସ୍ଫୀତି ୦.୮୬ ପ୍ରତିଶତ ରହିଥିଲା। ତେବେ ପାଇକାରୀ ମୁଦ୍ରାସ୍ଫୀତିରେ ପ୍ରମୁଖ ଭୂମିକା ନିଭାଇ ଥିବା କାରକ ମଧ୍ୟରେ ରହିଛି ବିନିର୍ମାଣ ଉତ୍ପାଦର ଦାମ୍ରେ ବୃଦ୍ଧି। ସେହିଭଳି ପନିପରିବା ମୁଦ୍ରାସ୍ଫୀତି ନଭେମ୍ବରରେ ୨୮.୫୭ ପ୍ରତିଶତ ତୁଳନାରେ ଡିସେମ୍ବରରେ ୨୮.୬୫ ପ୍ରତିଶତ ରହିଥିଲା। ଆଳୁର ମୁଦ୍ରାସ୍ଫୀତି ୯୩.୨୦ ପ୍ରତିଶତର ଉଚ୍ଚ ସ୍ତରରେ ରହିଛି। ପିଆଜର ମୁଦ୍ରାସ୍ଫୀତି ଡିସେମ୍ବରରେ ବଢ଼ି ୧୬.୮୧ ପ୍ରତିଶତ ହୋଇଛି। ତେଣୁ ଏସବୁ ସାମଗ୍ରୀର ଦାମ୍ ଏବେବି ଅଧିକ ରହିଛି।
ଅବଶ୍ୟ ପାଇକାରୀ ମୁଦ୍ରାସ୍ଫୀତିରେ ବୃଦ୍ଧି ସତ୍ତ୍ବେବି ଖାଦ୍ୟ ପଦାର୍ଥ ଦାମ୍ରେ ବିଶେଷ ବୃଦ୍ଧି ହୋଇନାହିଁ। ତଥ୍ୟ ଅନୁଯାୟୀ, ଖାଦ୍ୟ ପଦାର୍ଥର ମୁଦ୍ରାସ୍ଫୀତି ଡିସେମ୍ବର ୨୦୨୪ରେ ଖସି ୮.୪୭ ପ୍ରତିଶତ ରହିଛି। ଯେତେବେଳେକି ନଭେମ୍ବରରେ ଏହା ୮.୬୩ ପ୍ରତିଶତ ରହିଥିଲା। ଖାଦ୍ୟ ପଦାର୍ଥରେ ଚାଉଳ, ଡାଲି, ଗହମର ମୁଦ୍ରାସ୍ଫୀତି ଡିସେମ୍ବରରେ କମ୍ ହୋଇଛି। ଇନ୍ଧନ ଏବଂ ବିଜୁଳି କଥା କହିଲେ ଡିସେମ୍ବରରେ ମୁଦ୍ରାସ୍ଫୀତି କମି ୩.୭୯ ପ୍ରତିଶତ ହୋଇଛି ଯାହା ନଭେମ୍ବରରେ ୫.୮୩ ପ୍ରତିଶତ ରହିଥିଲା।
ଏହା ପୂର୍ବରୁ ସୋମବାର ଜାରି ହୋଇଥିବା ଖୁଚୁରା ମୁଦ୍ରାସ୍ଫୀତିର ତଥ୍ୟ ଅନୁଯାୟୀ, ଖାଦ୍ୟ ପଦାର୍ଥର ଦାମ୍ରେ ହ୍ରାସ କାରଣରୁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ଡିସେମ୍ବର ୨୦୨୪ରେ ଚାରି ମାସର ସର୍ବନିମ୍ନ ସ୍ତର ୫.୨୨ ପ୍ରତିଶତକୁ ଆସିଛି।