ମୁମ୍ବାଇ: ଫ୍ଲାଏଓଭରରେ ଓଭରଟେକିଂ ବେଳେ ଦୁର୍ଘଟଣା, ମହିଳାଙ୍କ ସମେତ ୨ ମୃତ

Published By : Prameya-News7 Bureau | March 29, 2025 IST

ଦାଦର ୨୯।୩: ମୁମ୍ବାଇରେ ଶନିବାର ଏକ ବଡ଼ ଧରଣର ଦୁର୍ଘଟଣା ହୋଇଛି। ଏକ ଦ୍ରୁତଗାମୀ ଏସୟୁଭି ଫ୍ଲାଏଓଭରରେ ଓଭରଟେକିଂ କରୁଥିବା ବେଳେ ଗାଡିକୁ ଧକ୍କା ଦେବାରୁ ତାହା ସାମ୍ନାରୁ ଆସୁଥିବା  ଯାତ୍ରୀବାହୀ ଟ୍ୟାକ୍ସି ସହ ଧକ୍କା ଲାଗିଛି।  ଫଳରେ ଟ୍ୟାକ୍ସି ଚାଳକଙ୍କ ସମେତ ଏଥିରେ ଯାତ୍ରା କରୁଥିବା ମହିଳା ଯାତ୍ରୀ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ମୁମ୍ବାଇର ଦାଦର ଅଞ୍ଚଳରେ ହୋଇଛି। ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହିତ ମାମଲାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଏସୟୁଭି ଚାଳକକୁ ପୋଲିସ ଗିରଫ କରିଛି। 

ରିପୋର୍ଟ ଅନୁସାରେ ମଧ୍ୟାହ୍ନ ପ୍ରାୟ ୧ଟା ୧୫ ମିନିଟରେ ସେନାପତି ବାପଟ ଫ୍ଲାଇ ଓଭରରେ ଏକ ମହିନ୍ଦ୍ରା ଏସୟୁଭି ଦ୍ରୁତବେଗରେ ଟୟୋଟା ଇଟିଓସକୁ ଓଭରଟେକିଂ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ସନ୍ତୁଳ ହରାଇ ଏସୟୁଭିଟି ଇଟିଓସକୁ ଧକ୍କା ଦେଇଥିଲା  ଓ ତାହା ବିପରୀତ ଦିଗରୁ ଆସୁଥିବା ଟ୍ୟାକ୍ସି ସହ ମୁହାଁମୁହିଁ ଧକ୍କା  ହୋଇ ଯାଇଥିଲା। ଫଳରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟ୍ୟାକ୍ସି ଚାଳକ ଓ ଏଥିରେ ଥିବା ମହିଳା ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। 

ଏହି ଦୁର୍ଘଟଣା ସେତେବେଳେ ଘଟିଛି ଯେତେବେଳେ ଟ୍ୟାକ୍ସି ଚିଚପୋକଲୀ ଆଡକୁ ଓ ମହିନ୍ଦ୍ରା ଏସୟୁଭି ବାନ୍ଦ୍ରା ଆଡକୁ ଯାଉଥିଲା। ଏହି ଦୁର୍ଘଟଣା ପରେ ଫ୍ଲାଏଓଭରରେ ଟ୍ରାଫିକ ଜାମ ହୋଇଯାଇଥିଲା। ଏଣୁ ଫ୍ଲାଏ ଓଭରରେ ଯାନବାହନ ଯାତ୍ରା ସୁଗମ କରିବାକୁ ପୋଲିସକୁ ଅକ୍ଳାନ୍ତ ଉଦ୍ୟମ କରିବାକୁ ପଡିଛି। ଗିରଫ ପରେ ଏସୟୁଭି ଚାଳକକୁ ପୋଲିସ ମେଡିକାଲ ଯାଞ୍ଚ ପାଇଁ ପଠାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.