ଚେନ୍ନାଇ: ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଲାଣି। ଶାସକ ଡିଏମକେକୁ ମାତ୍ ଦେବା ପାଇଁ ବିରୋଧୀ ଏଆଇଏଡିଏମକେ ଓ ବିଜେପି ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଡିଏମକେକୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ତାମିଲନାଡୁରେ ଏକ ବଡ଼ ମେଣ୍ଟ ଗଠନ କରିବାକୁ ଅଣ୍ଟା ଭିଡ଼ିଛି।
ଅମିତ ଶାହଙ୍କ ପଲ୍ଲାନିସ୍ଵାମୀଙ୍କ ସହିତ ବୈଠକ ପରେ ଏଆଇଡିଏମକେ ପୁଣି ଥରେ ଏନଡିଏକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ସଙ୍କେତ ମିଳିଛି। ହେଲେ ବିଜେପି ଏଆଇଏଡିଏମକେ ସହିତ ଦିନାକରନ, ପନ୍ନିରସେଲଭମ, ଜିକେ ଓ୍ବାସନ ଓ ରାମଦୌସଙ୍କୁ ଏନଡିଏରେ ଯୋଡ଼ି ରଖିବାକୁ ଚାହୁଁଛି।
ଅନ୍ୟପଟେ ଦିନାକରନ ଓ ପନ୍ନିରସେଲଭନଙ୍କୁ ନେଇ ପଲ୍ଲାନିସ୍ଵାମୀଙ୍କ ଘୋର ଆପତ୍ତି ରହିଛି। କିନ୍ତୁ ବିଜେପି ସମସ୍ତଙ୍କୁ ମନାଇ ପାରିବ ବୋଲି ଆଶା ରହିଛି। କେବଳ ଏତିକି ନୁହେଁ ବିଜେପି ଅଭିନେତା ବିଜୟ ଥାଲାପତିଙ୍କ ପାର୍ଟି ସହ ମେଣ୍ଟ କରିବା ନେଇ ବିକଳ୍ପ ଖୋଜୁଛି।
୭.୨ କୋଟି ଜନସଂଖ୍ୟା ବିଶିଷ୍ଟ ତାମିଲନାଡ଼ୁରେ ଭିନ୍ନ ଭିନ୍ନ ଜାତିକୁ ନେଇ ରାଜନୈତିକ ସମୀକରଣ ଓ ଭୋଟ୍ ବ୍ୟାଙ୍କ ଦେକିବାକୁ ମିଳିଥାଏ। ଗତ ପାଞ୍ଚ ଦଶନ୍ଧି ଧରି କ୍ଷମତାରେ ରହିଥିବା ଡିଏମକେ ଓ ଏଆଇଏଡିଏମକେ ନିଜ ମେଣ୍ଟରେ ଜାତି ଆଧାରିତ ଛୋଟ ଛୋଟ ଦଳକୁ ସ୍ଥାନ ଦେଇ ଆସିଛନ୍ତି। ବର୍ତ୍ତମାନ ଶାସକ ଡିଏମକେ ମେଣ୍ଟରେ କଂଗ୍ରେସ, ସିପିଆଇ, ସିପିଏମ ସହିତ ସାତଟି ଦଳ ରହିଛନ୍ତି।
ଅନ୍ୟପଟେ ଏଆଇଏଡିଏମକେ ମେଣ୍ଟରେ ଚାରି ଦଳ ରହିଛି। ଏଆଇଏଡିଏମକେ ସହିତ ଅଲଗା ହୋଇ ୨୦୨୪ରେ ଲୋକସଭା ନିର୍ବାଚନ ଲଢିଥିବା ବିଜେପି ନଅଟି ଦଳ ସହ ମେଣ୍ଟ ପ୍ରସ୍ତୁତ କରିଥିଲା। ଏଥିରେ ଏକାକୀ ପନ୍ନିରସେଲଭନ ମଧ୍ୟ ସାମିଲ୍। ଅଲଗା ଅଲଗା ଲଢିବା କାରଣରୁ ଏଆଇଏଡିଏମକେ ଓ ବିଜେପି ଦୁଇ ଦଳ ତାମିଲନାଡ଼ୁରେ ଖାତା ବି ଖୋଲି ପାରି ନ ଥିଲେ। ଏହି କାରଣରୁ ଏବେ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦୁଇ ଦଳ।
ଯଦି ଏନଡିଏ ଓ ଏଆଇଏଡିଏମକେରେ ସାମିଲ ସବୁ ଦଳ ଏନଡିଏ ସହ ମେଣ୍ଟ କରନ୍ତି ତେବେ ତାମିଲନାଡ଼ୁରେ ଏ ପର୍ଯ୍ୟନ୍ତ ଏହା ସବୁଠୁ ବଡ଼ ମେଣ୍ଟ ହେବ। ଅନ୍ୟପଟେ ଅଭିନେତା ବିଜୟ ଥାଲାପତିଙ୍କ ଦ୍ଵାରା ଗଠିତ ନୂଆ ପାର୍ଟି ଟିଭିକେକୁ ମଧ୍ୟ ଏନଡିଏରେ ସାମିଲ କରିବାକୁ ବିଜେପି ପ୍ରସ୍ତୁତି ଚଳାଇଛି।
ଏଆଇଏଡିଏମକେ ଓ ଟିଭିକେ ମଧ୍ୟରେ ମେଣ୍ଟକୁ ନେଇ ପୂର୍ବରୁ ମଧ୍ୟ ଆଲୋଚନା ହୋଇ ସାରିଛି। ମାତ୍ର ଅଭିନେତା ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ପ୍ରା୍ର୍ଥୀ ଘୋଷିତ କରିବା ଓ ଅଧା ସିଟ୍ ଟିଭିକେଙ୍କୁ ଦିଆଯିବା ସର୍ତ୍ତ କାରଣରୁ ମେଣ୍ଟ ଅନ୍ତିମ ରୂପ ନେଇ ପାରି ନ ଥିଲା।
ବିଜେପି ନେତୃବୃନ୍ଦ ଏବେ ଅଭିନେତା ବିଜୟଙ୍କ ସହିତ ନୂତନ ଭାବେ ଆଲୋଚନା ଆରମ୍ଭ କରିଛି। ସବୁ ଦଳକୁ ସୁହାଇଲା ପରି ପ୍ରସ୍ତାବ ଦେବାକୁ ବିଜେପି ଉଦ୍ୟମ ଚଳାଇଛି। ତାମିଲନାଡୁରେ କେମିତି ଡିଏମକେ ବିରୋଧୀ ଦଳକୁ ଭାଗ ଭାଗ ହେବାରୁ ରକ୍ଷା କରି ସଭିଙ୍କୁ ଗୋଟିଏ ମଞ୍ଚରେ ଆଣିବାକୁ ବିଜେପି ଲକ୍ଷ୍ୟ ରଖିଛି।