ନୂଆଦିଲ୍ଲୀ: ଡାକ୍ତରଙ୍କୁ ଧାରୁଆ ଅସ୍ତ୍ରରେ ରୋଗୀଙ୍କ ଆକ୍ରମଣ । ଲହୁଲୁହାଣ ହେଲେ ଡାକ୍ତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀ ସଫଦରଗର ହସ୍ପିଟାଲରେ । ଏଠାରେ ଜଣେ ରୋଗୀ ଡାକ୍ତରଙ୍କୁ ସ୍କ୍ରୁଡ୍ରାଇଭରରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଡାକ୍ତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ସେପ୍ଟେମ୍ବର ୪ ତାରିଖରେ ହସ୍ପିଟାଲର ଅର୍ଥୋପେଡିକ୍ ବିଭାଗର ଡାକ୍ତର ରାହୁଲ କନେଲା, ଜରୁରୀକାଳୀନ ସେବା ଗୃହରେ ନିୟୋଜିତ ଥିଲ । ତେବେ ଦିନ ପ୍ରାୟ ୧ଟା ବେଳକୁ ସେଠାରେ ଥିବା ଜଣେ ରୋଗୀ ଡାକ୍ତରଙ୍କ ତାଙ୍କ ହାତରେ ଲାଗିଥିବା ସାଲାଇନ୍ ଛୁଞ୍ଚିକୁ କାଢ଼ିବାକୁ କହିଥିଲେ। ତେବେ ଡାକ୍ତର କହିଥିଲେ ଯେ, ଏଥିପାଇଁ ନର୍ସ ଷ୍ଟାଫ୍ଙ୍କୁ କୁହନ୍ତୁ। ଆଉ ଏହା ପରେ ରୋଗୀ ଜଣକ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ।
ଆହୁରି ପଢ଼ନ୍ତୁ: ଗୁରୁଙ୍କ ଅମାନବୀୟ ଦଣ୍ଡ ! ଛାତ୍ରକୁ ମାଡ଼ିବସିଲେ ସହପାଠୀ, ପ୍ଲାଷ୍ଟିକ୍ ପାଇପ୍ରେ ପିଟିଲେ ଶିକ୍ଷକ
ରୋଗୀ ଜଣକ ‘ମୁଁ ତୁମକୁ ମାରିଦେବି’ କହି ନିଜ ପକେଟରୁ ଏକ ସ୍କ୍ରୁଡ୍ରାଇଭର କାଢ଼ି ଉକ୍ତ ୨୬ ବର୍ଷୀୟ ଡାକ୍ତରଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଡାକ୍ତରଙ୍କ ବେକ ଏବଂ କାନ୍ଧରେ ଆଘାତ ଲାଗିଛି। ତେବେ ହସ୍ପିଟାଲରେ ଥିବା ଅନ୍ୟ ଡାକ୍ତରମାନେ ସଙ୍ଗେ ସଙ୍ଗେ ତାଙ୍କୁ ବଞ୍ଚେଇବାକୁ ଆସିଥିଲେ ଏବଂ ରୋଗୀଙ୍କୁ ଆକ୍ରମଣ କରିବାରୁ ଅଟକାଇଥିଲେ।
ତେବେ ଡାକ୍ତର କନେଲା କହିଛନ୍ତି ତାଙ୍କ ଡାହାଣ ହାତର ଦୁଇ ଆଙ୍ଗୁଠି କ୍ଷତାକ୍ତ ହୋଇଛି। ସେ ରୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ତେବେ ଏହି ଘଟଣାରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।