ଭୁବନେଶ୍ୱର ୨୬।୭: ଆବିଷ୍କାର ହେଲା ନାଗବଂଶୀ ଶିଳାଲେଖ । ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଛିନ୍ଦକ ନାଗବଂଶୀ ରାଜା ସୋମେଶ୍ୱର ଦେବ (୧୦୬୯-୧୧୧୦)ଙ୍କ ସମୟର ଶିଳାଲେଖ ଆବିଷ୍କାର କରାଯାଇଛି । ଏହା ୯୫୦ ବର୍ଷ ତଳର ହୋଇଥିବା ଜଣାପଡିଛି । ପାରଳାଖେମୁଣ୍ଡିର ଯୁବ ଲିପିତତ୍ତ୍ୱ ଗବେଷକ ବିଷ୍ଣୁ ମୋହନ ଅଧିକାରୀ ଏହାକୁ ଜୟପୁର ସଂଗ୍ରହାଳୟରେ ଆବିଷ୍କାର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧ ତାରିଖରେ ବିଷ୍ଣୁ ମୋହନ ଅଧିକାରୀ ସ୍ଥାନୀୟ ଅଞ୍ଚଳର ଶରତ ରାଉତରାୟ ଓ ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହ ଜୟପୁର ସଂଗ୍ରହାଳୟକୁ ଯାଇଥିଲେ । ସେହି ସମୟରେ ସେଠାରେ ସେ ଏହି ଶିଳାଲେଖକୁ ପାଇଥିଲେ । ତାଙ୍କ କହିବା ଅନୁସାରେ, ଏହି ଶିଳାଲେଖର ପ୍ରାପ୍ତି ସ୍ଥଳ ଭୈରବ ସିଂହପୁର ଅଞ୍ଚଳ । ଶିଳାଲେଖଟି ନାଗବଂଶୀ ରାଜା ଧାରବର୍ଷ ଓ ଗୁଣ୍ଡ ମହାଦେବୀଙ୍କ ପୁତ୍ର ସୋମେଶ୍ୱର ଦେବଙ୍କ ସମୟର । ଶିଳାଲେଖରେ ସଂସ୍କୃତ ମିଶା ଓଡ଼ିଆରେ ତତ୍କାଳୀନ ଓଡ଼ିଆ ଲିପିର କ୍ରମବିକାଶ ଦେଖାଯାଏ । ଏହାକୁ ଧରମେଶ୍ୱର ନାମକ ଶିବ ମନ୍ଦିର ନିମିତ୍ତ ଦାନ କରାଯାଇଥିଲା । ପରେ ଏହା ସଂଗ୍ରହାଳୟକୁ ଆସିଛି ବୋଲି ସେ କହିଛନ୍ତି । ଏଯାବତ୍ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ପ୍ରାପ୍ତ ଶିଳାଲେଖ ମଧ୍ୟରେ ଏହା ପ୍ରଥମ ଛିନ୍ଦକ ନାଗବଂଶୀ ଶିଳାଲେଖ ଯାହା କୋରାପୁଟ ଜିଲ୍ଲାର ବର୍ତ୍ତମାନ ପର୍ଯ୍ୟନ୍ତ ଆବିଷ୍କୃତ ଶିଳାଲେଖ ମଧ୍ୟରେ ପ୍ରଥମ ବୋଲି ଖରିଆର କଲେଜର ଇତିହାସ ଅଧ୍ୟକ୍ଷ ରାଜ କୁମାର ରତେ କହିଛନ୍ତି ।
ଏହା ପୂର୍ବରୁ ନବରଙ୍ଗପୁରରୁ ନଳବଂଶୀ ଶିଳାଲେଖ ମିଳିଥିଲା । କୋରାପୁଟର ପୁରୁଣା କେଚେଲା ତାମ୍ର ଶାସନ ପୂର୍ବରୁ ଏହା ମିଳିବା ଅନ୍ୟତମ ପୁରାତନ ଅଭିଲେଖ । ଏହି ନାଗବଂଶୀ ରାଜାମାନେ ଚକ୍ରକୋଟ (ବର୍ତ୍ତମାନ ଛତିଶଗଡର ବସ୍ତର) ଅଞ୍ଚଳ ସହ ଇନ୍ଦ୍ରାବତୀ ନଦୀ ଉପତ୍ୟକାରେ ରାଜୁତି କରିଥିଲେ । ଓଡ଼ିଶାର ସୋମବଂଶୀ ଶାସକ ଜନ୍ମେଜୟ ଏହାଙ୍କ ମିତ୍ର ଥିବା ବେଳେ ଏହି ରାଜବଂଶ ପୂର୍ବଗଙ୍ଗ ସାମ୍ରାଜ୍ୟ ଅଧୀନରେ ରହି କାଳଚୁରି ମାନଙ୍କ ସହ ଏକତ୍ର ସଂଘର୍ଷ କରିଥିବା ଐତିହାସିକ ପ୍ରମାଣ ମିଳେ ବୋଲି ସେ କହିଛନ୍ତି ।
You Can Read:
ରବିବାର ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖା ଦେବ, ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ