ଦିଲ୍ଲୀରେ ବାଣ ବ୍ୟାନ, କେଜ୍ରିୱାଲଙ୍କ ଜାମିନ ଖୁସିରେ କଟକଣାକୁ ଧୂଆଁରେ ଉଡାଇଲେ କର୍ମୀ

Published By : Prameya-News7 Bureau | September 13, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଥିତ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ଜାମିନ ମିଳିଛି । ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ସେ ଜେଲରୁ ବାହାରକୁ ଆସିଛନ୍ତି । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକଙ୍କୁ ଜାମିନ ମିଳିବା ପରେ ପାର୍ଟିରେ ଖୁସି ଲହର ଖେଳିଯାଇଛି । ମିଠା ବାଣ୍ଟିବାଠାରୁ ଆରମ୍ଭ କରି ବାଣ ଫୁଟାଯାଉଛି । କିନ୍ତୁ ଏହି ଖୁସିରେ ଦଳର କାର୍ଯ୍ୟକର୍ତ୍ତା ତାଙ୍କ ସରକାର ଦ୍ୱାରା ଲାଗୁ କରାଯାଇଥିବା କଟକଣାକୁ ଖୁଲମଖୁଲା ଉଲ୍ଲଂଘନ କରିଛନ୍ତି । ଦିଲ୍ଲୀ ସରକାର ୨୦୨୫ ଜାନୁଆରୀ ୧ ଯାଏ ସମସ୍ତ ପ୍ରକାର ବାଣ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ।

ଅରବିନ୍ଦ କେଜ୍ରିୱାଲଙ୍କୁ କଥିତ ମଦ ଦୁର୍ନୀତି ମାମଲାରେ ଜଡ଼ିତ ସିବିଆଇ କେସ୍‌ରେ ସର୍ବୋଚ୍ଚ ଅଦାଲତ ଜାମିନ ପ୍ରଦାନ କରିଛନ୍ତି । ନିଜ ନେତାଙ୍କୁ ଜାମିନ ମିଳିବା ପରେ ପାର୍ଟିର କର୍ମକର୍ତ୍ତା ଖୁସିରେ ବିଭୋର ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆବାସ ବାହାରେ ବାଜା ବଜାଇ ଖୁସି ମନାଇଛନ୍ତି । ତେବେ ଏହି ଖୁସିରେ ବାଣ ଫୁଟାଇ ନିଜ ସରକାରଙ୍କ ଚାରି ଦିନ ପୁରୁଣା କଟକଣାକୁ ଧୂଆଁରେ ଉଡାଇ ଦେଇଛନ୍ତି ।

ଚାରି ଦିନ ପୂର୍ବେ ସେପ୍ଟେମ୍ୱର ୯ରେ ଦିଲ୍ଲୀ ସରକାରର ମନ୍ତ୍ରୀ ଗୋପାଲ ରାୟ ପ୍ରଦୂଷଣ ରୋକିବା ପାଇଁ ବାଣ ଉପରେ କଟକଣା ଲଗାଇଥିଲେ । ଶୀତ ଦିନରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବାଣ ତିଆରି, ବିକ୍ରି ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ଏପରିକି ଅନଲାଇନ ବାଣ କିଣା-ବିକା ଉପରେ ରୋକ ଲଗାଯାଇଛି । ଏହି କଟକଣା ୨୦୨୫ ଜାନୁଆରୀ ୧ ଯାଏ ପ୍ରଭାବୀ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.