ନୂଆଦିଲ୍ଲୀ: ବିହାରର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଚଳିତ ବର୍ଷ ହେବାକୁ ଥିବା ବିହାର ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛି ଆମ୍ ଆଦମୀ ପାର୍ଟି। ତେବେ ପାର୍ଟି ସଭିଙ୍କୁ ଚକିତ କରି ସମସ୍ତ ସିଟ୍ରେ ଲଢିବାକୁ ଘୋଷଣା କରିଛି।
ଏଏନଆଇ ସହ ଆଲୋଚନା ବେଳେ ସୌରଭ ଭରଦ୍ଵାଜ କହିଛନ୍ତି, ଗୁଜରାଟରେ ପାଞ୍ଚଟି ଆସନରେ ଉପ ନିର୍ବାଚନ ହେବାର ଥିଲା। ଚାରୋଟି ଆସନରେ ପ୍ରାର୍ଥୀ ଦେଇଥିଲା କଂଗ୍ରେସ। ଆଉ ଗୋଟିଏ ସିଟ୍ରେ ଆପ୍ ପ୍ରାର୍ଥୀ ଦେଇଥିଲା। ପୂର୍ବରୁ ସ୍ଥିର ହୋଇଥିଲା ଯେ, ଯେଉଁ ସିଟ୍ରେ ଯେଉଁ ଦଳର ପ୍ରାର୍ଥୀ ନିର୍ବାଚନ ଜିତିଥିଲେ, ସେଠି ସେହି ଦଳ ନିଜର ପ୍ରାର୍ଥୀ ଦେବ। ସେହି ଅନୁସାରେ କଂଗ୍ରେସ ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ଆମ ଭାଗରେ ଥିବା ଗୋଟିଏ ଆସନରେ ଆମେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ବି ସେଠାରେ ନିର୍ବାଚନ ଲଢିଲା। ଏମିତି କରି କଂଗ୍ରେସ ମେଣ୍ଟ ଧର୍ମ ଭଙ୍ଗ କରିଛି। ତେଣୁ ଏଥିରୁ ପାର୍ଟି ଉଚିତ୍ ଶିକ୍ଷା ନେଇ ବିହାରରେ କାହାରି ସହ ମେଣ୍ଟ ନ କରି ସବୁ ଆସନରେ ଏକା ଲଢିବାକୁ ନିଷ୍ପତ୍ତି ନେଇଛି। ବଡ଼ ନେତାମାନେ ଯାହା ନିଷ୍ପତ୍ତି ନେବେ, ଆମେ ତାହା ମଧ୍ୟ ଗ୍ରହଣ କରିବୁ। ଆମେ ବିହାରରେ ଏକାକୀ ନିର୍ବାଚନ ଲଢ଼ିବୁ।
ପୂର୍ବତନ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଯେଉଁ ଭଳି ଦିଲ୍ଲୀରେ ବିହାରୀମାନଙ୍କୁ ରୋଜଗାରରୁ କାଢି ଦିଆଯାଉଛି, ସେମାନଙ୍କ ଛୋଟ ଛୋଟ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଉଛି। ଠିକ୍ ସେହିପରି ବିହାରରେ ମଧ୍ୟ ବିହାରବାସୀ ବିଜେପିକୁ ରାଜ୍ୟରୁ ବାହାରର ରାସ୍ତା ଦେଖାଇବେ। ସେ କହିଛନ୍ତି, ବିଜେପିର ନୀତି ହେଉଛି ମିଛ କହିବା। ବାରମ୍ବାର ଏମିତି ମିଛ କୁହ ଯେମିତି ଲୋକେ ତାକୁ ସତ ବୋଲି ଭାବିବେ।