ନୂଆଦିଲ୍ଲୀ: ପଞ୍ଜାବର ଖନ୍ନାରେ ବଡ଼ ଘଟଣା ଦେଖିବାକୁ ମିଳିଛି । ଏଠାରେ ଇକଲାହା ଗାଁର ତ୍ରିଲୋଚନ ସିଂହଙ୍କୁ ସୋମବାର ସନ୍ଧ୍ୟାରେ ଗୁଳିମାରି ହତ୍ୟା କରାଯାଇଛି। ତ୍ରିଲୋଚନ ସିଂହ ଖନ୍ନା ଆମ ଆଦମୀ ପାର୍ଟିର କିସାନ ଓ୍ବିଙ୍ଗର ଅଧ୍ୟକ୍ଷ ଥିଲେ। ଘଟଣାର ସୂଚନା ମିଳିବା ପରେ ଖନ୍ନା ଏସଏସପି ସୌରଭ ଜିନ୍ଦଲ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଘଟଣାସ୍ଥଳର ସିସିଟିଭିକୁ ଯାଞ୍ଚ କରାଯାଉଛି।
ସୂଚନା ଅନୁଯାୟୀ, ତ୍ରିଲୋଚନ ସିଂହ ସୋମବାର ସନ୍ଧ୍ୟାରେ କ୍ଷେତରୁ ଫେରୁଥିବା ସମୟରେ ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଘଟଣା ବିଷୟରେ ଜାଣିବା ପରେ ପରିବାର ଲୋକେ ତାଙ୍କୁ ସରକାରୀ ହସ୍ପିଟାଲକୁ ନେଇଥିଳେ, ମାତ୍ର ଡାକ୍ତର ତ୍ରିଲୋଚନଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପୁଅ ହରପ୍ରୀତ ସିଂହ ହାପ୍ପୀ କହିଛନ୍ତି ପୂର୍ବ ଶତ୍ରୁତାକୁ ନେଇ କେହି ହତ୍ୟା କରିଛନ୍ତି। ପୋଲିସ ଅଜଣା ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ତ୍ରିଲୋଚନ ସିଂହ ପଞ୍ଜାବରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଆପ ତରଫରୁ ସରପଞ୍ଚ ନିର୍ବାଚନ ଲଢ଼ିବାର ଥିଲା। ପୋଲିସ ନିର୍ବାଚନୀ ଶତ୍ରୁତା ଦିଗକୁ ନେଇ ମଧ୍ୟ ଯାଞ୍ଚ କରୁଛି। ତ୍ରିଲୋଚନ ପୂର୍ବରୁ ଶିରୋମଣୀ ଅକାଳୀ ଦଳ ସହ ଜଡ଼ିତ ଥିଲେ, କିନ୍ତୁ ପରେ ସେ ଆପରେ ଯୋଗଦେଇଥିଲେ।